ଆମ୍ବ ପଚାଇବାରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ମାରାତ୍ମକ ରୋଗ ଆଣୁଛି ମିଠା ଜହର

Advertisment
ଆମ୍ବ ପଚାଇବାରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ମାରାତ୍ମକ ରୋଗ ଆଣୁଛି ମିଠା ଜହର

ଜଟଣୀ: ବଜାରରେ ବର୍ତ୍ତମାନ ବିଭିନ୍ନ କିସମର ଆମ୍ବ ବହୁଳ ମାତ୍ରାରେ ବିକ୍ରି ଚାଲିଛି। ସମ୍ପ୍ରତି ଆମ୍ବ ସିଜିନ୍ ଚାଲୁଥିବାରୁ ଦର ଯେତେ ଅଧିକ ହେଲେ ମଧ୍ୟ ଗ୍ରାହକ କିଣୁଛନ୍ତି। ବଜାରରୁ ଫେରିଲା ବେଳେ ବ୍ୟାଗ୍‌ରେ ପ୍ରାୟତଃ ଆମ୍ବ ରହୁଛି। ଅଣାଯାଇଥିବା ଏହି ସୁଆଦିଆ ଆମ୍ବ ଶରୀର ପାଇଁ କେତେ ଯେ କ୍ଷତିକାରକ ତାହା ଜାଣିବା ପାଇଁ କାହା ପାଖରେ ସମୟ ନଥାଏ। କାରଣ ଏବେ ବଜାରରେ ମିଳୁଥିବା ଆମ୍ବ କ୍ୟାଲସିୟମ୍ କାର୍ବାଇଡ୍‌ ଦ୍ବାରା ପଚାଯାଇଛି। ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍‌ ବ୍ୟବହାର ଉପରେ ନିଷେଧାଦେଶ ଥିବା ସତ୍ତ୍ୱେ ବ୍ୟବସାୟୀ ମାନେ ଖୋଲାଖୋଲି ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି। ସାଧାରଣ ଲୋକଟି ଜାଣିନପାରି ବଜାରରୁ ମିଠା ଜହର କିଣୁଛି। ଫଳ ଦୋକାନୀମାନଙ୍କ ଏଭଳି କାର୍ଯ୍ୟ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀଙ୍କ ନଜର ପଡୁନାହିଁ। ଫଳରେ ଏହି କାର୍ବାଇଡ୍‌ ଦିଆ ପାଚିଲା ଫଳ ଲୋକଙ୍କୁ ରୋଗ ମୁହଁକୁ ଠେଲି ଦେଉଛି।

ବଜାରରେ ଫଳ ପଚାଇବା ପାଇଁ ବ୍ୟବହାର ହେଉଥିବା କ୍ୟାଲସିୟମ୍ କାର୍ବାଇଡ୍‌ କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ବୋଲି ଏହି ରାସାୟନିକ ପଦାର୍ଥର ବ୍ୟବହାର ଉପରେ ରୋକ୍ ଲଗାଯାଇଛି। କିନ୍ତୁ ବ୍ୟବସାୟୀମାନେ ଭଲ ବେପାର ଆଶାରେ ଲୋକଙ୍କୁ ଅତ୍ୟଧିକ କାର୍ବାଇଡ୍‌ ଦିଆ ଫଳ ବିକ୍ରି କରି ଲାଭବାନ ହେଉଛନ୍ତି। ଜଟଣୀରେ ପ୍ରାୟ ସବୁ ବ୍ୟବସାୟୀ ଆମ୍ବ, କଦଳୀ, ଲିଚୁ, ସପୁରି, ପଣସ, ଅମୃତଭଣ୍ଡା ଆଦି ଫଳକୁ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍‌ ବ୍ୟବହାର କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି, ଫଳ ପଚାଇବା ଲାଗି ବ୍ୟବସାୟୀଙ୍କୁ ଏଥିଲିନ୍ ଗ୍ୟାସ୍ ବ୍ୟବହାର କରିବାକୁ କୁହାଯାଇଛି। କିଛି ବ୍ୟବସାୟୀ ନିୟମ ମାନି ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଏଥିଲିନ୍ ଗ୍ୟାସ୍ ଦ୍ୱାରା ବିଳମ୍ବରେ ଫଳ ପାଚୁଛି। ତେବେ ନିୟମ ଅନୁସାରେ ଏଥିଲିନ୍ ଗ୍ୟାସ୍ ବ୍ୟବହାର କଲେ ଆମ୍ବ ଭଳି ଫଳ ପାଚିବାକୁ ୬ରୁ ୮ଦିନ ଲାଗିବ। ବିଶେଷ କରି ୧୦କିଲୋ ଆମ୍ବ ପଚାଇବାକୁ ୦.୫ଗ୍ରାମର ଏଥିଲିନ୍ ଗ୍ୟାସ୍ ବ୍ୟବହାର କରିବା କଥା କିନ୍ତୁ ବ୍ୟବସାୟୀମାନେ ଅଳ୍ପ ଦିନରେ କିପରି ଅଧିକ ଫଳ ପଚାଇବେ ସେଥିପାଇଁ ୦.୫ଗ୍ରାମ ବଦଳରେ ୧୦ଗ୍ରାମ ଏଥିଲିନ୍ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଯାହାକି ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ।

