ଆଜିଠାରୁ ‘ଅଞ୍ଜଳି’ : ସୁପରହିରୋ ଦୁନିଆରେ ବୁଲିବେ ପିଲାଏ

Advertisment
ଆଜିଠାରୁ ‘ଅଞ୍ଜଳି’ : ସୁପରହିରୋ ଦୁନିଆରେ ବୁଲିବେ ପିଲାଏ

ଭୁବନେଶ୍ୱର : ଶିଶୁ ମହୋତ୍ସବର ମହାସମାରୋହ ‘ଅଞ୍ଜଳି’  ମଙ୍ଗଳାରଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ସୁପରହିରୋର ବାର୍ତା ନେଇ ପିଲାଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଛି ‘ସ୍ୱାଭିମାନ’। ଏହି ନିଆରା କାର୍ଯ୍ୟକ୍ରମରେ ୬୯୦୦ ପିଲା ସାମିଲ୍‌ ହେବେ। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲା ଓ ୮ଟି ସ୍ୱେଚ୍ଛାସେବୀ ସଂଗଠନ ସମେତ ଭାରତର ୧୪ଟି ରାଜ୍ୟର ପିଲାମାନେ ଅଂଶଗ୍ରହଣ କରିବେ। ସେହିପରି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ସମେତ ନେପାଳ ଓ ଆଫଗାନିସ୍ତାନରୁ ମଧ୍ୟ ପିଲାମାନେ ଅଂଶଗ୍ରହଣ କରିବେ ବୋଲି ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଶ୍ରୁତି ମହାପାତ୍ର କହିଛନ୍ତି।

ସକାଳୁ କାର୍ଣ୍ଣିଭାଲ୍‌ରୁ ଆରମ୍ଭ ହେବ ଅଂଜଳିର ଯାତ୍ରା। ଏଥର ସୁପରହିରୋ ଥିମ୍‌ ସହ ଜିରୋ ଓ୍ଵଷ୍ଟ୍‍ ଫେଷ୍ଟିଭାଲ୍‌ର ବାର୍ତା ଦେବ ଅଞ୍ଜଳି। ଅଞ୍ଜଳି ପାଇଁ ବିନିଯୋଗ ହୋଇଥିବା ସମସ୍ତ ଜିନିଷକୁ ଏଣେତେଣେ ନ ଫିଙ୍ଗି ଏସ୍‌ଜିଆର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସହଯୋଗରେ ଜିରୋ େଓ୍ଵଷ୍ଟ୍‍ରେ ପରିଣତ କରାଯିବ। ୧୫ରୁ ୧୮ ପର୍ଯ୍ୟନ୍ତ ଭଂଜ କଳାମଣ୍ଡପରେ ବାଇସ୍କୋପ୍‌ କାର୍ଯ୍ୟକ୍ରମରେ ଧନକ୍‌, କଭି ପାସ୍‌ କଭି ଫେଲ୍‌ ଓ ସ୍ପାଏ କିଡ୍‌ସ ଭଳି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିସହ କାଗଜ କାରିଗରୀ, ଜଳ ବଞ୍ଚାଇବା କୌଶଳ, ପରିବେଶକୁ ଜାଣିବା ପାଇଁ ସ୍ୱତନ୍ତ୍ର କର୍ମଶାଳା କରାଯିବ। ଆର୍କିଟେକ୍‌ ମୀନାକ୍ଷୀ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯିବ। ଏଥିସହ ଡାକଟିକଟ ପ୍ରଦର୍ଶନୀ, ଆକ୍ୱାରିଅମ, ଟେଲିସ୍କୋପ୍‌ ଜରିଆରେ ତାରା ଦେଖିବାର ଅବକାଶ, ସ୍ପୋର୍ଟ୍‌ସ ଜୋନ୍‌, ସାଡୋ ସୋ, ଡଗ୍‌ ଫ୍ୟାସନ୍‌ ସୋ, ଅଜା ନାତି କାହାଣୀ, ରୋଲର ସ୍କେଟିଂ ଭଳି ପିଲାଙ୍କୁ ମୁଗ୍ଧ କଲା ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ। ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳା ଅନ୍ୟତମ ଆକର୍ଷଣ ସାଜିବ। ଆଜି ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୁତି ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe