ମଞ୍ଚସ୍ଥ ହେଲା ‘ଚରଣଦାସ ଚୋର’

Advertisment
ମଞ୍ଚସ୍ଥ ହେଲା ‘ଚରଣଦାସ ଚୋର’

ଭୁବ‌ନେଶ୍ବର: ହୃଦୟ ଅତ୍ୟନ୍ତ କୋମଳ ଓ ଦୟାବାନ, କିନ୍ତୁ ବୃତ୍ତି ଚୋରି। ନାଁ ଚରଣଦାସ। ପୁଲିସ ହାତରୁ ବଞ୍ଚିବା ପାଇଁ ଥରେ ଚରଣ ଜଣେ ସାଧୁଙ୍କ ଆଶ୍ରମରେ ପଶିଗଲା। ସାଧୁଙ୍କ ସହ କିଛି ସମୟ ବିତାଇବା ପରେ ତାଙ୍କ ଶିଷ୍ୟତ୍ବ ଗ୍ରହଣ କଲା। ନିଜକୁ ତ୍ୟାଗୀ ପୁରୁଷ କହି ସାଧୁଙ୍କ ଆଗରେ ୪ଟି ଜିନିଷ ତ୍ୟାଗ କରିବାର ଶପଥ ବି ନେଲା। କେବେ ସୁନା ଥାଳିରେ ଖାଇବନି, କେବେ ହାତୀ ପିଠିରେ ବସିବନି, କୌଣସି ରାଣୀଙ୍କୁ ବାହା ହେବନି କିମ୍ବା କୌଣସି ରାଜ୍ୟର ରାଜା ହେବ ନାହିଁ ବୋଲି ତ୍ରି-ବାର ଶପଥ ନେଲା। ଏପରିକି ସାଧୁଙ୍କ ନିର୍ଦ୍ଦେଶରେ ଚରଣ ଆଉ ମିଛ କହିବନି ବୋଲି ବି ପ୍ରତିଜ୍ଞା ନେଲା। ଏମିତି କିଛି ଦିନ ମଧ୍ୟରେ ଜଣେ କୁଖ୍ୟାତ ଚୋରରୁ ସତ୍ୟବାଦୀରେ ପରିଣତ ହୋଇଗଲା ଚରଣ। ରାଜ୍ୟରେ ତା’ ଯଶଖ୍ୟାତି ବଢ଼ିଲା। ରାଜ୍ୟର ରାଣୀ ତା’ ସମ୍ପର୍କରେ ଶୁଣି ତାକୁ ସାକ୍ଷାତ କଲେ। ପ୍ରଥମ ଦେଖା‌ରେ ଚରଣଙ୍କୁ ରାଣୀ ଭଲ ପାଇ ବସିଲେ। ସୁନା ଥାଳିରେ ଖାଇବା ବାଢ଼ିବା ସହ ତାକୁ ବିବାହ କରିବାକୁ ପ୍ରସ୍ତାବ ଦେଲେ। ରାଜା ହୋଇ ରାଜ୍ୟଭାର ସମ୍ଭାଳିବାକୁ ବି ଅନୁରୋଧ କଲେ। କିନ୍ତୁ ପ୍ରତିଜ୍ଞାବଦ୍ଧ ଚରଣ ଦାସ ଏବେ କରିବ କ’ଣ? ପ୍ରତିଜ୍ଞା ଭୁଲି ରାଣୀଙ୍କ ପ୍ରସ୍ତାବ ମାନିନେବ ନା ପ୍ରତ୍ୟାଖ୍ୟାନ କରି ରାଜଆଜ୍ଞା ଅମାନ୍ୟ ଅପରାଧରେ ମୃତ୍ୟୁଦଣ୍ଡ ବରଣ କରିବ? ଏ ସବୁର ଉତ୍ତର ନେଇ ଆଜି ବିଜୁ ନାଟ୍ୟ କେନ୍ଦ୍ରଠାରେ ମଞ୍ଚସ୍ଥ ‌ହୋଇଥିଲା ନାଟକ ‘ଚରଣଦାସ ଚୋର’।

ଶତାବ୍ଦୀର କଳାକାର ସ୍କୁଲ ଅଫ୍‌ ଆକ୍ଟିଂର ୨୬ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଆଜି ପରିବେଷଣ କରିଥିବା ଏହି ନାଟକର ରଚନା ପଦ୍ମଭୂଷଣ ହବିବ୍‌ ତନ୍‌ବିର କରିଥିବା ବେଳେ ଓଡ଼ିଆ ରୂପାନ୍ତର କରିଥିଲେ ଭାସ୍ବତୀ ବସୁ। କାର୍ଯ୍ୟକ୍ରମକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଗୌରହରି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶତାବ୍ଦୀର କଳାକାର ସ୍କୁଲ ଅଫ୍‌ ଆକ୍ଟିଂର ୨୬ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe