ଜମିଲା ପଣା, ଚଳିଲା ପାଞ୍ଜି

ଜମିଲା ପଣା, ଚଳିଲା ପାଞ୍ଜି

ଭୁବନେଶ୍ବର:  ହନୁମାନ ଚାଳିସା ସାଙ୍ଗକୁ ହନୁମାନଙ୍କ ସୁନ୍ଦରା କାଣ୍ଡରେ ନିନାଦିତ ହେଉଥିଲା ସଙ୍କଟମୋଚନଙ୍କ ମନ୍ଦିର। ଘରେଘରେ ଜମିଥିଲା ପଣା। ଘର ଅଗଣାଠୁ ନେଇ ଛାତ ଉପରେ ଠେକା ବାନ୍ଧି ତୁଳସୀ ଚଉରା ମୂଳେ ପଣା ସମର୍ପିଥିଲେ ଓଡ଼ିଆ ପରିବାର। ପୁଣି ପଣା ସଂକ୍ରାନ୍ତିର ଏହି ବିଶେଷ ଦିନକୁ ଓଡ଼ିଆ ନବବର୍ଷ ରୂପେ ପାଳନ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆମାନେ। ଓଡ଼ିଆ କ୍ୟାଲେଣ୍ଡରର ପ୍ରଥମ ଦିନ ଭାବେ ପରିଗଣିତ ଏହି ଦିନକୁ ନେଇ କିଛି ସ୍ଥାନରେ ଓଡ଼ିଆ ନୂଆବର୍ଷ ପାଳନ ହୋଇଛି। ଏଥିସହ ନୂଆ ପାଞ୍ଜିକା ଚଳିଛି। ମହାବିଷୁବ ତଥା ମେଷ ସଂକ୍ରାନ୍ତି ଭାବେ ଏହି ଦିନଟି ଜଣାଶୁଣା ଥିବା ବେଳେ ସୂର୍ଯ୍ୟ ମଧ୍ୟ ଭାଗକୁ ଚାଲିଅସନ୍ତି। ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ ଗଛ ମୂଳେ ପଣା ସମର୍ପଣ କରାଯାଇଥିଲା। କ୍ଷୀର, ଛେନା, କଦଳୀ ସମେତ ବିଭିନ୍ନ ପ୍ରକାରର ଫଳ, ଗୋଲମରିଚ ଗୁଣ୍ଡ, ବେଲ, ଚିନି, କାଜୁ, କିସ୍‌ମିସ୍ ଆଦିକୁ ମିଶାଇ ସ୍ବତନ୍ତ୍ର ଭାବେ ପଣା ପ୍ରସ୍ତୁତ କରାଯାଇଥିଲା। ଏହାକୁ ଏକ ମାଟି ପାତ୍ରରେ ଛୋଟ କଣା କରି ତୁଳସୀ ଚଉରା ଉପରେ ଝୁଲା ଯାଇଥିଲା। ଏଥିସହ ଘରେ ଥିବା ଶାଳଗ୍ରାମ, ଶିବଲିଙ୍ଗ ଓ ହନୁମାନଙ୍କୁ ଏହି ପଣା ଅର୍ପଣ କରାଯାଇଥିଲା। ଏହି ସହର ଏବଂ ସହର ଉପକଣ୍ଠରେ ଅନେକ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି। ବିଶେଷକରି ସିଆର୍‌ପି ଛକସ୍ଥିତ ଶ୍ରୀଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର, ୟୁନିଟ୍ ୨ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ୟୁନିଟ୍ ୬ ପଛପାର୍ଶ୍ୱରେ ଥିବା ହନୁମାନ ମନ୍ଦିର ସମେତ ରାଜଧାନୀର କୋଣ ଅନୁକୋଣରେ ମହାବୀର ମନ୍ଦିରରେ ଏହି ଉତ୍ସବ ପାଳନ ପାଳନ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା। ଏଥିସହ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସାରସ୍ବତ ଅନୁରାଗୀଙ୍କ ଦ୍ୱାରା ବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe