ଆସୁଛି ଚନ୍ଦନଯାତ୍ରା: ଚାପ ଖେଳକୁ ଅଡ଼ୁଆ କରିବ ଦଳ

Advertisment
ଆସୁଛି ଚନ୍ଦନଯାତ୍ରା: ଚାପ ଖେଳକୁ ଅଡ଼ୁଆ କରିବ ଦଳ

ପୁରୁଣା ଭୁବନେଶ୍ବର: ମେ’ ୩ରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ଦୀର୍ଘ ୨୨ ଦିନ ଧରି ଚାଲିବ ଏହି ଚନ୍ଦନ ଯାତ୍ରା। ରୁକୁଣା ରଥଯାତ୍ରାଠାରୁ ଅଭିମାନ କରିଥିବା ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ପ୍ରଭୁ ଶ୍ରୀଲିଙ୍ଗରାଜ ଏହି ଯାତ୍ରା ଅବସରରେ ପୁଣି ମନ୍ଦିରରୁ ବାହାରିବେ ଓ ବିନ୍ଦୁସାଗର ପୁଷ୍କରିଣୀରେ ଚାପ ଖେଳିବେ। ଏହି ଅବସରରେ ଦେବଦମ୍ପତିଙ୍କ ସହ ଡଙ୍ଗାରେ ବିରାଜମାନ କରିଥା’ନ୍ତି ପ୍ରଭୁ ଦୋଳଗୋବିନ୍ଦ ଓ ପ୍ରଭୁ କପିଳନାଥ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମସ୍ତ ପର୍ବ ଓ ପରମ୍ପରା ମଧ୍ୟରେ ଚନ୍ଦନଯାତ୍ରା ହେଉଛି ଏକ ଦୀର୍ଘତମ ଯାତ୍ରା ଓ ଏକ ଅନ୍ୟନ ପ୍ରଥା।

ପ୍ରଚଣ୍ଡ ରୌଦ୍ରତାପ ବେଳେ ପ୍ରଭୁଙ୍କର ଏହି ଲୀଳା ଦେଖିବା ପାଇଁ ବହୁ ପର୍ଯ୍ୟଟକ ବିନ୍ଦୁସାଗର କୂଳରେ ଭିଡ଼ ଜମାନ୍ତି। ତେବେ ଚଳିତ ବର୍ଷ ପ୍ରଶାସନର ପ୍ରସ୍ତୁତିକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ବିଶେଷକରି ବିନ୍ଦୁସାଗରରେ ଭର୍ତ୍ତି ହୋଇଥିବା ଦଳ ସଫା ହୋଇ ନଥିବାରୁ ଡଙ୍ଗା ଚାପ ଖେଳିବାରେ ସମସ୍ୟା ହେବ ବୋଲି ଅଭିଯୋଗ ହୋଇଛି।

ବିଧି ଅନୁସାରେ ଚନ୍ଦନ ଯାତ୍ରା ପାଇଁ ପୁଷ୍କରିଣୀରୁ ୨ଟି ଡଙ୍ଗାକୁ ବାହାର କରାଯାଇଛି। ଦୁଇ ଡ଼ଙ୍ଗାକୁ ଯୋଡ଼ି ଚାପ ଖେଳ ହେବ। ଅଷ୍ଟଚଣ୍ଡୀଙ୍କ ନାମରେ ଡଙ୍ଗା ୭ଘେରା ବୁଲିବ। ହେଲେ ବିନ୍ଦୁସାଗରର ଦଳ ସମସ୍ୟା ଡଙ୍ଗାର ଭଉଁରି ଖେଳ ପଥରେ କଣ୍ଟା ହୋଇରହିଛି। ପୁଷ୍କରିଣୀର ଚାରିପଟେ ଦଳ ମାଡ଼ି ଗଲାଣି। ଘଞ୍ଚ ଦଳ ଯୋଗୁଁ ପାଣିରେ ଡଙ୍ଗା ଚାଲିବା କଷ୍ଟକର ହେବ। ସେହିଭଳି ନୌକାବିହାର ବେଳେ ଓ ଡ଼ଙ୍ଗା ଘେରା ମାରିବା ବେ‌ଳେ ଘଞ୍ଚ ଦଳ ସମସ୍ୟା କରିବ। ଏହା ଭିତରେ ଆଉ କମ୍ ସମୟ ଥିଲେ ବି ପୋଖରୀରୁ ଦଳ ସଫା କରିବା ପାଇଁ ବ୍ୟବସ୍ଥା କରାଯାଉନାହିଁ।

