ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Advertisment
ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷ: ବିକାଶ ରାସ୍ତାରେ ବିପର୍ଯ୍ୟୟ ବାଧକ

ପୁରୁଣା ଭୁବନେଶ୍ୱର : ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟୀକରଣ କାମର ସମୀକ୍ଷା କରିବା ଥିଲା ଏହି ଗସ୍ତର ଉଦ୍ଦେଶ୍ୟ। ତେବେ ବୁଧବାରର ସୁରକ୍ଷା ବଳୟ ଥିଲା ଭିନ୍ନ ଧରଣର। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏକାମ୍ରକ୍ଷେତ୍ର ଗସ୍ତବେଳେ ଏଭଳି କଡ଼ା ସୁରକ୍ଷା କେବେ ଦେଖା ଯାଇନଥିଲା। ମୁଖ୍ୟମନ୍ତ୍ରୀଙ୍କୁ ବାରିକେଡ୍‌ ବାହାରକୁ ଯିବାକୁ ଦିଆ ଯାଇନଥିଲା। ସେ କେବଳ ବାରିକେଡ୍‌ ଭିତରେ ରହି ସମୀକ୍ଷା କାର୍ଯ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ପାଖରେ ବ୍ୟକ୍ତିଗତ ସଚିବ ଭି. କେ ପାଣ୍ଡିଆନ୍‌, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ କିଛି ପୁଲିସ ଅଧିକାରୀ ଥିଲେ। ଏମିତିକି ସେବାୟତମାନେ ମଧ୍ୟ ବାରିକେଡ୍‌ ବାହାରେ ରହି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ତେବେ କୌଣସି ଅଘଟଣ ଆଶଙ୍କାରେ ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇନଥିଲା ବରଂ ମହାମାରୀ କରୋନା ସତର୍କତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଚାରି କଡ଼ରେ ଏହି ପ୍ରାଚୀର ଛିଡ଼ା କରାଯାଇଥିଲା।

publive-image

ଆକ୍ଟ ଲାଗୁ ହେଲେ କ’ଣ ହେବ
ଏହି ସ୍ବତନ୍ତ୍ର ଆକ୍ଟ ଲାଗୁ ହେଲେ ବିଭିନ୍ନ ଜାନିଯାତ୍ରା ସମୟରେ ଓ ଅନ୍ୟାନ୍ୟ ସମୟରେ ଦେଖା ଯାଉଥିବା ବିବାଦର ସମାଧାନ ପାଇଁ ସହଜ ବାଟ ଫିଟିବ। ସେହିପରି ଠାକୁରଙ୍କ ଜମିକୁ ନେଇ ହେଉଥିବା ବିବାଦ ଏହି ଆକ୍ଟ ଯୋଗୁଁ ସହଜରେ ସମାଧାନ ହୋଇପାରିବ। ଏଥି ସହ ମନ୍ଦିର ପରିଚାଳନା ପାଇଁ ବେଳେବେଳେ ଦେଖା ଯାଉଥିବା ଆର୍ଥିକ ସଙ୍କଟର ମଧ୍ୟ ସହଜ ସମାଧାନ ହୋଇପାରିବ। ବର୍ଷେ ହେଲା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସ୍ବତନ୍ତ୍ର ଆକ୍ଟ ପ୍ରସ୍ତୁତି ପାଇଁ କସରତ ଆରମ୍ଭ ହୋଇଛି। ପୂଜା ବିଧି, ନୀତିକାନ୍ତି ଓ କାମ ଅନୁସାରେ ସେବାୟତଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଠାକୁରଙ୍କ ମୋଟ୍ ଜମି ଓ କେଉଁ ସେବାୟତଙ୍କ ଅଧୀନରେ କେତେ ଅଛି, ରାଜସ୍ବ ବିଭାଗ ସେସବୁର ଅନୁଧ୍ୟାନ କରୁଛି। ଏଥିପାଇଁ ଦେବୋତ୍ତର ବିଭାଗର ଜିଲ୍ଲା ନୀରିକ୍ଷକ ମନ୍ଦିର କାର୍ଯ୍ୟାଳୟକୁ ଆସି ସବୁ ନିଯୋଗର ମୁଖ୍ୟଙ୍କୁ ଭେଟି ତାଲିକା ନେଇଛନ୍ତି। ତେବେ ଏହି କାର୍ଯ୍ୟର ବେଗକୁ ତ୍ବରାନ୍ବିତ କରାଇବାକୁ ଆଜି ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ଯିବା ପରେ ଜମିଲା ବେପାର
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ସବୁ ଉଠା ଦୋକାନୀଙ୍କୁ ଉଠାଇ ଦିଆଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଫେରିଯିବା ପରେ ପରେ ପୁଣି ସବୁ ଉଠା ଦୋକାନ ବସିଥିଲା। ରାତି ପାହିଲେ ମାର୍ଗଶିର ମାସ ଗୁରୁବାର ପବିତ୍ର ମାଣ ବସା ପର୍ବ ଆରମ୍ଭ ହେଉଥିବାରୁ ପୂଜା ସାମଗ୍ରୀ କିଣା ବିକା ପାଇଁ ଲୋକେ ପ୍ରବଳ ଭିଡ଼ କରିଥିଲେ।

ରାସ୍ତା ଦୁଇ କଡ଼ରେ ବାରିକେଡ୍‌
ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ମୁଖ୍ୟମନ୍ତ୍ରୀ ଆସିବା ପାଇଁ ରାସ୍ତାର ଦୁଇ କଡ଼ରେ ବାରିକେଡ୍‌ ଲଗାଯାଇଥିଲା। ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ସିଲ୍‌ କରା ଯାଇଥିଲା। ମୁଖମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ଦିର ଚାରିପଟ ବିନ୍ଦୁସାଗର ରାସ୍ତାକୁ ସାନିଟାଇଜ୍‌ କରାଯାଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବାରିକେଡ୍‌ ଭିତରେ ରହି ଏହି ଗସ୍ତ ସାରିଥିଲେ। ତେଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ହୋଇଥିବା କରୋନା ସୁରକ୍ଷା ବଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ସରଗରମ ଚର୍ଚ୍ଚା ହୋଇଥିଲା।

publive-image

ତୁରନ୍ତ ସ୍ବତନ୍ତ୍ର ଆକ୍ଟ୍‌ ହେଉ, ‌ସେବାୟତଙ୍କ କଥା ବୁଝାଯାଉ
ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ‌ରେ ପହଞ୍ଚିବା ପରେ ମନ୍ଦିର ନିକଟରେ ଉପସ୍ଥିତ ସେବାୟତମାନେ ତାଙ୍କ ପ୍ରଶଂସା କରିଥିଲେ। ଏମିତି କାମ କେଉଁ ମୁଖ୍ୟମନ୍ତ୍ରୀଙ୍କ ବେଳେ ହୋଇ ନାହିଁ ବୋଲି ବଡ଼ ପାଟିରେ କହିଥିଲେ। ତେବେ କରୋନା ସଂକଟବେଳେ ସେବାୟତଙ୍କ ସମସ୍ୟା ବଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ସେବାୟତଙ୍କ କଥା ବୁଝନ୍ତୁ ବୋଲି ଅନୁରୋଧ କରିଥିଲେ। ଏଥିସହିତ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ବତନ୍ତ୍ର ଆକ୍ଟ୍‌ ତୁରନ୍ତ ଲାଗୁ କରାଇବାକୁ ସେମାନେ ଦାବି କରିଥିଲେ। ଏହାଦ୍ବାରା ସେବାୟତ ପରିବାରର ସବୁ ସମସ୍ୟା ସମାଧାନ ହୋଇପାରିବ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe