new indian express
ଭୁବନେଶ୍ବର: ଲୁଟ୍ପାଟ କରି ଆତଙ୍କ ଚରିଥିବା କୁଖ୍ୟାତ ଲୁଟେରା ଯୋଡ଼ିକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ କ୍ୟାପିଟାଲ୍ ଥାନା ଝରଣା ବସ୍ତିର ଚନ୍ଦନ ନାଏକ(୨୪) ଓ ୟୁନିଟ୍-୩ ଅଞ୍ଚଳର ସେକ୍ ଅଲ୍ଲୀ ଆଜମ ଓରଫ ମଲ୍ଲିକ(୩୪)। ପୁଲିସ ସେମାନଙ୍କଠାରୁ ୬ଟି ସୁନା ଚେନ୍, ଦୁଇଟି ମୁଦି, ଗୋଟିଏ ବାଇକ୍ ଜବତ କରିଛି।
ସୂଚନା ମୁତାବକ, କିଛିଦିନ ହେବ ଖଣ୍ଡଗିରି ଥାନା ଅଞ୍ଚଳରେ ଲୋକଙ୍କ ନିକଟରୁ ଭ୍ୟାନିଟି, ସୁନା ଅଳଙ୍କାର ଓ ମୋବାଇଲ ଫୋନ ଆଦି ଚୋରି କରି ଚନ୍ଦନ ଓ ମଲ୍ଲିକ ପୁଲିସ ଆଖିରୁ ନିଦ ହଜାଇ ଦେଇଥିଲେ। ବାରମ୍ବାର ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ଓ ଟିମ୍-୬୦ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଦ୍ବୟ ଏକ ବାଇକ୍ର ନମ୍ବରକୁ ବଦଳାଇ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ପାଟ କରୁଥିଲେ। ଉଭୟଙ୍କୁ ଧରିବା ପାଇଁ ପୁଲିସ ସାଦା ପୋଷାକରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶନିବାର ରାତିରେ କାବୁ କରିଥିଲା। ଚନ୍ଦନ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡ଼ିଛି। ତା’ ନାଁରେ ଖଣ୍ଡଗିରି ଓ ସହିଦନଗର ଥାନାରେ ୩ଟି ଲେଖାଏଁ ମାମଲା ଥିବା ବେଳେ ନୂଆପଲ୍ଲୀ ଥାନାରେ ୨ଟି, ବଡ଼ଗଡ଼ ଥାନାରେ ଗୋଟିଏ ଏବଂ କ୍ୟାପିଟାଲ ଥାନାରେ ୨ଟି ମାମଲା ରହିଛି।
Follow Us