ସଂକୁଚିତ ହେଉଛି ଚନ୍ଦକା ଅଭୟାରଣ୍ୟ: ଜବରଦଖଲରେ ୨୨ହେକ୍ଟର ଜଙ୍ଗଲ ଜମି

Advertisment
ସଂକୁଚିତ ହେଉଛି ଚନ୍ଦକା ଅଭୟାରଣ୍ୟ: ଜବରଦଖଲରେ ୨୨ହେକ୍ଟର ଜଙ୍ଗଲ ଜମି

୮ବର୍ଷ ତଳେ ଶେଷଥର ପାଇଁ ହୋଇଥିଲା କାର୍ଯ୍ୟାନୁଷ୍ଠାନ
ଜଙ୍ଗଲ ଜମି କହି ହାତ ଟେକିଦେଇଛି ବିଏମ୍‌ସି ଓ ବିଡିଏ

ଭୁବନେଶ୍ବର : ୧୯୩.୩୯ ବର୍ଗ କିମି ପରିଧିକୁ ନେଇ ଗଠିତ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟକୁ ଏବେ ଜବରଦଖଲ ବିପଦ ସୃଷ୍ଟି କରିଛି। ଦଶନ୍ଧି ଦଶନ୍ଧି ଧରି ଜଙ୍ଗଲ ଜମିକୁ ବିଭିନ୍ନ ସମୟରେ ମାଡ଼ି ବସୁଥିବା ବେଳେ ଉଚ୍ଛେଦକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଖାଲି ସେତିକି ନୁହେଁ; ଚନ୍ଦକା ଜଙ୍ଗଲ ପାର୍ଶ୍ବରେ ମୁଣ୍ଡା ଛକରୁ କଳିଙ୍ଗ ଷ୍ଟୁଡିଓ ଛକକୁ ଓ ସେଠାରୁ ଦାସପୁର, ଅନ୍ଧାରୁଆ ପର୍ଯ୍ୟନ୍ତ ଫିଟିଥିବା ଶହେ ଫୁଟିଆ ରାସ୍ତା ପାର୍ଶ୍ବରେ ମାଳମାଳ ବେଆଇନ କନଷ୍ଟ୍ରକ୍ସନ୍ ସଂସ୍ଥା ଗଢ଼ି ଉଠିଛି। ଆଉ ଏହାକୁ ଉଚ୍ଛେଦ କରିବା ପରିବର୍ତ୍ତେ ସବୁ ଜଙ୍ଗଲ ଜମି କହି ହାତ ଟେକି ଦେଇଛି ବିଡିଏ ଓ ବିଏମ୍‌ସି। ଫଳରେ ହାତୀଙ୍କ ସୁରକ୍ଷା ପାଇଁ ଥିବା ଚନ୍ଦକା ଜଙ୍ଗଲ ଧୀରେଧୀରେ ସଂକୁଚିତ ହେବାରେ ଲାଗିଛି।

ଚନ୍ଦକା ଜଙ୍ଗଲର ଚୂଡ଼ଙ୍ଗ, ଦାସପୁର, ଚନ୍ଦକା, ଭରତପୁର, ରେଣ୍ଟାଲ କଲୋନିସ୍ଥିତ ବେହେରା ବସ୍ତିକୁ ଲାଗି ପଥର ପାଚେରି ନିର୍ମାଣ କରାଯାଇଛି। ସେହିପରି ହାତୀ ଯେମିତି ପାଚେରି ଡେଇଁ ଜନବସତି ଭିତରକୁ ପଶି ନ ଆସେ ଏବଂ ଧନଜୀବନ କ୍ଷତି ନ ହୁଏ, ସେଥିପାଇଁ ୧୦ ଫୁଟ୍‌ରୁ ଅଧିକ ଗଭୀର ବିଶିଷ୍ଟ ଟ୍ରେଞ୍ଚ୍ ମଧ୍ୟ ଖୋଳା ଯାଇଛି। ଯାହା ଦ୍ବାରା ହାତୀ ପାଚେରି ଡେଇଁଲେ ବି ଟ୍ରେଞ୍ଚ୍ ଅତିକ୍ରମ କରି ଆସିବା ସମ୍ଭବ ହେବନାହିଁ। ମାତ୍ର ଏହି ଟ୍ରେଞ୍ଚ୍ ଏବେ ବିଏମ୍‌ସି ପାଇଁ ଅଘୋଷିତ ନାଳରେ ପରିଣତ ହୋଇଛି। ସ୍ଥାନୀୟ ବାସିନ୍ଦା ଏହାକୁ ଅଳିଆ ଆବର୍ଜନା କୁଣ୍ଡ ଭାବେ ବ୍ୟବହାର କରୁଥିବା ବେଳେ ବିଏମ୍‌ସି ଡ୍ରେନ୍ ନିର୍ମାଣ କରି ଆଣି ଏହି ଟ୍ରେଞ୍ଚ୍‌ରେ ମିଶାଇ ଦେଇଛି। ଫଳରେ ନାଳ ପାଣି ହାତୀଙ୍କ ପାଇଁ ନିର୍ମିତ ହୋଇଥିବା ପଥର ପାଚେରିକୁ ଦୁର୍ବଳ କରୁଛି। ଅପରପକ୍ଷରେ ନାଳ ପାଣି ସାଙ୍ଗକୁ ବର୍ଷାଜଳରେ ଏକତ୍ରିତ ହୋଇ ହାତୀ ପାଚେରି ଡେଇଁ ଯାଉଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଯେଉଁଥିପାଇଁ ସେପ୍‌ଟେସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହୁଛି ବୋଲି ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରୁଛନ୍ତି।

publive-image

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୨.୪୧୨୬ ହେକ୍ଟର ଚନ୍ଦକାର ଜଙ୍ଗଲ ଜମିକୁ ୨୧୧ଜଣ ଲୋକଙ୍କ ଦ୍ବାରା କବ୍‌ଜା କରାଯାଇଛି। ଏହାକୁ ନେଇ କୋର୍ଟରେ କେସ୍ ବିଚାରାଧୀନ ଅଛି। ୨୦୧୩-୧୪ ମସିହାରେ ରେଣ୍ଟାଲ୍ କଲୋନିସ୍ଥିତ ବସ୍ତିରେ ନାଳ ପାଣି ଜଙ୍ଗଲକୁ ଛଡ଼ାଯାଉଥିବା ଦେଖାଯିବା ପରେ ୧୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏପରିକି ଅନେକ ସମୟରେ ନୂଆ ଜବରଦଖଲକାରୀଙ୍କୁ ଜଙ୍ଗଲ ଜମିରୁ ମଧ୍ୟ ଉଚ୍ଛେଦ କରାଯାଉଛି। ମାତ୍ର ପୂର୍ବରୁ ଜବରଦଖଲ ମାମଲା କୋର୍ଟରେ ସକ୍ରିୟ ବିଚାରାଧୀନ ଥିବା ଯୋଗୁଁ ମାମଲାର ରାୟକୁ ଅପେକ୍ଷା କରାଯାଇଛି।

ସ୍ଥାନୀୟ ଅ଼ଞ୍ଚଳର ଜଣେ ପରିବେଶବିତ୍‌ଙ୍କ ସୂଚନାନୁଯାୟୀ, ୧୯୭୨ ମସିହା ଆଇନ ଅନୁସାରେ, ହାତୀଙ୍କ ପାଇଁ ଏହି ଟ୍ରେଞ୍ଚ୍ ନିର୍ମାଣ କରାଯାଇଥିଲା। ହେଲେ ବନ ବିଭାଗର ଅବହେଳା ଯୋଗୁଁ ଉଭୟ ଟ୍ରେଞ୍ଚ୍ ଓ ପାଚେରିକୁ ଲାଗି ମାଳମାଳ ଜନବସତି ବଢ଼ିବାରେ ଲାଗିଛି। ବେଆଇନ ଘର ଗଢ଼ୁଥିବା ଲୋକେ ଯେହେତୁ ଶ୍ରମିକ ଶ୍ରେଣୀର, ସେମାନେ ଚଳିବା ପାଇଁ ଅନେକ ସମୟରେ ପାଚେରି ଡେଇଁ ଜଙ୍ଗଲରୁ ଗଛ କାଟି ଆଣୁଛନ୍ତି। ଯାହା ଆଗାମୀ ଦିନରେ ଚନ୍ଦକାର ଅସ୍ତିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ରେଣ୍ଟାଲସ୍ଥିତ ବେହେରା ବସ୍ତିରେ କିଛି ଲୋକ ଗାଈଚାଷ କରି ଜୀବିକା ପ୍ରତିପୋଷଣ କରୁଛନ୍ତି। ଗାଈର ଗୋବରଠୁ ଆରମ୍ଭ କରି ମୂତ୍ର ପର୍ଯ୍ୟନ୍ତ ତଥା ସ୍ଥାନୀୟ ଅଞ୍ଚଳର ଯାବତୀୟ ଅଳିଆ ବିଏମ୍‌ସିର ନାଳ ଦେଇ ଏହି ଟ୍ରେଞ୍ଚ୍‌କୁ ପଶୁଛି। ବର୍ଷାରେ ନାଳ ଭର୍ତ୍ତି ହେଲେ ପାଣି ଜଙ୍ଗଲ ଭିତରକୁ ସହଜରେ ପଶୁଛି। ଏହା ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe