ଥମୁନି ଚିଣ୍ଟୁ ହତ୍ୟା ମାମଲା ତାତି: ମିଲୁକୁ ଗିରଫ ଦାବିରେ ରାସ୍ତାରୋକ

Advertisment
ଥମୁନି ଚିଣ୍ଟୁ ହତ୍ୟା ମାମଲା ତାତି: ମିଲୁକୁ ଗିରଫ ଦାବିରେ ରାସ୍ତାରୋକ

ଭୁବନେଶ୍ବର: ଚିଣ୍ଟୁ ହତ୍ୟା ମାମଲାକୁ ୪ ଦିନ ବିତି ଯାଇଥିଲେ ହେଁ ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଥିବା ଆକ୍ରୋଶ ଥମିବାର ନାଁ ନେଉନି। ଏହି ଘଟଣାକୁ କେନ୍ଦ୍ର କରି ଆଜି ପୁଣିଥରେ ପ୍ରେସ୍‌ ଛକରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ମୁଖ୍ୟ ଅଭିଯୁକ୍ତ ମିଲୁକୁ ଶୀଘ୍ର ଗିରଫ କରିବା, ନିକଟରେ ଥିବା ଏକ ଗାଡ଼ି ସୋ’ରୁମ୍‌ର ମାଲିକ ଓ କାର୍ଯ୍ୟରତ ୨ ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଗାଡ଼କଣବାସୀ ପାଖାପାଖି ଘଣ୍ଟାଏ କାଳ ରାସ୍ତାରୋକ କରିଥିଲେ। ଫଳରେ ଅପରାହ୍‌ଣ ୫ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ଘଣ୍ଟାଏ କାଳ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ବିକ୍ଷୋଭକାରୀଙ୍କ ଅଭିଯୋଗ, ହତ୍ୟାକାଣ୍ଡ ଦିନ ଗିରଫ ହୋଇଥିବା ଦୁଇଅଭିଯୁକ୍ତ ସୋ’ ରୁମ୍‌ ଭିତରକୁ ପଶି ଯାଇଥିଲେ। ଆଉ ସେଠାରେ ଥିବା ଦୁଇ ଜଣ ଯୁବତୀ ସେମାନଙ୍କୁ ସୁରକ୍ଷା ଦେଇଥିଲେ। ଯୁବତୀମାନେ ଅଭିଯୁକ୍ତଦ୍ବୟଙ୍କୁ ସେମାନଙ୍କ ଭାଇ ବୋଲି ପରିଚୟ ଦେଇଥିଲେ। କେଉଁ ଉଦ୍ଦେଶ୍ୟରେ ଯୁବତୀଦ୍ବୟ ସେମାନଙ୍କୁ ସୁରକ୍ଷା ଦେଉଥିଲେ? ସେମାନଙ୍କର ଏ ଘଟଣା ସହ କ’ଣ ସମ୍ପୃକ୍ତି ରହିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ପ୍ରଶ୍ନ କରିଥିଲେ। ହତ୍ୟାକାଣ୍ଡ ଦିନଠାରୁ ସେଠାରେ ଥିବା ୩୭ ଦୋକାନ ମଧ୍ୟରୁ ୩୬ଟି ଦୋକାନ ଖୋଲୁଛି। ଅଥଚ ଉକ୍ତ ସୋ’ରୁମ୍‌ ଖୋଲୁ ନାହିଁ। ତୁରନ୍ତ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ସୋ’ରୁମ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ସେହିପରି ମୃତ ଚିଣ୍ଟୁଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ମଧ୍ୟ ଦାବି କରାଯାଇଥିଲା। ଖବର ପାଇ ସହିଦନଗର ଓ ଚନ୍ଦ୍ରଶେଖର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆଇଆଇସି ହିମାଂଶୁ ସ୍ବାଇଁ ଓ ଆଇଆସି ପ୍ରଦୀପ ରାଉତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣା ଉପରେ ଆଲୋଚନା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ପ୍ରତିନିଧିମଣ୍ଡଳୀଙ୍କୁ ସମୟ ଦେଇଛନ୍ତି। ସେହିପରି ମୁଖ୍ୟ ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଉତ୍ତ୍ୟକ୍ତ ଲୋକ ବିକ୍ଷୋଭରୁ ଓହରିଥିଲେ ଓ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe