ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ଘର ସିଲ୍, ପୀଡ଼ିତାଙ୍କ ଡାକ୍ତରୀମାଇନା

ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ଘର ସିଲ୍, ପୀଡ଼ିତାଙ୍କ ଡାକ୍ତରୀମାଇନା

ଭୁବନେଶ୍ବର: ଆଲବମ୍ ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କ ହାତଗୋଡ଼ ବାନ୍ଧି ରାତିସାରା ଦୁଷ୍କର୍ମ କରିବା ଏବଂ ଏହାକୁ ରେକର୍ଡିଂ କରିବା ମାମଲାକୁ ୨୪ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ୍‌ ହାତ ଖାଲି। ଅଭିଯୁକ୍ତ ପ୍ରଯୋଜକ ଓ ସୁଟିଂ କରିଥିବା କ୍ୟାମେରାମ୍ୟାନ୍‌ ଜିଲ୍ଲା ଛାଡ଼ି ଅନ୍ୟତ୍ର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ନାବାଳିକାର ଆଜି କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତରୀମାଇନା କରାଯାଇଥିବା ବେଳେ ଆସନ୍ତା ସୋମବାର କୋର୍ଟରେ ତାଙ୍କର ବୟାନ ରେକର୍ଡ ହେବ ବୋଲି ପୁଲିସ ସୂଚନା ଦେଇଛି। ଅପରପକ୍ଷେ, ଆଜି ସଂଧ୍ୟାରେ ମହିଳା କମିସନ୍‌ର ଅଧ୍ୟକ୍ଷା ମିନତି ବେହେରା ଭରତପୁର ଥାନାକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ହେବ ବୟାନ ରେକର୍ଡ
ମହିଳା କମିସନ୍ ଅଧ୍ୟକ୍ଷାଙ୍କ ତଦନ୍ତ
ବନ୍ଦ ଘରୁ ପୋଷାକ, ପ୍ରେସ୍ ବୁମ୍, କ୍ୟାମେରା, ଟ୍ରାଇପଡ୍ ଷ୍ଟାଣ୍ଡ୍ ଜବତ

ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘର ଭରତପୁର ଶିବ ମନ୍ଦିର ଗଳିସ୍ଥିତ ଘରକୁ ଭରତପୁର ଥାନା ପୁଲିସ ଆଜି ସିଲ୍ କରିଛି। ପ୍ରଥମେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘରକୁ ଯାଇ ଛାନଭିନ୍ କରିଥିଲା। ଉକ୍ତ ଘରୁ ସାଇଣ୍ଟିଫିକ୍ ଟିମ୍ ବେଡସିଟ୍, କପଡ଼ା, ଅନ୍ତବସ୍ତ୍ର, ପୁଲିସ ପୋଷାକ, ନକଲି ବନ୍ଧୁକ, ପ୍ରେସ୍ କାର୍ଡ ଓ ବୁମ୍, କ୍ୟାମେରା ଓ ଟ୍ରାଇପଡ୍ ଷ୍ଟାଣ୍ଡ୍ ଜବତ କରାଯାଇଛି। ସେଗୁଡ଼ିକୁ ସାଇଣ୍ଟଫିକ୍ ଟିମ୍ ପରୀକ୍ଷାଗାରକୁ ନେଇ ଟେଷ୍ଟିଂ ଆରମ୍ଭ କରିଛି। ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରମାଣ ଆଧାରରେ ବ୍ୟବହାର କରାଯିବ ବୋଲି ପୁଲିସ କହିଛି।

ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରିଥିବା ବେଳେ ଘଟଣାସ୍ଥଳକୁ ଆଜି ଏସିପି ସଂଜୀବ ଶତପଥୀ, ରଜତ ରାୟଙ୍କ ସମେତ ଭରତପୁର ଥାନା ପୁଲିସ ଆସି ତଦନ୍ତ କରିଥିଲେ। ଏପରିକି ଅଭିଯୁକ୍ତଙ୍କର ମୋବାଇଲ ନମ୍ବର ଟ୍ରାକ୍ କରିବାରୁ ତା’ ଭରତପୁର ବସ୍ତିରେ ହିଁ ସୁଇଚ୍ ଅଫ୍ ହୋଇଥିବା ଦେଖାଉଛି। ତେଣୁ ଅଭିଯୁକ୍ତ ଘଟଣା ପରେ ତୁରନ୍ତ ମୋବାଇଲ୍ ବନ୍ଦ କରି ଜିଲ୍ଲା ଛାଡ଼ି ଅନ୍ୟତ୍ର ପଳାଇଥିବା ପୁଲିସ ସନ୍ଦେହ କରୁଛି। ଗୋଟେ ଟିମ୍ ଭରତପୁରର ବସ୍ତିରେ ବିଭିନ୍ନ ଲୋକଙ୍କୁ ଅଭିଯୁକ୍ତଙ୍କ ସମ୍ବନ୍ଧରେ ପଚରାଉଚରା କରୁଥିବା ଆଉ ଏକ ଟିମ୍ ଜିଲ୍ଲା ବାହାରେ ବିଭିନ୍ନ ଜାଗାରେ ଚଢ଼ଉ କରୁଛି।

ସୂଚନାଯୋଗ୍ୟ, ପ୍ରେମିକାର ପ୍ରତ୍ୟାଖ୍ୟାନ ପାଇଁ ଆତ୍ମହତ୍ୟା କରିଥିବା ମଡେଲ୍ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଜୀବନୀକୁ ନେଇ ଏକ ଦୁଃଖପୂର୍ଣ୍ଣ ଆଲବମ୍ ସୁଟିଂ ହେବାର ଥିଲା। ଏଥିରେ ନାବାଳିକା ସୋନାଲି ନନ୍ଦଙ୍କ ଭୂମିକାରେ ଅବତୀର୍ଣ୍ଣ କରିଥାନ୍ତେ। ମାତ୍ର ମନ୍ଦିରରେ ଏକ ବାହାଘର ସିନ୍ ପରେ ତାଙ୍କୁ ଭରତପୁରସ୍ଥିତ ଏକ ବସ୍ତିକୁ ନେଇ ରାତିତମାମ ଦୁଷ୍କର୍ମ ଓ ଏହାର ରେକର୍ଡିଂ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe