ବଦଳିଲା ବରମୁଣ୍ଡା ବସଷ୍ଟାଣ୍ଡ ଡିଜାଇନ୍‌

Advertisment

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏନ୍‌ଓସି ମିଳିଲାନି

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏନ୍‌ଓସି ମିଳିଲାନି

ବଦଳିଲା ବରମୁଣ୍ଡା ବସଷ୍ଟାଣ୍ଡ ଡିଜାଇନ୍‌

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ୍‌କୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ବିଡିଏ ପକ୍ଷରୁ ନିୟୋଜିତ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟି ମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌) ଯେଉଁ ଡିଜାଇନ୍‌ ପ୍ରସ୍ତୁତ କରିଥିଲା ତାହାକୁ ବଦଳାଯାଇଛି। ଡିଆଇଏମ୍‌ଟିଏସ୍‌ ଯେଉଁ ଡିଜାଇନ୍‌ ପ୍ରସ୍ତୁତ କରିଥିଲା ସେଥିରେ ବିଲ୍‌ଡିଂର ଉଚ୍ଚତା ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ କେଁ ପୂରାଇଥିଲେ। ଏହି ବସ୍‌ ଟର୍ମିନାଲ ଉପର ଦେଇ ବିମାନଗୁଡ଼ିକ ରନ୍‌େଓ୍ଵକୁ ଯାଉଥିବାରୁ ସୁୁଉଚ୍ଚ ବିଲ୍‌ଡିଂ ବିମାନ ଅବତରଣରେ ବାଧକ ସାଜିବାର ଆଶଙ୍କା ଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ନିର୍ମାଣ ପାଇଁ ଏନ୍‌ଓସି ଦେଇ ନଥିଲେ। ଏହାପରେ ବିଲ୍‌ଡିଂର ଡିଜାଇନ୍‌ ବଦଳିଛି ବୋଲି ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡିଆଇଏମ୍‌ଟିଏସ୍‌ ବରମୁଣ୍ଡା ବସ୍‌ ଟର୍ମିନାଲ ପାଇଁ ଯେଉଁ ଡିଜାଇନ୍‌ ଦେଇଥିଲା ସେଥିରେ ବିଲ୍‌ଡିଂର ଉଚ୍ଚତା ୨୮ମିଟର ଥିଲା। ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏନ୍‌ଓସି ପାଇଁ ପଠାଯିବାରୁ ସେମାନେ ଏହାର ଉଚ୍ଚତା କମାଇବାକୁୁ କହିଥିଲେ। ଏହାପରେ ଡିଜାଇନ୍‌ ବଦଳିଛି। ଟର୍ମିନାଲର ସର୍ବାଧିକ ଉଚ୍ଚତା ୧୫ମିଟର ରହିଛି। ନୂଆ ଡିଜାଇନ୍‌କୁ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଏହାପରେ କାମ ଆରମ୍ଭ ହେବ।

ଆଗରୁ ଥିଲା ୨୮ମିଟର, ଏବେ ହେବ ୧୫ମିଟର ଉଚ୍ଚତା

ଡିଜାଇନ୍‌ ବଦଳିବା ପରେ ବରମୁଣ୍ଡା ବସଷ୍ଟାଣ୍ଡ୍‌ର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି। ୨୦୧୯, ଏପ୍ରିଲ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯୋଜନା ହୋଇଥିବାବେଳେ ଏହା ଏବେ ଘୁଞ୍ଚିବ। ୨୦୨୦ ଏପ୍ରିଲ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡ୍‌କୁ ନୂଆ ରୂପ ଦେବାକୁ ଯୋଜନା ହୋଇଥିବାବେଳେ ଏହା ଆହୁରି ୬ମାସ ଘୁଞ୍ଚିବ ବୋଲି ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଡିଏର ଯୋଜନା ଅନୁଯାୟୀ, ପ୍ରାୟ ୧୮୦କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ୍‌କୁ ଟର୍ମିନାଲ ଏବଂ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରାଯିବ। ଡିଜାଇନ୍‌ ଅନୁଯାୟୀ, ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ଡା ବସଷ୍ଟାଣ୍ଡର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସଂରକ୍ଷିତ ରହିବ। ପ୍ରସ୍ତୁତ ହୋଇଥିବା ଡିଜାଇନ୍‌ ଅନୁଯାୟୀ, ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ଅଧିକ ସଂଖ୍ୟକ ସିଟି ଥିବା ବସ୍‌ ଚଳାଚଳ କରିବ। ନୂତନ ବସ୍‌ ଟର୍ମିନାଲ୍‌ରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କିଂ, ଏଲିଭେଟର୍‌ ଓ ଏସ୍‌କ୍ଲାଭେଟର୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ପୂରା ବସଷ୍ଟାଣ୍ଡରେ ଓ୍ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସଂଯୋଗ ହେବ। ଏହି ବସଷ୍ଟାଣ୍ଡର ସ୍ୱତନ୍ତ୍ରତା ହେବ ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆର୍‌ଟିସି ଏହି ବସ୍‌ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe