ଭୁବନେଶ୍ୱର: ଗୁରୁବାର ସୁଦଶା ବ୍ରତ ଯୋଗୁ ମାଡ଼ ଖାଇଥିବା ଛାଡ଼ଖାଇ ଶୁକ୍ରବାରରେ ବେଶ୍ ଜମିଛି। ମାସ ସାରା ନିରାମିଷ ଖାଇ ଏହି ଦିନକୁ ଅପେକ୍ଷା କରିଥିବା ଗ୍ରାହକ ମନଭରି ଆମିଷ ଖାଇଛନ୍ତି। ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ହୋଇଥିଲା। ସହରରୁ ଉପକଣ୍ଠ ପର୍ଯ୍ୟନ୍ତ ସବୁଠି ଗ୍ରାହକ ଆମିଷ ବଜାରରେ ଭିଡ଼। ତଥାପି ରବିବାର କିଛି ଲୋକ ଛାଡ଼ଖାଇ ପାଳିବାକୁ ଥିବାରୁ ଆମିଷ ବଜାର ମଧ୍ୟ ସେଥିପାଇଁ ପ୍ରସ୍ତୁତ ରହିଛି।
ଶୁକ୍ରବାର ସକାଳୁ ହୋଟେଲ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଗ୍ରାହକ ନିଜ ନିଜ ପସନ୍ଦର ଆମିଷ ବଜାରରେ ପହଞ୍ଚି ଯାଇଥିଲେ। ଦେଶୀ ମାଛ ଓ ଭଲ ଖାସି ମାଂସ ପାଇବା ଆଶାରେ ସେମାନେ ଯଥାସମ୍ଭବ ସଅଳ ଆସିବାକୁ ଉଦ୍ୟମ କରିଥିଲେ। ଭୋର ଭୋରରୁ ପ୍ରାୟ ୩୦ ପ୍ରତିଶତ ଆମିଷ ବିକ୍ରି ହୋଇସାରିଥିଲା। ୪ ନମ୍ବର, ୮ ନମ୍ବର ଆମିଷ ବଜାରଠାରୁ ଅନ୍ୟ ହାଟଗୁଡ଼ିକରେ ଖାସି ମାଂସ ସହିତ ସବୁ ଆମିଷରେ କିଲୋ ପିଛା ୨୦ରୁ ୪୦ ଟଙ୍କା ଯାଏ ଅଧିକ ଥିଲା। ପୂର୍ବବର୍ଷ ୫ କୋଟି ଟଙ୍କାର ଆମିଷ କାରବାର ହୋଇଥିବା ବେଳେ ଚଳିତ ବର୍ଷ ୪ କୋଟିର ଆମିଷ ବେପାର ହୋଇଛି। ଚଳିତ ବର୍ଷ କୋଟିଏ ୨୭ ଲକ୍ଷ ୫୦ ହଜାର ଟଙ୍କାର ୪୨.୫ଟନ୍ ମଟନ୍ ବିକ୍ରି ହୋଇଥିବା ବେଳେ କୋଟିଏ ୧୧ଲକ୍ଷ ୨୫ ହଜାର ଟଙ୍କାର ଚିକେନ୍, ଦେଢ଼ ଲକ୍ଷ ଟଙ୍କାର ଓ ୩୨ ଲକ୍ଷ ୫୫ ହଜାର ଟଙ୍କାର ଅଣ୍ଡା ବିକ୍ରି ହୋଇଛି।
ରବିବାର ବି ଜମିବ ବେପାର
ପୂର୍ବ ବର୍ଷ ଅପେକ୍ଷା ବେପାର କମିଛି: ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ
ନେଇଗଲେ ୪୨.୫ ଟନ୍ ମଟନ୍
୪ କୋଟିର ଆମିଷ ବେପାର
ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘର ରାଜ୍ୟ ସଭାପତି ସେଖ୍ ମୁନ୍ତାକିମ୍ ବକ୍ସଙ୍କ କହିବା କଥା, ୧୦ଗାଡ଼ିରେ ଆସିଥିବା ୧୦୦ ଟନ୍ ମାଛ, ୭୫ ପିକଅପ୍ ଗାଡ଼ିରେ ୧୫ଟନ୍ ଚିକେନ, ୧୭ଟି ପିକଅପ୍ ଗାଡ଼ିରେ ଛେଳି ଓ ଖାସି ଆସିଥିଲା। ସେହିପରି ୭ଟି ଗାଡ଼ିରେ ୩୫୦ କାଟୁନ୍ ଅଣ୍ଡା ଆସିଥିଲା। ବେପାରୀମାନେ ବଲାଙ୍ଗୀର, ନୟାଗଡ଼, ଦଶପଲ୍ଲା, କାକଟପୁର ଓ ନିମାପଡ଼ା ଅଞ୍ଚଳରୁ ଛେଳି ଆଣିଥିଲେ। ଏହା ଯଥେଷ୍ଟ ହେଉ ନଥିବାରୁ ପଶ୍ଚିମବଙ୍ଗର ନର୍ଖୁଲ୍ଡଙ୍ଗା, ମାଲ୍ଦା, କ୍ଷେତ୍ରିପୁରରୁ ଛେଳି ଆସିଥିଲା। ଖୋର୍ଦ୍ଧା, ନିମାପଡ଼ା, ଗୋପ ଭଳି ଉପକୂଳିଆ ଅଞ୍ଚଳର ଖାସି ମାଂସର ଚାହିଦା ଅଧିକ ଥିଲା। ତେବେ ଚଳିତ ଛାଡ଼ଖାଇରେ ଖାସି ମାଂସ ଦର ବଢ଼ିନାହିଁ। ପୂର୍ବରୁ ଯାହା ଥିଲା, ଛାଡ଼ଖାଇରେ ମଧ୍ୟ ସେତିକିରେ ବିକ୍ରି ହୋଇଛି।
ଆଜି ଆନ୍ଧ୍ର ମାଛ, ଦେଶୀ ମାଛ ସବୁର ଚାହିଦା ଥିଲା। ଆନ୍ଧ୍ର ରୋହି, ଭାକୁଡ଼ କିଲୋ ପିଛା ୧୭୦ରୁ ୨୩୦ ଟଙ୍କା ରହିଥିବା ବେଳେ ଉପକୂଳିଆ ରୋହି, ଭାକୁଡ଼, ମିରକାଳି ମାଛ କିଲୋ ୨୨୦ ଟଙ୍କା ଥିଲା। ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲ୍ଲା, ସୋରଡ଼ା ଡ୍ୟାମ୍ରୁ ଆଜି ରାଜଧାନୀକୁ ମାଛ ଆସିଥିଲା। ପ୍ରତିଦିନ ରାଜଧାନୀକୁ ୬ଟି ମାଛ ଗାଡ଼ି ଆସୁଥିବା ବେଳେ ଛାଡ଼ଖାଇ ପାଇଁ ମାଛ ଗାଡ଼ି ଅଧିକ ଆସିଥିଲା। ଚିଙ୍ଗୁଡ଼ି କାରବାର ମଧ୍ୟ ଭଲ ରହିଥିଲା। ୧୮୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚିଙ୍ଗୁଡ଼ି ବିକ୍ରି ହେଉଥିଲା। ପୋହଳା କିଲୋ ୧୯୦ରୁ ୨୩୦, ଲୁଣି ଭେକ୍ଟି ୫୦୦ରୁ ୭୦୦ ଟଙ୍କା ଥିଲା।
Follow Us