ରାଜଧାନୀରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୯୯% ସଫଳତା

ରାଜଧାନୀରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୯୯% ସଫଳତା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟିଲା। ଦୁଇ ମାସ ବିଳମ୍ବରେ ଆଜି ପ୍ରକାଶ ପାଇଛି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଆଶା, ଆଶଙ୍କା ମଧ୍ୟରେ ଦିନ କାଟୁଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି କିଛିଟା ଆଶ୍ବସ୍ତି। ଭବିଷ୍ୟତ ବାଛିବା ଲାଗି ସେମାନଙ୍କୁ ମିଳିଯାଇଛି ବାଟ। ପରୀକ୍ଷା ଫଳକୁ ଆଧାର କରି କିଏ କ’ଣ କରିବେ ସେନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କେଉଁ କଲେଜରେ ପଢ଼ିବେ। କଳା, ବିଜ୍ଞାନ ନା ବାଣିଜ୍ୟରେ କ୍ୟାରିଅର କରିବେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତି କି ଅନ୍‌ଲାଇନ୍‌ କୋଚିଂ ନେବା ପାଇଁ ବି ପ୍ରସ୍ତୁତ ହୋଇଛନ୍ତି।

ଅନ୍ୟପଟେ ସିବିଏସ୍‌ଇ ଅଧୀନରେ ଥିବା ସହରର ଅଧିକାଂଶ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଅଳ୍ପ କିଛି ସ୍କୁଲକୁ ଛାଡ଼ି ଦେଲେ ସବୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସିବିଏସ୍‌ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବର ଓ ଉପକଣ୍ଠରେ ଥିବା ୬୩ ସ୍କୁଲ ମଧ୍ୟରୁ ୪୭ଟି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୦% ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ଏମିତି କି ହାତଗଣତି ଛାତ୍ରଛାତ୍ରୀ ୯୯%ରୁ ଅଧିକ ନମ୍ବର ରଖିଛନ୍ତି। ତେବେ ଟପର୍‌ ତାଲିକା ପ୍ରକାଶ ପାଇ ନ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସହରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ପାସ୍‌ହାର ଅଧିକ ରହିବା ସହ ଭଲ ମାର୍କ ହାସଲ କରିଛନ୍ତି। ତେବେ କରୋନା କଟକଣା ପାଇଁ ଏଥର କୌଣସି ସ୍କୁଲରେ ସେଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଦ୍ବାଦଶ ‌ଶ୍ରେଣୀ ପରି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସେଲିବ୍ରେସନ କରିଥିଲେ। ଡିଏଭି, ଚନ୍ଦ୍ରଶେଖରପୁର, ପୋଖରୀପୁଟ ଡିଏଭି ସମେତ ଆଉ କିଛି ବିଦ୍ୟାଳୟର ପିଲାମାନେ ସାମାଜିକ ଦୂରତା, ମୁହଁରେ ମାସ୍କ ପିନ୍ଧି କ୍ୟାମ୍ପସରେ ଉତ୍ସବ ମନାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe