ମଞ୍ଚେଶ୍ବର ଷ୍ଟେସନ୍‌ ଛକରେ ସିସିଟିଭି ଅଚଳ

Advertisment
ମଞ୍ଚେଶ୍ବର ଷ୍ଟେସନ୍‌ ଛକରେ ସିସିଟିଭି ଅଚଳ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ଷ୍ଟେସନ୍‌ ବଜାର ମୁଖ୍ୟ ଛକରେ ଲାଗିଥିବା ସିସିଟିଭି ପ୍ରାୟ ବ‌ର୍ଷେ ହେଲା କାର୍ଯ୍ୟକାରୀ ହୋଇପାରୁନାହିଁ। ଛକରେ ଲାଗିଥିବା ହାଇମାଷ୍ଟ ଲାଇଟ୍‌ ଅଚଳ ହୋଇପଡ଼ିଥିବା ବେଳେ ସିସିଟିଭି କାମ କରୁ ନଥିବାରୁ ଏହା ଅସାମାଜିକ ତତ୍ତ୍ବମାନଙ୍କୁ ବେଶ୍‌ ସୁହାଉଛି। ରାତିରେ ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀମାନଙ୍କୁ ଲୁଟେରାମାନେ ଟାର୍ଗେଟ୍‌ କରିବାକୁ ବେଶ୍ ସହଜ ହେଉଛି। ବଡ଼ କଥା ହେଉଛି, ଅପରାଧୀମାନଙ୍କୁ ପାଇବା ପୁଲିସ୍‌ ପାଇଁ ସମସ୍ୟା ହେଉଛି। ଏହି ମଉକାରେ ଅପରାଧୀମାନେ ଏଠାରେ ଅଧିକ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି।

ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଖଞ୍ଜିଛି। ଏହି ଷ୍ଟେସନ୍ ଛକରେ ବର୍ଷକ ତଳେ ସିସିଟିଭି ଲଗାଯାଇଥିଲା। କିନ୍ତୁ ଲାଗିବା ପରଠାରୁ ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ କଙ୍କଡ଼ାଙ୍କୁ ଗୋଳି ପାଣି ସୁହାଇବା ନ୍ୟାୟରେ ଏଠାରେ ସିସିଟିଭି କାମ ନ କରିବା ଓ ହାଇମାଷ୍ଟ ଲାଇଟ୍‌ ଅଚଳ ହେବା ଦୁର୍ବୃତ୍ତମାନଙ୍କୁ ସୁଯୋଗ ଦେଉଛି। ଗତ ମାସରେ ଏଠାରେ ରାତିରେ ପୃଥକ୍‌ ପୃଥକ୍‌ ତିନିଟି ଲୁଟ୍ ଘଟଣା ଘଟିଛି। ନିକଟରେ ରେଲୱେ କଲୋନିର ଦେବେନ୍ଦ୍ର ନାଥଙ୍କୁ ଦୁଇ ଜଣ ଅଟୋଚାଳକ ମାଡ଼ ମାରି ଲୁଟ୍‌ପାଟ୍‌ କରିଥିଲେ। ସେହିଭଳି ମୋ’ ବସରେ ଯିବା ପାଇଁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଜଣେ ଅଟୋଚାଳକ ଦୁର୍ବ୍ୟବହାର କରିଥିଲେ। ଅଟୋରେ ଯିବା ଡାକିବା ପରେ ଯୁବତୀ ମନା କରିବାରୁ ଅଟୋଚାଳକ ତାଙ୍କୁ ଗାଳିମନ୍ଦ କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଝାମ୍ପି ନେଇଯାଇଥିଲା। ପୁଲିସ ସୂଚନାନୁସାରେ ଏଠ‌ାରେ କିଛି ଅଟୋଚାଳକ ଏସବୁ ଅସାମାଜିକ କାର୍ଯ୍ୟର ମାଷ୍ଟରମାଇଣ୍ଡ। ତେଣୁ ସେମାନଙ୍କୁ ରେଡ୍‌ହ୍ୟାଣ୍ଡେଡ୍‌ କାବୁ କରିବା ପାଇଁ ରେଳବାଇ ଥାନା ଓ ମଞ୍ଚେଶ୍ବର ଥାନା ପୁଲିସ ଜାଲ ବିଛାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe