ଭୁବନେଶ୍ବରରେ ସିବିଏସ୍‌ଇ ପରୀକ୍ଷା ଫଳ: ଶତପ୍ରତିଶତ ସଫଳତା, ଖୁସିରେ ଶତମୁଖ

Advertisment
ଭୁବନେଶ୍ବରରେ ସିବିଏସ୍‌ଇ ପରୀକ୍ଷା ଫଳ: ଶତପ୍ରତିଶତ ସଫଳତା, ଖୁସିରେ ଶତମୁଖ

ଭୁବନେଶ୍ବର: ସିବିଏସ୍‌ଇ ପରୀକ୍ଷା ହେବାଠାରୁ ଆରମ୍ଭ କରି ଫଳ ପ୍ରକାଶ ପର୍ଯ୍ୟନ୍ତ ସବୁକିଛି ସନ୍ଦେହ ଭିତରେ ଥିଲା। ତେବେ ପରୀକ୍ଷା ସରିଯାଇଥିଲା। କିନ୍ତୁ ଫଳ କିଭଳି ପ୍ରକାଶ କରାଯିବ ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦ୍ବନ୍ଦ୍ବ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଯେଉଁ ଫଳ ପ୍ରକାଶ ପାଇଁ ପ୍ରତିକ୍ଷା କରିଥିଲେ ଶୁକ୍ରବାର ତାହାର ଅନ୍ତ ଘଟିଛି। ପ୍ରକାଶ ପାଇଛି ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ। ଗତବର୍ଷ ତୁଳନାରେ ଏଥର ପାସ୍‌ହାର ହ୍ରାସ ପାଇଛି। ମାତ୍ର ପରୀକ୍ଷା ଦେଇ ପାସ୍‌ କରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ଅଲଗା ପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା। ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନିଆରା ଢଙ୍ଗରେ ସ୍କୁଲରେ ଉତ୍ସବ ମନାଇଥିଲେ। ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶି ନାଚିଥିଲେ। ସେଲ୍ଫିିରେ ସ୍ମରଣୀୟ ମୁହୂର୍ତ୍ତକୁ କଏଦ୍‌ କରିଥିଲେ।

କିଏ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଠା ଖୁଆଇଥିଲେ ତ ଆଉ କିଏ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ନାଚରେ ମଜି ଯାଇଥିଲେ। ସାମ୍ପେନ୍‌, କୋଲ୍‌ଡ୍ରିଙ୍କ୍ସ ସ୍ପ୍ରେ’ କରି ଖୁସି ବାଣ୍ଟିଥିଲେ। ପରୀକ୍ଷା ଫଳ ଆଧାରରେ କିଏ କ’ଣ କରିବେ, ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କେଉଁ କଲେଜରେ ପଢ଼ିବେ, କେଉଁ ବିଭାଗରେ ନାମ ଲେଖାଇବେ, ସେନେଇ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତିକି ଅନ୍‌ଲାଇନ୍‌ କୋଚିଂ ନେବା ଆରମ୍ଭ କରିଦେଇଥିବା କିଛି ଜଣ କହିଛନ୍ତି।

ସିବିଏସ୍‌ଇ ଅଧୀନ ଭୁବନେଶ୍ବରର ସମସ୍ତ ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଅଧିକାଂଶ ପରୀକ୍ଷାର୍ଥୀ ୮୦%ରୁ ଅଧିକ ନମ୍ବର ରଖି ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି। ମଦର ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ ଶତପ୍ରତିଶତ ନମ୍ବର ରଖି ଭୁବନେଶ୍ବରର ଗୌରବ ବଢ଼ାଇବା ସହ ଦେଶରେ ଟପର୍‌ ହୋଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ସୁହାନା ଜେନା, ଓଡିଏମ୍‌ ପବ୍ଲିକ ସ୍କୁଲର ଆଦିତ୍ୟ କରଙ୍କ ସମେତ ଆଉ କିଛି ଛାତ୍ରଛାତ୍ରୀ ୯୯.୮% ନମ୍ବର ଅର୍ଥାତ୍‌ ୫୦୦ରୁ ୪୯୯ ମାର୍କ ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସହରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ସଫଳତା ହାର ମଧ୍ୟ ବହୁତ ଭଲ ରହିଛି।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ସ୍କୁଲର ଛାତ୍ରଛାତ୍ରୀ ବାଜିମାତ୍‌ କରିଛନ୍ତି। ବାଣିଜ୍ୟରେ ୯୮.୮% ମାର୍କ ରଖି ଶୁଭ୍ରଶିଖା ପ୍ରଧାନ, କସିସ ଅଗ୍ରୱାଲା ଓ ଖୁସି ଅଗ୍ରୱାଲ୍‌, ବିଜ୍ଞାନରେ ୯୮.୬% ମାର୍କ ରଖି ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ଓ ଅଭୀପ୍ସା ପାଢ଼ୀ, ହ୍ୟୁମାନିଟିଜ୍‌ରେ ୯୮.୬% ମାର୍କ ରଖି ନେରିକା ମିଶ୍ର ସ୍କୁଲ ଟପର୍‌ ହୋଇଛନ୍ତି। ୨୫%ପରୀକ୍ଷାର୍ଥୀ ୯୫%ରୁ ଅଧିକ ମାର୍କ ରଖିଛନ୍ତି। ସ୍କୁଲର ହାରାହାରି ନମ୍ବର ୮୯.୯% ରହିଛି।
ଦଶମ ଶ୍ରେଣୀରେ ୯୯.୮% ମାର୍କ ରଖି ସୁହାନା ଜେନା ସ୍କୁଲ୍ ଟପର୍‌ ହୋଇଛନ୍ତି। ୯୯.୪% ମାର୍କ ରଖି ଦ୍ବିତୀୟ ସ୍ଥାନରେ ଆଦ୍ୟାଶା କ୍ୟାମ୍ ଓ ୯୯.୨% ମାର୍କ ରଖି ଜନିସା କରନ୍ ତୃତୀୟ ସ୍ଥାନରେ ରହିଛନ୍ତି। ଶିକ୍ଷକଙ୍କ କଠିନ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗ ଯୋଗୁଁ ଆଜି ଆମେ ସଫଳତା ପାଇଛୁ ବୋଲି ସ୍କୁଲର ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି।

ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲ

ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ମାନବୀ ଅଗ୍ରୱାଲ, ବାଣିଜ୍ୟରେ ଦୁଷାନ୍ତ ତୁଲସିଆନ୍ ଓ ସାକ୍ଷୀ ବହେତି ୯୯% ଓ ହ୍ୟୁମାନିଟିଜ୍‌ରେ ୯୫% ମାର୍କ ରଖି ପ୍ରକୃତି ଲାଗୁରି ସ୍କୁଲ ଟପ୍‌ର ହୋଇଛନ୍ତି। ପରୀକ୍ଷା ଦେଇଥିବା ସ୍କୁଲର ସମସ୍ତ ୭୩ଜଣ ଛାତ୍ରଛାତ୍ରୀ ୭୨%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଦଶମରେ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୯୮.୪% ମାର୍କ ରଖି କମଲେସ୍ ବଳ ଓ ଶ୍ରଦ୍ଧାଞ୍ଜଳି ଦୁହୁଡ଼ି ମିଳିତ ଭାବେ ସ୍କୁଲ୍ ଟପ୍‌ର ହୋଇଛନ୍ତି। ୧୪.୧% ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସଫଳତା ନେଇ ସ୍କୁଲ ଚେୟାରପର୍ସନ ଶିଳ୍ପୀ ସାହୁ ଛାତ୍ରଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe