ଭୁବନେଶ୍ବର: ୯ ଦିନବ୍ୟାପୀ କଠୋର ଉପବାସ ପରେ ଆଜି ସରିଛି ବାସନ୍ତିକ ଦୁର୍ଗାପୂଜା ବା ଚୈତ୍ର ନବରାତ୍ର ବ୍ରତ। ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ଆରମ୍ଭ ଏହି ନବରାତ୍ରି ବ୍ରତ ଆଜି ୯ ଜଣ କୁମାରୀ କନ୍ୟାଙ୍କ ପୂଜା ପରେ ସମାପ୍ତ ହୋଇଛି। ୯ ଦିନ ଧରି ବ୍ରତ ପାଳିଥିବା ମହିଳାମାନେ ଆଜି ଘରକୁ ନବ କୁମାରୀଙ୍କୁ ଡାକି ସେମାନଙ୍କୁ ଦେବୀ ଦୁର୍ଗାଙ୍କ ରୂପରେ ସଜାଇଥିଲେ। ଧୂପ, ଦୀପ ଓ ଆଳତି କରି ବନ୍ଦାପନା କରିବା ସହ ସେମାନଙ୍କ ପୂଜା କରି ମା’ଙ୍କ ରୂପ ଭାବି ଆଶୀର୍ବାଦ ଭିକ୍ଷା କରିଥିଲେ।
ହିନ୍ଦୁମାନଙ୍କର ନବବର୍ଷର ପ୍ରଥମ ମାସ ଚୈତ୍ରମାସରେ ପଡ଼ୁଥିବା ଏହି ନବରାତ୍ର ବ୍ରତ ସାରା ଭାରତର ଅନେକ ରାଜ୍ୟ ସମେତ ଆଜି ରାଜଧାନୀ ବିଭିନ୍ନ ଆବାସିକ କଲୋନି, ଆପାର୍ଟମେଣ୍ଟ, ବସ୍ତି ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ବ୍ରତରେ ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ବରୂପକୁ ପୂଜା କରିବାର ବିଧି ପାଳନ କରାଯାଏ। ଚଳିତ ବର୍ଷ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିଲା ନବରାତ୍ରି ପୂଜା। ଏହି ଦିନ ସକାଳୁ ବ୍ରତଧାରୀମାନେ ନବଦୁର୍ଗା ପ୍ରତିମୂର୍ତ୍ତି ସମ୍ମୁଖରେ ଫୁଲ, ଅଗରୁ, ଚନ୍ଦନ, ସିନ୍ଦୂର ଆଦି ସଜାଇ ଅଖଣ୍ଡ ଦୀପ ଜାଳିବା ସହ ଘଟସ୍ଥାପନା କରି ମା’ଙ୍କ ଆବାହନ କରିଥିଲେ। ବିଶ୍ବାସ କରାଯାଏ, ମା’ ଦୁର୍ଗା ଏହି ସମୟରେ ଧରାପୃଷ୍ଟକୁ ଓହ୍ଲାଇ ଆସିବା ସହ ‘ଘଟ’ ମଧ୍ୟରେ ଅବସ୍ଥାନ କରିଥା’ନ୍ତି। ଏଣୁ ମା’ଙ୍କ ଉଦ୍ଦେଶ୍ୟରେ ପ୍ରଜ୍ଜ୍ବଳିତ ‘ଅଖଣ୍ଡ ଦୀପ’ ଏହି ୯ ଦିନରେ ଯେଉଁଭଳି ନ ଲିଭେ ସେ ନେଇ ବ୍ରତଧାରୀମାନେ ସ୍ବତନ୍ତ୍ର ଧ୍ୟାନ ଦେଇଥା’ନ୍ତି। ଏଥିସହ ଏହି ୯ ଦିନ ଫଳ ଓ ସାତ୍ତ୍ବିକ ଆହାର ଗ୍ରହଣ କରି କଠୋର ବ୍ରତ ପାଳନ କରିଥା’ନ୍ତି। ଏହି ଚୈତ୍ର ନବରାତ୍ରିକୁ ‘ରାମ ନବରାତ୍ରି’ ବି କୁହାଯାଇଥାଏ। କାରଣ ଏହାର ଶେଷ ଦିନ ବା ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପଡ଼ିଥାଏ।
Follow Us