ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ମୋବାଇଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପଡ଼ିଛି। ଏହା ବିଭିନ୍ନ କାର୍ଯ୍ୟକୁ ସହଜ କରିବା ସହିତ ପିଲମାନଙ୍କର ମନୋରଞ୍ଜନ କରୁଛି। ହେଲେ ଏହା ଯେପରି ଆମକୁ ନିୟନ୍ତ୍ରଣ ନକରୁ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ବିଶେଷକରି ଅଭିଭାବକମାନେ ପିଲାମାନେ କେତେ ସମୟ ମୋବାଇଲ ଧରୁଛନ୍ତି ସେଥିପ୍ରତି ଦାୟିତ୍ୱବାନ ରହିବା ଉଚିତ୍। ଝାରପଡ଼ାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ବିଦ୍ୟାଳୟ ପରିସରରେ ଆୟୋଜିତ ଶିଶୁଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ସମ୍ୱାଦ ଓ କନକ ନ୍ୟୁଜ୍ର ସମ୍ପାଦକ ତନୟା ପଟ୍ଟନାୟକ। ଏଥିସହିତ ସେ ପିଲାମାନଙ୍କୁ ଫାଷ୍ଟଫୁଡ୍ ଅଧିକ ନଖାଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଅଭିଭାବକମାନଙ୍କୁ ପିଲାଙ୍କ ଭିତରେ ଥିବା ପ୍ରତିଭା ଜାଣି ସେହି ଦିଗରେ ତାଙ୍କୁ ପ୍ରୋତ୍ସାହିତ କରିବାକୁ କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ବିଦ୍ୟାଳୟ ଅଧ୍ୟକ୍ଷା ସରିତା ମନ୍ତ୍ରୀ, ସଭାପତି ମହେନ୍ଦ୍ରନାଥ ସ୍ୱାଇଁ, ସମ୍ପାଦକ ରଘୁନାଥ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ଶିକ୍ଷାଗତ ସଫଳତା ସହିତ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ।
ଶିଶୁ ଦିବସ ଅବସରରେ ହୋଇଥିବା ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଭୁ ଶ୍ରୀରାମ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ଜବାହରଲାଲ ନେହରୁଙ୍କ ଭଳି ମହାପୁରୁଷ ଓ ବୃକ୍ଷ ଭଳି ବିଭିନ୍ନ ବେଶ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ସେହିପରି ପିଲାମାନେ ମଧ୍ୟ ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ ସୁଲୋଚନା ଧଳ ମଞ୍ଚ ପରିଚାଳନା କରିଥିଲେ। ସନ୍ଦୀପ ବାରିକ ଓ ଆସ୍ଥା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Follow Us