ଏଥର ବି ଆସିବେନି କପିଳନାଥ

ପରମ୍ପରା ଅନୁଯାୟୀ ଚନ୍ଦନଯାତ୍ରା ଅବସରରେ ଶ୍ରୀଲିଙ୍ଗରାଜଙ୍କ ସହ କପିଳନାଥ ନୌକାବିହାର କରିବା ଯିବା ବିଧି ରହିଛି। ହେଲେ ୮ ବର୍ଷ ହେଲା ଏହି ପରମ୍ପରା ପାଳିତ ହୋଇପାରୁନାହିଁ। କପିଳେଶ୍ବର ମନ୍ଦିରରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ପ୍ରଭୁ କପିଳନାଥ ଏହି ପ୍ରସିଦ୍ଧ ଯାତ୍ରାରେ ସାମିଲ୍ ହୋଇପାରୁନାହାନ୍ତି। ପ୍ରଶାସନର ସବୁ ଉଦ୍ୟମ ସତ୍ତ୍ବେ ଏହି ପ୍ରାଚୀନ ପରମ୍ପରା ରକ୍ଷା ହୋଇପାରୁନାହିଁ। ଚଳିତ ବର୍ଷ ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିଥିବାରୁ କପିଳନାଥ ବିନ୍ଦୁସାଗରକୁ ଆସିବା ସନ୍ଦେହଘେରରେ ରହିଛି।

ଜଗତିରେ ଫାଟ, ମାଡ଼ିଗଲାଣି ଅନାବନା ଗଛ

ବିନ୍ଦୁସାଗର ପୁଷ୍କରିଣୀ ଭିତରେ ଥିବା ଜଗତି ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହାର ଚଟାଣ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟରେ ପୁଣି ଗଛଲତା ମାଡ଼ି ଗଲାଣି। ଫାଟରେ ବଢ଼ୁଥିବା ଗଛର ଚେର ଦିନକୁ ଦିନ ମୋଟା ହେଉଛି ଓ ଫାଟର ଆକାର ବଢ଼ିବାରେ ଲାଗିଛି। ତେଣୁ ଏହି ଐତିହ୍ୟସ୍ଥଳୀ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କିମ୍ବା କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ଏହାର ମରାମତି ପ୍ରତି ଦୃଷ୍ଟି ଦେଉନାହାନ୍ତି। ଅପରପକ୍ଷେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟୀକରଣ କରୁଥିବା ବେଳେ ଏହି ଜଗତି ପୁନରୁଦ୍ଧାର କାମ ବି କରିବା ଆବଶ୍ୟକ ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।

ଅନ୍ଧା‌ରରେ ବାସୁଦେବ ମନ୍ଦିର

୪ ବର୍ଷ ପୂର୍ବେ ହକି ବିଶ୍ବକପ୍‌ ବେଳେ ଏକାମ୍ର କ୍ଷେତ୍ରରେ ବ୍ୟାପକ ଆଲୋକୀକରଣ ହୋଇଥିଲା। ମାତ୍ର ଏବେ ବହୁ ମନ୍ଦିର ଅନ୍ଧାରରେ ରହିଛି। ଏକାମ୍ରକ୍ଷେତ୍ରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ଏବେ ଅନ୍ଧାର‌ରେ। ତେଣୁ ବିନ୍ଦୁସାଗରରେ ଚାପ ଖେଳ ଦେଖିବାକୁ ଆସୁଥିବା ପର୍ଯ୍ୟଟକମା‌‌ନେ ସନ୍ଧ୍ୟା ସମୟରେ ଅନ୍ଧାର ଯୋଗୁଁ ସମସ୍ୟାରେ ପଡ଼ିବେ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଯେ ଏହି ମନ୍ଦିରର ଆଲୋକୀକରଣ ପାଇଁ ବିଡିଏ କିମ୍ବା ବିଏମ୍‌ସି କେହି କିଛି ଦାୟିତ୍ବ ନେଉନାହାନ୍ତି। ତେବେ ଏନେଇ ବିଡିଏ ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe