ଚନ୍ଦ୍ରଶେଖରପୁର: ସାମାଜିକ ଅନୁଷ୍ଠାନ ଆଇନା ଓ ୟୁନିସେଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ‘କଲ୍ଲୋଳ-୨୦୨୨’ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଜଳବାୟୁ ପରିବର୍ତ୍ତନ ଓ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ’ ବିଷୟରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ୯ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସମୁଦାୟ ୪୭ଜଣ ପିଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱରେ ହେଉଥିବା ସମସ୍ୟା ଓ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ଉପରେ ଆଧାରିତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି, ସମ୍ମାନିତ ଅତିଥିଭାବେ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ, ଅନ୍ତର୍ଜାତୀୟ ଚେସ୍ ଖେଳାଳି ପଦ୍ମିନୀ ରାଉତ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ଓଏସସିପିସିଆରର ଅଧ୍ୟକ୍ଷା ମନ୍ଦାକିନୀ କର, ଉଡ୍ରାର ସମ୍ପାଦିକା ତଥା କୋଷାଧ୍ୟକ୍ଷ ଶୁଭ୍ରାଜ୍ୟୋତି ହାତୀ ଯୋଗଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ୟୁନିସେଫ୍ର ଓଆଇସି ସୁଗାତା ରାୟ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ, ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା, ପାର୍ଟନର୍ସ ଭାବେ ୟୁଥ୍ ଫର୍ ୱାଟର୍ର ସଦସ୍ୟ ସ୍ଟାଲେନ୍ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ତିନୋଟି ସ୍କୁଲର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଫିଲ୍ମଗୁଡ଼ିକୁ ପ୍ରସ୍ତୁତ କରିଥିବା ତିନୋଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିଶୁ କଳାକାର ଆଶି ଓ ସ୍ୱୟମ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ସ୍ମ୍ରିତି ମହାନ୍ତି ଧନ୍ୟବାଦ ଦେଇଥିଲେ।
Follow Us