ଅପହରଣ ନାଟକ କରି ପ୍ରେମିକା ସହ ଫେରାର୍ ଘଟଣା: ଜେଲ୍ ଗଲା ଚିକୁନ୍

Advertisment
ଅପହରଣ ନାଟକ କରି ପ୍ରେମିକା ସହ ଫେରାର୍ ଘଟଣା: ଜେଲ୍ ଗଲା ଚିକୁନ୍

ଅପହରଣ ମାମଲା ସମେତ ଲାଗିଲା ୧୦ ଦଫା
ଭଏସ୍ ମେସେଜ୍ ପଠାଇଥିବା ମୋବାଇଲ, ବାଇକ୍ ଜବତ

ଧଉଳି : ନିଜ ଜାଲରେ ନିଜେ ଫସିଲା। ଶେଷରେ ଜେଲ୍ ଗଲା ନିଜ ଅପହରଣ ନାଟକ ନିଜେ ରଚିଥିବା ପତିତପାବନ ପୃଷ୍ଟି ଓରଫ୍‌ ଚିକୁନ୍। ପୁଲିସ ତା’ ବିରୋଧରେ ଅପହରଣ ସମେତ ୧୦ଟି ଦଫା ଲଗାଇବା ସହ ଶୁକ୍ରବାର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତା’କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା।

ପୁଲିସ ସୂଚନା ଅନୁସାରେ, ଚିକୁନ୍ ଯେଉଁ ଅପହରଣ ନାଟକ ତିଆରି କରିଥିଲା; ତାହା ଅତି ସାଂଘାତିକ ଥିଲା। ଛୁରାମାଡ଼ ସହ ଗାଡ଼ିରେ ଟେକି ନେବା, ଟଙ୍କା ଛଡ଼ାଇବା, ଜୀବନରୁ ମାରିଦେବାର ଧମକ ଭଳି ମିଛ କାହାଣୀ ତିଆରି କରିଥିଲା। ଏଥିରେ ସାଧାରଣ ଲୋକ ଭୟଭୀତ ହେବା ସହ ପୁଲିସକୁ ନା‌େକଦମ୍ ହେବାକୁ ପଡ଼ିଥିଲା। ତେଣୁ ଏ ନେଇ ଚିକୁନ୍ ବିରୋଧରେ ଆଇପିସିର ଦଫା ୧୨୦(ବି), ୧୮୨, ୨୦୧, ୨୧୧, ୩୬୪, ୪୧୭, ୪୧୮, ୪୧୯, ୫୦୪ ଓ ୫୦୫ ଦଫାରେ ମାମଲା ରୁଜୁ ହୋଇଛି। ସେହିପରି ଯେଉଁ ମୋବାଇଲରୁ ସେ ପତ୍ନୀ ଅହଲ୍ୟାଙ୍କ ପାଖକୁ ହ୍ବାଟ୍‌ସଆପ୍‌ରେ ଭଏସ୍ ମେସେଜ୍ ପଠାଇଥିଲା ତାହାକୁ ମଧ୍ୟ ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ ଚିକୁନ୍ ମିଛ ଅପହରଣ ନାଟକ ତିଆରି କରି ପରିବାର ଲୋକ ଓ ପୁଲିସକୁ ବିଭ୍ରାନ୍ତ କରିଥିଲା। ତାକୁ ଲିଙ୍ଗିପୁର ନଦୀବନ୍ଧର ନିକାଞ୍ଚନ ରାସ୍ତାରେ କିଛି ଯୁବକ ଛୁରାମାଡ଼ କରି ଅପହରଣ କରି ନେଉଛନ୍ତି ବୋଲି ପତ୍ନୀ ପାଖକୁ ଭଏସ୍ ମେସେଜ୍ ପଠାଇଥିଲା। ତହିଁ ପରଦିନ ସେ ଯୋଜନା ମୁତାବକ ଗୋପ ବେଦପୁର ଅଞ୍ଚଳର ପ୍ରେମିକାକୁ ଧରି ଉତ୍କଳ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ନିଜାମୁଦ୍ଦିନ୍ ଅଭିମୁଖେ ଯାଉଥିଲା। ତେବେ ଖବର ପାଇ ମଧ୍ୟପ୍ରଦେଶର କଟନୀ ଷ୍ଟେସନ ନିକଟରେ ଆରପିଏଫ୍ ଉଭୟଙ୍କୁ ଅଟକ ରଖିଥିଲା। ଗତକାଲି ଧଉଳି ଥାନା ପୁଲିସ ଉଭୟଙ୍କୁ ଧରି ଭୁବନେଶ୍ବରରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe