ଫେରିଛି ଚାଟଶାଳୀ: ସ୍କୁଲ୍‌ର ବିକଳ୍ପ କ୍ଲବ୍‌ ଓ କୋଠଘର

Advertisment
ଫେରିଛି ଚାଟଶାଳୀ: ସ୍କୁଲ୍‌ର ବିକଳ୍ପ କ୍ଲବ୍‌ ଓ କୋଠଘର

ବାଲିପାଟଣା: ମହାମାରୀ କରୋନା ପାଇଁ ୨ ବର୍ଷ ହେଲା ବିଦ୍ୟାଳୟରେ ତାଲା ଝୁଲୁଛି। ବିଦ୍ୟାଳୟ ଶିକ୍ଷାଦାନ ଠପ୍‌ ହୋଇଯାଇଛି। ଗ୍ରାମାଞ୍ଚଳରେ ବିଭିନ୍ନ କାରଣରୁ ଅନ୍‌ଲାଇନ୍‌ ଶିକ୍ଷାଦାନ ବିକଳ୍ପ ହୋଇପାରିନାହିଁ। ତେଣୁ ଏବେ ପୁଣି ଫେରିଛି ଚାଟଶାଳୀ ବ୍ୟବସ୍ଥା। ଡିଜିଟାଲ୍‌ ଯୁଗରେ ପୁଣି ଚାଟଶାଳୀ ପାଠପଢ଼ା ଚର୍ଚ୍ଚାର ବିଷୟ ହୋଇଛି। କଟକଣା ପାଇଁ ସ୍କୁଲ୍‌ ବନ୍ଦ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାଁରେ ଚାଟଶାଳୀ କରିଛନ୍ତି। କ୍ଲବ୍‌ ଓ କୋଠଘର ପାଲଟିଛି ଚାଟଶାଳୀ। ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ଛୋଟଛୋଟ ଭାଗରେ ବିଭକ୍ତ କରି ସେଠାରେ ପଢ଼ାଉଛନ୍ତି। ଏହି ବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀମାନେ ତଦାରଖ କରୁଛନ୍ତି।

ସରକାରଙ୍କ ତରଫରୁ ୟୁଟ୍ୟୁବ୍‌ କ୍ଲାସ୍‌, ଶିକ୍ଷା ଦର୍ପଣ, ରେଡିଓ ପାଠଶାଳା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଉଛି। ଏମିତିକି ଶିକ୍ଷକମାନେ ମୋବାଇଲ୍‌ ଫୋନ୍‌ ଯୋଗେ ଅନ୍‌ଲାଇନ୍‌ କ୍ଲାସ କରୁଛନ୍ତି। କିନ୍ତୁ ଏହା ଫଳପ୍ରଦ ହୋଇପାରିନାହିଁ। ମୋବାଇଲ୍‌ ଫୋନ୍‌ ଓ ନେଟ୍‌ୱର୍କ ସମସ୍ୟା କାରଣରୁ ବହୁ ଗରିବ ପିଲା ଅନ୍‌ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବ୍ଲକସ୍ତରରେ ଆରମ୍ଭ ହୋଇଛି ଚାଟଶାଳୀ ପାଠପଢ଼ା। ଶିକ୍ଷକ, ଶିକ୍ଷୟିତ୍ରୀମାନେ ଗାଁକୁ ଗାଁ ବୁଲି ଗ୍ରୁପ୍ କରି ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ରାଜ୍ୟ ସରକାରଙ୍କ ଏସ୍‌ଏଫ୍‌ଏଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିଛନ୍ତି। ବାଲିପାଟଣା ବ୍ଲକ୍‌ ଶିକ୍ଷା ଅଧିକାରୀ ଶୈଳାଧିରାଜତନୟା ଶତପଥୀଙ୍କ ତତ୍ତ୍ବାବଧାନରେ ବିଭିନ୍ନ ଗାଁର କ୍ଲବ୍‌ ଘର, ମହିଳା ସମିତି ଗୃହ ଓ ଖୋଲା ସ୍ଥାନରେ ପାଠପଢା ଜାରି ରହିଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସନ୍ଦେହ ମୋଚନ କ୍ଲାସ୍ କରାଯାଉଛି। ପ୍ରଥମରୁ ସବୁ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ଏହି ପ୍ରକ୍ରିୟାକୁ ତଦାରଖ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe