ନନ୍ଦନକାନନରେ ବଡ଼ଦିନ ଫିକା, ଖାଁ ଖାଁ ଉଦ୍ଭିଦ ଉଦ୍ୟାନ

Advertisment
ନନ୍ଦନକାନନରେ ବଡ଼ଦିନ ଫିକା, ଖାଁ ଖାଁ ଉଦ୍ଭିଦ ଉଦ୍ୟାନ

ବାରଙ୍ଗ: ପ୍ରତିବର୍ଷ ଭଳି ଏଥର ନନ୍ଦନକାନନରେ ବଡ଼ଦିନର ଭିଡ଼ ପରିଲକ୍ଷିତ ହେଲା ନାହିଁ। ମହାମାରୀ କରୋନା କଟକଣା ହଟିଥିଲେ ମଧ୍ୟ ଏଥର ପର୍ଯ୍ୟଟକଙ୍କ ଗହଳଚହଳ ହେଲା ନାହିଁ। ପୂର୍ବରୁ ଯେଉଁଠି ପାଖାପାଖି ୩୫ ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା ଓ ପ୍ରାୟ ୧୫ ଲକ୍ଷ ଟଙ୍କାର ଟିକେଟ୍‌ ବିକ୍ରି ହେଉଥିଲା, ଏଥର ସେଠି ପର୍ଯ୍ୟଟକ ୧୦ ହଜାର ଟପିଲା ନାହିଁ କି ଟିକେଟ୍‌ ବିକ୍ରିରୁ ଟଙ୍କା ପାଞ୍ଚ ଲକ୍ଷ ମିଳିଲା ନାହିଁ। ଫଳରେ ସ୍ଥାନୀୟ ବ୍ୟବସାୟୀମାନଙ୍କ ବର୍ଷକର ଏକ ବଡ଼ ବେପାର ଘାଟା ଖାଇଗଲା। ତେଣୁ ଏଥର ନନ୍ଦନକାନନରେ ବଡ଼ଦିନ ଫିକା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

ଆଜି ବଡ଼ଦିନ ପାଇଁ ଉଭୟ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ଖାଁ ଖାଁ ଲାଗୁଥିଲା। ପ୍ରାଣୀ ଉଦ୍ୟାନକୁ ମାତ୍ର ୬୭୬୯ଜଣ ପର୍ଯ୍ୟଟକ ବୁଲି ଆସିଥିଲେ। ସେମାନଙ୍କ ମଧ୍ୟରୁ ୪୧୮ଜଣ ଅନ୍‌ଲାଇନ୍‌ରେ ଟିକେଟ୍ କିଣିଥିଲେ। ଯେଉଁଠି ୩୫ ହଜାର ଦର୍ଶକଙ୍କ ଭିଡ଼ ହୁଏ, ଏଥର ସେଠି ମାତ୍ର ୬ ଭାଗରୁ ଭାଗେ ପର୍ଯ୍ୟଟକ ଥିଲେ। ତେବେ ବଟାନିକାଲ୍‌ ଗାର୍ଡେନ୍‌ ଚିତ୍ର ଥିଲା ବଡ଼ ଦୁଃଖଦ। ଏତେ ବଡ଼ ସୁନ୍ଦର ଉଦ୍ୟାନରେ ମାତ୍ର ୮୫୧ଜଣ ବୁଲିଥିଲେ। ବଣଭୋଜି ପାଇଁ କଟକଣା ଥିବାରୁ ଅବଶ୍ୟ ଏହି ଉଦ୍ୟାନକୁ କମ୍ ଦର୍ଶକ ଆସିଥିଲେ। କିନ୍ତୁ ବଡ଼ଦିନ ଭଳି ଦିନରେ ଏତେ କମ୍‌ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି କେହି ଆଶା କରିନଥିଲେ। ତେଣୁ ପୂରା ଉଦ୍ୟାନ ଖାଁ ଖାଁ ଲାଗୁଥିଲା। ଯେତିକି ବି ପର୍ଯ୍ୟଟକ ସେଠାକୁ ଯାଇଥିଲେ, ଖୁବ୍‌ କମ୍ ସମୟ ରହି ନିଛାଟିଆ ଭୟରେ ଫେରି ଯାଇଥିଲେ।

କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, କରୋନା କଟକଣା ପାଇଁ ଦୀର୍ଘ ୭ମାସ ବନ୍ଦ ରହିବା ପରେ ଗତ ଅକ୍ଟୋବର ୪ତାରିଖରେ ନନ୍ଦନକାନନ ଖୋଲିଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଟିକେଟ୍‌ ବିକ୍ରି ସଂଖ୍ୟା ୫ ହଜାରକୁ ଛୁଇଁ ନଥିଲା। କରୋନା ଭୟ ଥିବା ସତ୍ତ୍ବେ ଆଜି ପ୍ରାୟ ୭ ହଜାର ଟିକେଟ୍‌ ବିକ୍ରି ହୋଇଛି। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଟିକେଟ୍‌ରୁ ପ୍ରାୟ ୩ଲକ୍ଷ ଟଙ୍କା ମିଳିଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ୩୨ ହଜାର ୪୩୦ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ସୂଚନା ମିଳିଛି। ପୂର୍ବ ବର୍ଷ ଭଳି ଭିଡ଼ ହୋଇନଥିଲେ ମଧ୍ୟ ଆଜି ବଡ଼ଦିନରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ ମସିହା ବଡ଼ଦିନରେ ୩୪,୯୧୪ ଖଣ୍ଡ ଟିକେଟ ବିକ୍ରି ହୋଇଥିଲା ଓ ୧୪ ଲକ୍ଷ ୮୨ ହଜାର ୮୮୬ ଟଙ୍କା ମିଳିଥିଲା। ଉଲ୍ଲେଖଯୋଗ୍ୟ, ନନ୍ଦନକାନନ ଭଳି ଅନୁରୂପ ଅବସ୍ଥା ଘଟିଛି ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରି ଓ ଡେରାସରେ। ଗୋଡ଼ିବାରିରେ ୧୧୩ ଖଣ୍ଡ ଟିକେଟ ବିକ୍ରି ବାବଦକୁ ୪୦ ହଜାର ଟଙ୍କା ଓ ଡେରାସରେ ୫୬୫ ଖଣ୍ଡ ଟିକେଟ ବିକ୍ରି ହିସାବରେ ୪୯ହଜାର ୮୬୫ ଟଙ୍କା ଆଦାୟ ହୋଇଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୭ ଗୁଣା କମ୍ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe