ଚନ୍ଦ୍ରଶେଖରପୁର: ଶେଷ ରଜ ଥିବାରୁ ବସ୍ତିରେ ଥିଲା ଖୁସିର ଆସର। ମାତ୍ର ଏହି ଖୁସିକୁ ଯେପରି ଗ୍ରହଣ ଲାଗିଯାଇଥିଲା। ଛ’ ଦିନ ହେବ ଘରକୁ ଫେରିନାହାନ୍ତି ରାଜା ଓ ଦେବଜାନୀ। ଏପଟେ ଘରେ ଚୁଲି ଜଳୁନି। ମା’ ଆଖିରୁ ଲୁହ ଶୁଖୁନି। ଖରା ଛୁଟି ବଢ଼ିଯାଇଥିବାରୁ ହସଖୁସିରେ ସାଙ୍ଗମାନଙ୍କ ସହିତ ଖେଳୁଥିଲେ ଉଭୟ ଶିଶୁ। ମାତ୍ର ତା ପରଠାରୁ ସେମାନଙ୍କ ପତ୍ତା ମିଳୁନି। ଘଟଣା ଘଟିଛି ଇନଫୋସିଟି ଥାନା ଅଧୀନ ଚିର୍ଗାଲଟଲା ବସ୍ତିରେ। ବସ୍ତିର ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ ଉଭୟ ଶିଶୁ। ଖୋଜ୍ ଖବର ନେଇଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା। ସାରା ବସ୍ତିରେ ପିଲା ଚୋରି ଆତଙ୍କ ଖେଳିଯାଇଥିଲା। ନିଖୋଜ ହୋଇଥିବା ଦୁଇ ଶିଶୁ ହେଲେ ସେହି ବସ୍ତିର ମୁନା ସୋରେନଙ୍କ ପୁଅ ରାଜା (୧୦) ଓ ବୁଧିଆ ହେମ୍ବ୍ରମ୍ଙ୍କ ଝିଅ ଦେବଜାନୀ (୬)। ସବୁଠି ନିରାଶ ହେଲା ପରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ ଦୁଇ ପରିବାର। ଗତ ୧୬ ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ୬ ଦିନ ହୋଇଯାଇଥିଲେ ମଧ୍ୟ ଏଯାଏଁ ସେମାନଙ୍କ ଖବର ମିଳିନି। ବସ୍ତିବାସିନ୍ଦା ଏନେଇ ନାନା ଆଶଙ୍କା ଭିତରେ ବୁଡ଼ି ରହିଛନ୍ତି। ଘଟଣା ସମ୍ପର୍କରେ ଥାନା ଆଇଆଇସି ବିଜୟିନୀ ସିଂ ସୂଚନା ଦେଇ କହିଛନ୍ତି ଯେ ଏନେଇ ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଛି। ଘଟଣାକୁ ଗୁରୁତ୍ୱର ସହିତ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ରେଳ ଷ୍ଟେସନ ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଦୁଇ ପିଲାଙ୍କ ଫଟୋ ସହ ପୋଷ୍ଟର୍ ଲଗାଯାଇଛି। ମାତ୍ର ଏଯାଏ ଦୁଇ ଶିଶୁଙ୍କର କୌଣସି ପତ୍ତା ମିଳି ନଥିବା ପୁଲିସ୍ ସୂଚନା ଦେଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us