ମାଲଗୋଦାମ ସମେତ ୮ ଜାଗାରେ ସିବିଆଇ ଚଢ଼ଉ

Advertisment
ମାଲଗୋଦାମ ସମେତ ୮ ଜାଗାରେ ସିବିଆଇ ଚଢ଼ଉ

Image Courtesy of India TV

୫ ବ୍ୟବସାୟୀଙ୍କ ବିରୋଧରେ ୧୮ କୋଟିର ଋଣ ଠକେଇ ଅଭିଯୋଗ
ବ୍ୟାଙ୍କ ଅଫ୍ ବରୋଦାରୁ ଜାଲ କାଗଜପତ୍ରରେ ନେଇଥିଲେ ଋଣ
ବ୍ୟାଙ୍କ ଅଧିକାରୀ ସମ୍ପୃକ୍ତ, ବିପୁଳ କାଗଜପତ୍ର ଜବତ

ଭୁବନେଶ୍ବର : ବ୍ୟାଙ୍କକୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଠକ ବ୍ୟବସାୟୀଙ୍କ କଳା କାରନାମା ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ବିଅର୍‌ ଫ୍ୟାକ୍ଟ୍ରି ବସାଇବା ନାଁରେ ଶିଳ୍ପପତି ରଞ୍ଜନ ପାଢ଼ୀ ବ୍ୟାଙ୍କ୍‌ରୁ ୭୩ କୋଟି ଟଙ୍କା ଠକିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି। ବ୍ୟାଙ୍କ ଅଫ୍ ବରୋଦା, କଟକ ଶାଖାରୁ ୧୮କୋଟି ଟଙ୍କା ଋଣ ଠକେଇ ଘଟଣାରେ ସିବିଆଇ ମାମଲା ରୁଜୁ କରିବା ସହ ଆଜି ଅଭିଯୁକ୍ତଙ୍କ ଘର, ଅଫିସ, ବ୍ୟାବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଶାଖା ସମେତ ୧୦ରୁ ଅଧିକ ଜାଗାରେ ଚଢ଼ଉ କରିଛି। ଏଥିରେ ୫ଜଣ ବ୍ୟବସାୟୀ, ବ୍ୟାଙ୍କ ଅଧିକାରୀ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି।

ଅଭିଯୁକ୍ତମାନେ ହେଲେ, କଟକ ଶ୍ରୀକ୍ରିଷ୍ଣା ଏଣ୍ଟରପ୍ରାଇଜେସ୍‌ ଓ ଶ୍ରୀରାମ ଏଣ୍ଟରପ୍ରାଇଜେସ୍‌ର ପାର୍ଟନର ଏବଂ ଲକ୍ଷ୍ମୀନାରାୟଣ ଷ୍ଟୋର୍‌ର ଗ୍ୟାରେଣ୍ଟର ପଵନ କୁମାର ଯାଜୋଡ଼ିଆ, ଲକ୍ଷ୍ମୀନାରାୟଣ ଷ୍ଟୋରର ପାର୍ଟନର୍ ଧନେଶ୍ବର ନାୟକ ଓ ସନ୍ଦୀପ କୁମାର ଘୋଷ, ମାଲଗୋଦାମ ଶ୍ରୀରାମ ଏଣ୍ଟରପ୍ରାଇଜେସ୍ ପାର୍ଟନର ରୁବିତା ନନ୍ଦ, ଶ୍ରୀକୃଷ୍ଣ ଏଣ୍ଟରପ୍ରାଇଜେସ୍ ପାର୍ଟନର ବୀର କିଶୋର ଦାସ। ଭୁବନେଶ୍ବର ବିଜେବି ନଗରରେ ଥିବା ଶ୍ରୀରାମ ଏଣ୍ଟରପ୍ରାଇଜେସ୍, ମାଲଗୋଦାମ ଶ୍ରୀକୃଷ୍ଣ ଏଣ୍ଟରପ୍ରାଇଜେସ୍ ଏବଂ ଲକ୍ଷ୍ମୀନାରାୟଣ ଷ୍ଟୋର୍, ବ୍ୟାଙ୍କ ଅଫ୍ ବରୋଦା ଶାଖା ସମେତ ୧୦ରୁ ଅଧିକ ଜାଗାରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ। ଏହାକୁ ଆଧାର କରି ସିବିଆଇ ଖୋଳତାଡ଼ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ଜାଲ କାଗଜପତ୍ର ତିଆରି କରି ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୨୦୧୧ରୁ ୨୦୧୭ ମଧ୍ୟରେ ୧୮ କୋଟି ୩୦ ଲକ୍ଷ ଟଙ୍କା ଋଣ ଉଠାଇଥିଲେ। ଅସାଧୁ ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ବ୍ୟାଙ୍କକୁ ଠକିବା ସେମାନଙ୍କର ଉଦ୍ଦେଶ୍ୟ ରହିଥିଲା। ଋଣ ପରିଶୋଧ ନ ହେବାରୁ ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ବ୍ୟାଙ୍କକୁ ପ୍ରାୟ ୨୧କୋଟି ଟଙ୍କାର କ୍ଷତି ହୋଇଥିଲା। ବ୍ୟାଙ୍କ ଅଫ୍ ବରୋଦୋ କଟକ ଶାଖାର ଏଜିଏମ୍ ନିଖିଳ ରଞ୍ଜନ ପତି ଏ ସଂକ୍ରାନ୍ତରେ ସିବିଆଇ ଭୁବନେଶ୍ବର ଶାଖାରେ ଅଭିଯୋଗ କରିଥିଲେ। ସିବିଆଇ ଏ ସଂକ୍ରାନ୍ତରେ ଆଇପିସି ଦଫା-୧୨୦(ବି), ୪୨୦ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା-୧୩(୨),୧୩(୧)(ଡି)ରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe