ପୁରୁଣା ଭୁବନେଶ୍ୱର: କରୋନା ଭୟ ଯୋଗୁଁ ଚଳିତ ବର୍ଷ କଟକଣାରେ ଅଶୋକାଷ୍ଟମୀରେ ରୁକୁଣା ରଥ ଯାତ୍ରା ହେଲା। ସେହିପରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା କରାଯିବ। ଏନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଦୁଇ ଦିନ ପୂର୍ବରୁ ବିନ୍ଦୁସାଗରରେ ବୁଡ଼ି ରହିଥିବା ଦୁଇଟି ଡ଼ଙ୍ଗାକୁ ବାହାର କରାଯାଇଛି। ମହାରଣା ସେବାୟତଙ୍କ ଦ୍ବାରା ଚାପ ଡଙ୍ଗା ପ୍ରସ୍ତୁତ କରାଯିବ। ଆସନ୍ତା ୫ରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ରହିବ। ତେବେ ଡଙ୍ଗା ପ୍ରସ୍ତୁତି ସହ ଚନ୍ଦନ ଯାତ୍ରା ସରକାରଙ୍କ ଅନୁମତି ଉପରେ ନିର୍ଭର କରୁଛି।
ଆସନ୍ତା ୧୪ତାରିଖରେ ଅକ୍ଷୟ ତୃତୀୟା ଅର୍ଥାତ୍ ଚନ୍ଦନଯାତ୍ରାର ପ୍ରଥମ ଦିନ। ଏହି ଦିନରୁ କେବଳ ଶ୍ରୀଲିଙ୍ଗରାଜ ମହାପ୍ରଭୁ ନୁହେଁ ଓଡ଼ିଶାର ପୂରପଲ୍ଲୀରେ ବିଭିନ୍ନ ଠାକୁରଙ୍କ ଚନ୍ଦନ ଯାତ୍ରା ହୋଇଥାଏ। ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ୨୧ଦିନ ଧରି ହୁଏ। ତେବେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏହି ଯାତ୍ରା ୨୨ଦିନ ଧରି ହୁଏ। ଗତ ବର୍ଷ ପ୍ରଶାସନ କରୋନା କଟକଣାରେ ଚନ୍ଦନ ଯାତ୍ରା କରିଥିଲା। ଚଳିତ ବର୍ଷ ମଧ୍ୟ ସେହିପରି କଟକଣାରେ କରିବା ସମ୍ଭାବନା ରହିଛି। ଗତବର୍ଷ ମାତ୍ର ୭/୮ଜଣ ସେବାୟତଙ୍କୁ ନେଇ ଏହି ଯାତ୍ରା ୨୨ଦିନ ଧରି ସମାପନ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେବାୟତଙ୍କ କରୋନା ପରୀକ୍ଷା କରାଇ ଚନ୍ଦନ ଯାତ୍ରା କରିବା ପରମ୍ପରା ରକ୍ଷା କରାଯିବ ବୋଲି କୁହାଯାଇଛି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ କୁହନ୍ତି ରୁକୁଣା ରଥଯାତ୍ରା କରୋନା କଟକଣାରେ ହେବା ପରି ଚନ୍ଦନ ଯାତ୍ରା ପରମ୍ପରା ରକ୍ଷା ପାଇଁ ଉଦ୍ୟମ କରିବୁ। ମହାରଣାମାନଙ୍କୁ ଡକାଇ ବୈଠକ କରି ଚନ୍ଦନ ଡଙ୍ଗା କାମ ଆରମ୍ଭ କରାଯିବ। ସେବାୟତଙ୍କ କୋଭିଡ଼୍ ପରୀକ୍ଷା କରାଯାଇ ଗାଇଡ୍ଲାଇନ ଅନୁଯାୟୀ କାମ କରାଯିବ। ଏଥିପାଇଁ ବିଏମ୍ସିରୁ ଅନୁମତି ଅଣାଯିବ।
Follow Us