ଫଳ ପଚାଇବା ପାଇଁ କାର୍ବାଇଡ୍‌ ଓ ଅନ୍ୟ ରାସାୟନିକ ଦ୍ରବ୍ୟର ବ୍ୟବହାର ବନ୍ଦ ପାଇଁ ୨୦୦୬ ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟରେ ବାରଣ କରାଯାଇଛି। ସେହିପରି ୨୦୧୧ ଫୁଡ୍‌ ସେଫ୍ଟି (ପ୍ରୋହିବିସନ୍ ଆଣ୍ଡ ରେଷ୍ଟ୍ରିକ୍ସନ୍) ରେଗୁଲେସନ୍ ଅନୁଯାୟୀ କାର୍ବାଇଡ୍‌କୁ ଖାଦ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ବୋଲି ଉଲ୍ଲେଖ ରହିଛି। ମାତ୍ର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ହେଉ ନଥିବାରୁ ବ୍ୟବସାୟୀମାନେ ଏହି ଆଇନ୍‌କୁ ମାନୁନାହାନ୍ତି। କ୍ୟାଲସିୟମ୍ କାର୍ବାଇଡ୍‌ ବ୍ୟବହାର କରି ପଚାଯାଉଥିବା ଫଳ ଖାଇଲେ କ୍ୟାନ୍‌ସର, ଥାଇରଏଡ୍‌, ପାଟି ଭିତରେ ଘା’, ଆଲର୍ଜି ଆଦି ରୋଗ ଦେଖା ଦେଇଥାଏ। ଏପରିକି ବୃଦ୍ଧ ଲୋକଙ୍କ ଶରୀରରେ ଆଜ୍‌ମା ଭଳି ରୋଗ ହୋଇଥାଏ ବୋଲି ଡାକ୍ତର ମତ ଦେଇଛନ୍ତି। ଜଟଣୀର ଜଣେ ଫଳ ବ୍ୟବସାୟୀ କହିଛନ୍ତି, ରାଜ୍ୟରେ ଏଥର ଆମ୍ବ ଉତ୍ପାଦନ କମ୍ ଅଛି। ଏଥିପାଇଁ ବାହାର ରାଜ୍ୟରୁ ଆଣିବାକୁ ପଡ଼ୁଛି। ଏହାକୁ ସେଠାରୁ ପାଚିଲା ଆଣିବା ସମ୍ଭବ ନୁହେଁ, କାରଣ ସେସବୁ ଏଠାରେ ପହଞ୍ଚିବା ପୂର୍ବରୁ ପଚି ନଷ୍ଟ ହେଉଛି। ସେଥିପାଇଁ କଞ୍ଚା ଆମ୍ବ ଆଣିବାକୁ ପଡ଼େ ଓ ଏଠାରେ ରାସାୟନିକ ପଦାର୍ଥ ବ୍ୟବହାର କରି ଦିନେ କିମ୍ୱା ଦୁଇ ଦିନ ଭିତରେ ପଚାଇବାକୁ ହୁଏ। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ନିବେଦିତା ଭଟ୍ଟ କହିଛନ୍ତି, ଫଳ ଦୋକାନୀମାନେ ଫଳ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍ ବଦଳରେ ଏବେ ଏଥିଲିନ୍ ଗ୍ୟାସ୍ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ ମଧ୍ୟ କରାଯାଉଛି। କିଛି ଦିନ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe