ମଧ୍ୟ ନିର୍ବାଚନମଣ୍ଡଳୀ: ଅଡ଼ୁଆରେ ବସ୍ତି ଭୋଟ୍‌

ଗଦା ଗଦା ଅଭିଯୋଗ, ପ୍ରବଳ ଅସନ୍ତୋଷ

ମଧ୍ୟ ନିର୍ବାଚନମଣ୍ଡଳୀ: ଅଡ଼ୁଆରେ ବସ୍ତି ଭୋଟ୍‌

ଭୁବନେଶ୍ବର: ସହରୀ ଭୋଟର ମତଦାନ କରିବାକୁ ଆସୁନାହାନ୍ତି। ଯେଉଁଥିପାଇଁ ସହରାଞ୍ଚଳରେ ମତଦାନ ହାର କ୍ରମାଗତ ଭାବରେ କମିବାରେ ଲାଗିଛି। ଏଣୁ ନେତାମାନେ ବସ୍ତି ଭୋଟ୍‌କୁ ଟା‌ର୍ଗେଟ୍‌ କରିଛନ୍ତି। କିନ୍ତୁ ବସ୍ତିକୁ ନେଇ ରହିଥିବା ଗଦା ଗଦା ଅଭିଯୋଗର ସମାଧାନ ହୋଇନଥିବାରୁ ପ୍ରବଳ ଅସନ୍ତୋଷ ରହିଛି। ଯାହା ନେତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଯଥେଷ୍ଟ ସମ୍ଭାବନା ରହିଛି। କେଉଁ ବସ୍ତିରେ ଜଣେ ହେଲେ ବାସିନ୍ଦା ଗୃହ ନିର୍ମାଣ ଯୋଜନାରେ ସାମିଲ ହୋଇନଥିବା ବେଳେ କେଉଁଠି ଅଯୋଗ୍ୟ ଘର ପାଇଛନ୍ତି। କେଉଁଠି ଅସରାଏ ବର୍ଷା ହେଲେ ବସ୍ତିବାସିନ୍ଦାଙ୍କ ନିଦ ହଜି ଯାଉଥିବା ବେଳେ କେଉଁଠି ପରିମଳ ସେବା ପହଞ୍ଚି ପାରିନାହିଁ। ମଧ୍ୟ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ଭିତରେ ଏଭଳି ଅସନ୍ତୋଷ ନେତାଙ୍କ ପାଇଁ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ମଧ୍ୟ ନିର୍ବାଚନମଣ୍ଡଳ‌ୀରେ ୧୯ଟି ୱାର୍ଡ ରହିଛି। ଏହି ୧୯ ୱାର୍ଡ‌ରେ ୧୬ରୁ ଊର୍ଦ୍ଧ୍ବ ବସ୍ତି ରହିଛି। ୩୧ନମ୍ବର ୱାର୍ଡରେ ରେଳ ଧାରଣାକୁ ଲାଗି ରହିଛି ‘ହଠାତ୍‌’ ବସ୍ତି। ଏଠାରେ ପ୍ରାୟ ୬୭ଜଣ ବାସିନ୍ଦା ଅଛନ୍ତି। ଏମାନଙ୍କର ରେ’(ରାଜୀବ ଆବାସ ଯୋଜନା) ଅଧୀନରେ ସର୍ବେକ୍ଷଣ ହୋଇଛି। କିନ୍ତୁ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ଘର ଯୋଗାଇ ଦିଆଯାଉ ନାହିଁ। ଗୀତାରାଣୀ ଦାସ କହିଛନ୍ତି, ‘‘ଘରଗୁଡ଼ିକ ରେଳଧାରଣା କଡ଼ରେ ରହିଥିବାରୁ ଟ୍ରେନ୍‌ ଯିବା ବେଳେ ଥରିବା ଯୋଗୁ ଘର ଭାଙ୍ଗି ଯାଉଛି। ସର୍ଭେ ହେବା ପରେ ମଧ୍ୟ ଘର ଦିଆଯାଉନି। ଅନ୍ୟ କେତେକ ସ୍ଲମ୍‌ରେ ନନ୍‌ ରେ’ ସର୍ଭେ କରି ଘର ଦିଆଯାଉଛି। କିନ୍ତୁ ଆମେ ହିତାଧିକାରୀ ହୋଇ ମଧ୍ୟ ଦିଆଯାଉ ନାହିଁ। ଆମେ ଏନେଇ ବିଏମ୍‌ସିକୁ ବାରମ୍ବାର ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛୁ।‘‘ ଅବଶ୍ୟ ‌ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସିକୁ ସହରାଞ୍ଚଳ ଗୃହ ନିର୍ମାଣ ମିସନ୍‌ରୁ ଚିଠି ଆସିଛି।

ଶାନ୍ତିପଲ୍ଲୀରେ ୨୦୧୦ ମସିହାରେ ସର୍ଭେ ହୋଇ ୪୯୪ ରେ’ ହିତାଧିକାରୀ ଚିହ୍ନଟ ହୋଇଥିଲେ। ୨୦୧୨ ମସିହାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ଗୃହ ନିର୍ମାଣ ହେଲା। କିନ୍ତୁ ପୁଣି ଥରେ ନନ୍‌ ରେ’ ହିତାଧିକାରୀ ଚିହ୍ନଟ କରିବାକୁ ଯୋଜନା କରି ବିଡିଏ ୧୩ ବର୍ଷ ପରେ ପୁନଃ ସର୍ଭେ କଲା। ବସ୍ତିର ଅଧାଅଂଶରେ ସର୍ଭେ କରି ବିଡିଏ ୬୨୫ ଜଣ ନନ୍‌ ରେ’ ଚିହ୍ନଟ କଲା। ଏଥିରୁ କାଣ୍ଟ ଛାଣ୍ଟ କରି ମାତ୍ର ୬୫ ଜଣଙ୍କୁ ନନ୍‌ ‌ରେ’ ତାଲିକାଭୁକ୍ତ କଲା। ବାକି ୫୬୦ ଜଣଙ୍କୁ କାଟି ଦେବାରୁ ଏଠାରେ ମଧ୍ୟ ପ୍ରବଳ ଅସନ୍ତୋଷ ରହିଛି।
ସେହିଭଳି ହଳଦୀପଡ଼ିଆ ବସ୍ତିରେ ମଧ୍ୟ ଜାଗା ମିସନ ଓ ଗୃହ ନିର୍ମାଣ ପ୍ରକଳ୍ପକୁ ନେଇ ବିବାଦ ରହିଛି। ଏହି ବସ୍ତି ଦୁଇଟି ୱାର୍ଡ ଯଥା; ୩୩ ଓ ୪୨ରେ ଭାଗ ଭାଗ ହୋଇ ରହିଛି। ୩୩ ନମ୍ବର ୱାର୍ଡ ବିଜେପି କବ୍‌ଜାରେ ଥିବା ବେଳେ ୪୨ ବିଜେଡି ଅଧୀନରେ ରହିଛି। ଫଳରେ ବିବାଦ ସମାଧାନ ହେବା ନାଁ ଧରୁନି। କେଉଁଠି ଧାର୍ଯ୍ୟ ପରିମାଣରୁ ଅଧିକା ଜମିରେ ରହିଥିବା ବାସିନ୍ଦାଙ୍କ ଠାରୁ ଟଙ୍କା ଆଦାୟକୁ ନେଇ ଅସନ୍ତୋଷ ରହିଥିବା ବେଳେ ଜାଗା ମିସନ୍‌ରୁ ବାଦ୍‌ ପଡ଼ିଥିବା ବାସିନ୍ଦା ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେହିଭଳି ବିଜେପି ଦଖଲରେ ଥିବା ୩୯ ନମ୍ବର ୱାର୍ଡରେ ଥିବା କଲ୍ୟାଣୀ କୃଷ୍ଣ ନଗର ବସ୍ତିରେ ମଧ୍ୟ ଯାବତୀୟ ସମସ୍ୟା ରହିଛି। ଏହା ବାଦ୍‌ ବିଜେଡି ଦଖଲରେ ଥିବା ସାଇନ୍‌ସ୍‌ ପାର୍କ ସ୍ଲମ୍‌, ବାୟାବାବା ବସ୍ତି, ରାମପୁର ସ୍ଲମ୍‌, ସିଦ୍ଧପଲ୍ଲୀ ବସ୍ତି, କେଦାରପଲ୍ଲୀ, ପିଚୁ ପଡ଼ିଆ ଓ ପିଡବ୍ଲୁ ବସ୍ତିରେ ମଧ୍ୟ ଗଦା ଗଦା ଅଭିଯୋଗ ରହିଛି। ଏହି ସମସ୍ୟାସବୁ ନେତାଙ୍କୁ ଅଡ଼ୁଆ କରିବ‌ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe