ଚଉଷଠି ଯୋଗିନୀ ମହୋତ୍ସବ : ମନକୁ ଛୁଇଁଲା ବଂଶୀର ମୂର୍ଚ୍ଛନା

Advertisment

ହରିପ୍ରସାଦ ଚୌରାସିଆଙ୍କୁ ‘ଚଉଷଠି ଯୋଗିନୀ ସଙ୍ଗୀତ ସୁଧା’ ସମ୍ମାନ

ହରିପ୍ରସାଦ ଚୌରାସିଆଙ୍କୁ ‘ଚଉଷଠି ଯୋଗିନୀ ସଙ୍ଗୀତ ସୁଧା’ ସମ୍ମାନ

ଚଉଷଠି ଯୋଗିନୀ ମହୋତ୍ସବ : ମନକୁ ଛୁଇଁଲା ବଂଶୀର ମୂର୍ଚ୍ଛନା

ବାଲିଅନ୍ତା : ସ୍ଥାନୀୟ ହୀରାପୁର ସ୍ଥିତ ଚଉଷଠି ଯୋଗିନୀ ପୀଠ ନାଟ୍ୟମଣ୍ଡପରେ ଚାଲିଥିବା ଅନ୍ତର୍ଜାତୀୟ ଦ୍ବାଦଶ ଚଉଷଠି ଯୋଗିନୀ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଶାସ୍ତ୍ରୀୟ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ଗୁରୁକୁଳ ଅନୁଷ୍ଠାନର ଶିଳ୍ପୀମାନଙ୍କ ମିଳିତ ବଂଶୀବାଦନର ମଧୁର ମୂର୍ଚ୍ଛନା ଉପସ୍ଥିତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ବଂଶୀରେ ଦିଗବିଜୟୀ ସିଂହ ଚୌହ୍ବାନ, ଅନିକେତ ମହାରଣା, ରାହୁଲ କୁମାର, ସନ୍ତମନ୍ୟୁ ମିଶ୍ର ସହଯୋଗ କରିଥିବା ବେଳେ ତବଲାରେ କୁଳମଣି ସାହୁ ଓ ତାନପୁରାରେ ଆନା ସିମଲ ସହଯୋଗ କରିଥିଲେ।

ଦ୍ବିତୀୟ ପ୍ରସ୍ତୁତିରେ ଆମେରିକାର ଓଡ଼ିଶୀ ଡ୍ୟାନ୍ସ ଫାଉଣ୍ଡେସନ୍‌ର ଗୁରୁ ଚିତ୍ରା କ୍ରିଷ୍ଣାମୂର୍ତି ନୃତ୍ୟ ସଂରଚନାରେ ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ଓଡ଼ିଶୀ ନୃତ୍ୟରେ ପ୍ରଥମେ ଜଗନ୍ନାଥ ମଙ୍ଗଳା ଚରଣ, ମୀନାକ୍ଷୀ ପଞ୍ଚତନ୍ତ୍ରମ ଓ ଶେଷରେ ମୋକ୍ଷ ପରିବେଷିତ ହୋଇଥିଲା। ତୃତୀୟ ପ୍ରସ୍ତୁତିରେ ରାଜଧାନୀର ଲକ୍ଷ୍ୟ ଡ୍ୟାନ୍ସ ଗ୍ରୁପର ଶିଳ୍ପୀମାନେ ଗୁରୁ କ୍ଷଣପ୍ରଭା ପରିଡ଼ାଙ୍କ ପରିଚାଳିତ ଦେବୀ ଦୁର୍ଗାଙ୍କ ବିଭିନ୍ନ ଋପଚର୍ଯ୍ୟାର ଅଙ୍ଗଭଙ୍ଗୀ ପରିବେଷଣ କରିଥିଲେ। ଚତୁର୍ଥ ସୋପାନରେ ବାଲିପାଟଣା ଟିଙ୍କିପଡ଼ାର ନାରାୟଣୀ ଗୋଟିପୁଅ କଳା ପରିଷଦର ୧୨ ଜଣ କଳାକାର ପଞ୍ଚଦେବ ସ୍ତୁତି, ସିଂହବାହିନୀ ଓ ବନ୍ଧନୃତ୍ୟ ପରିବେଷଣ କରିଥିଲେ। ସଂଗୀତ ସଂଯୋଜନା ବୀରବର ସାହୁ କରିଥିବା ବେଳେ ନୃତ୍ୟ ସଂଯୋଜନା ରହିଥିଲା ଗୁରୁ ବାବୁଲି ଭୁୟାଁ। ଶାସ୍ତ୍ରୀୟ କାର୍ଯ୍ୟକ୍ରମର ଅନ୍ତିମ ପ୍ରସ୍ତୁତିରେ ମଧ୍ୟପ୍ରଦେଶର ନୀତ ନୟନ ଲୋକ କଳାମଞ୍ଚର ଗୁରୁ କେଶବ ରାଇକ୍ବର ଓ ସାଥୀ ଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ମନଛୁଆଁ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।

ସଂଧ୍ୟାରେ ଅତିଥି ଭାବେ ନାଲକୋର ସିଏମ୍‌ଡି ତପନ କୁମାର ଚାନ୍ଦ, ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେବ ସାହୁ , ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ଓ କେନ୍ଦ୍ର ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମଞ୍ଚରେ ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ‘ଚଉଷଠି ଯୋଗିନୀ ସଙ୍ଗୀତ ସୁଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଂପାଦିକା ପ୍ରତିଭା ପଣ୍ଡା ଓ ସଭାପତି ରଜନୀ ରଂଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଞ୍ଚ ପରିଚାଳନାରେ ଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe