ରାଜଧାନୀ ଉପକଣ୍ଠ ଚୂଡ଼ଙ୍ଗଗଡ଼ : ଜାଣନ୍ତିନି ଲକଡାଉନ୍‌

Advertisment

କାମଧନ୍ଦା ନାହିଁ, ଦୁଇ ଓଳି ଖାଇବାକୁ ମିଳୁନି, ଆଜି ଯାଏ ପହଞ୍ଚିନି ସରକାରୀ ସହାୟତା

କାମଧନ୍ଦା ନାହିଁ, ଦୁଇ ଓଳି ଖାଇବାକୁ ମିଳୁନି, ଆଜି ଯାଏ ପହଞ୍ଚିନି ସରକାରୀ ସହାୟତା

ରାଜଧାନୀ ଉପକଣ୍ଠ ଚୂଡ଼ଙ୍ଗଗଡ଼ : ଜାଣନ୍ତିନି ଲକଡାଉନ୍‌

ଚନ୍ଦ୍ରଶେଖରପୁର : ବ୍ୟାପି ଚାଲିଛି ମହାମାରୀ କରୋନା। ଯେଉଁଥିପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଲକ୍‌ଡାଉନ୍‌। ଲୋକେ ଘରୁ ପଦାକୁ ଗୋଡ଼ କାଢ଼ି ପାରୁନାହାନ୍ତି। ମାତ୍ର ଭୁବନେଶ୍ବର ଉପକଣ୍ଠରେ ଏମିତି ଏକ ଗାଁ ରହିଛି, ଯେଉଁଠାକାର ଲୋକେ କରୋନା ଓ ଲକଡାଉନ୍‌ ସମ୍ପର୍କରେ କିଛି ବି ଜାଣନ୍ତି ନାହିଁ। ଖାଲି ଏତିକି ଜାଣନ୍ତି ଯେ କ’ଣ ଗୋଟେ ମହାମାରୀ ରୋଗ ବ୍ୟାପିଛି, ଯେଉଁଥିପାଇଁ କାମଧନ୍ଦା ବନ୍ଦ ରହିଛି। ଦୋକାନ ବଜ଼ାର ଖୋଲୁନି। ଏମିତି ସମୟରେ ସରକାରୀ ସଚେତନତା ସେମାନଙ୍କ ପାଇଁ ଅପହଞ୍ଚ। ରାଜଧାନୀ ଉପକଣ୍ଠ ହୋଇଥିଲେ ମଧ୍ୟ ନା ଏଠି ଅଛି ସାମାଜିକ ଦୂରତା, ନା’ ମୁହଁରେ ମାସ୍କ ବାନ୍ଧିବାର କଟକଣା। ଦୁଇଓଳି ଖାଇବାକୁ ମିଳୁ ନଥିବାରୁ କାନ୍ଦୁଲ ଚକଟା, ଶାଗ ଓ ତୋରାଣୀରେ ଏବେ ସେମାନଙ୍କ ଜୀବନ କଟୁଛି।

publive-image

ଏମିତି ସ୍ଥିତିରେ‌ ଦିନ କାଟୁଛନ୍ତି ରାଜଧାନୀ ଉପକଣ୍ଠ ଚୂଡ଼ଙ୍ଗଗଡ଼ର ଲୋକ। ସେମାନଙ୍କ ଚାଲିଚଳଣୀ ଦେଖିଲେ କେହି ବି କହିବେନି, ରାଜଧାନୀ ଉପକଣ୍ଠରେ ସେମାନେ ରହୁଛନ୍ତି ବୋଲି। ଲାଗୁଛି ସତେଯେମିତି କୌଣସି ଉପାନ୍ତ ଅଞ୍ଚଳରେ ଏମାନେ ବସବାସ କରୁଛନ୍ତି। ବଡ଼ କଥା ହେଉଛି ଯେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଗରିବ ଲୋକଙ୍କୁ ଖାଦ୍ୟ ଓ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ଚୂଡ଼ଙ୍ଗଗଡ଼ରେ ଏଯାବତ୍‌ କୌଣସି ବ୍ୟକ୍ତିଙ୍କ ପାଦ ପଡ଼ିନାହିଁ। ସାଧାରଣ ଦିନରେ ମଧ୍ୟ ଏଠାକାର ଲୋକେ ନିଜ ପାଇଁ ଦିନକୁ ଦୁଇ ଓଳା ଖାଦ୍ୟ ଯୋଗାଡ଼ କରିପାରନ୍ତି ନାହିଁ। ଏବେ ଲକ୍‌ଡାଉନ୍‌ ବେଳେ ସେମାନେ କିପରି ଅଛନ୍ତି, ସେମାନଙ୍କ ଜୀବନ କିପରି ବିତୁଛି, ସେଥିପ୍ରତି କାହାର ନଜର ନାହିଁ। କରୋନା ପ୍ରଭାବ ଏବେ ସେମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସାଜିଛି।

publive-image

ଦୀପତଳ ଅନ୍ଧାର ଭଳି ଦାରୁଠେଙ୍ଗ ପଞ୍ଚାୟତ ଅଧୀନରେ ଥିବା ଏହି ଚୂଡ଼ଙ୍ଗଗଡ଼ ଆଦିବାସୀ ଗାଁଠାରୁ କୌଣସି ଗୁଣରେ କମ୍ ନୁହେଁ। ବାରଙ୍ଗ ଥାନା ଛକ ନିକଟରୁ ମାତ୍ର ୩ କିଲୋମିଟର୍ ଦୂର ଚନ୍ଦକା ଅଭୟାରଣ୍ୟ ଭିତରେ ରହିଛି ଏହି ‘ଚୂଡ଼ଙ୍ଗଗଡ଼’। ଯେଉଁଠି ଆଜି ବି ଆଦିବାସୀମାନେ ରହୁଛନ୍ତି। ସେମାନେ ରହୁଥିବା ସ୍ଥାନରେ ଗୋଡ଼ି ରାସ୍ତା, ଗାଧୋଇବା ପାଇଁ ପଥର ଖୋଲ ରହିଛି। ବିଦ୍ୟୁତ୍‌ ସଂଯୋଗ ସେମାନଙ୍କ ପାଇଁ ସାତସପନ। ଏଠାକାର ଲୋକେ ଖଟିଲେ ଖାଆନ୍ତି। ସେମାନଙ୍କୁ ସବୁବେଳ ମଧ୍ୟ କାମ ମିଳେ ନାହିଁ। ଚନ୍ଦକା ଅଭୟାରଣ୍ୟକୁ ଲାଗି ବିରାଟକାୟ ପାହାଡ଼ଘେରା ଚୂଡ଼ଙ୍ଗଗଡ଼ ଭିତରେ ୭ଟି ପଡ଼ା (ସାହି) ରହିଛି। ପାଞ୍ଚମାଣିଆଁ, ପୋଖରୀପଡ଼ା, ପାଚିରି ପଡ଼ା, ହାତୀ ଗାଧୁଆ, ବଙ୍ଗାଳି ପଡ଼ା, କାଟିଣି ପଡ଼ା ଓ ମୁଣ୍ଡାଖୋଲ ସାହିରେ ସାନ୍ତାଳ, ମୁଣ୍ଡା, କନ୍ଧ ଓ ଯୁଆଙ୍ଗ ଭଳି ପ୍ରାୟ ୫୦୦ ଆଦିବାସୀ ୨୫ ବର୍ଷରୁ ଅଧକ ସମୟ ଧରି ଉକ୍ତ ସ୍ଥାନରେ ରହୁଛନ୍ତି। ସେମାନଙ୍କ ମୂଳ ଜନ୍ମ ମାଟି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲମାନଗିରିର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋଇଥିବା ବେଳେ ରୋଜଗାର ଆଶାରେ ଚାଲି ଆସି ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଭିତରେ ରହୁଛନ୍ତି। ଅଭୟାରଣ୍ୟ ହାତୀ ରେଞ୍ଜ ଓ କରିଡର୍‌ ନିର୍ମାଣ ପରେ ସେମାନଙ୍କୁ ବିସ୍ଥାପିତ କରାଯାଇ ଚୂଡ଼ଙ୍ଗଗଡ଼ ଜଙ୍ଗଲ ଭିତରକୁ ସ୍ଥାନାନ୍ତର କରାଯାଇଛି। ସ୍ବାସ୍ଥ୍ୟସେବା ଏଠାରେ ସ୍ବପ୍ନ ପାଲଟିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ମୁନା ମାରାଣ୍ଡି କୁହନ୍ତି, ଏହି ଅଞ୍ଚଳରେ କରୋନା ସଚେତନତା ବୋଲି କିଛି ନାହିଁ। ବର୍ତ୍ତମାନ ସମୟରେ ଖାଇବାକୁ ଖାଦ୍ୟ ନ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଠାରେ ସରକାରୀ ସହାୟତା ସ୍ବପ୍ନ ପାଲଟିଛି। ରାଜଧାନୀ ନିକଟରେ ଥିବା ଏପରି ଅଞ୍ଚଳକୁ ନେତା, ମନ୍ତ୍ରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି କେବଳ ନିର୍ବାଚନ ସମୟରେ ଆସିଥାନ୍ତି। ବରିଷ୍ଠ ନାଗରିକ ଧିରୁଆ ଶବରଙ୍କ କହିବାନୁଯାୟୀ, ଆଜିକୁ ୨୫ଦିନ ହୋଇଗଲା କାମ ବନ୍ଦ। ଅର୍ଥ ନଥିବାରୁ ଜଙ୍ଗଲ ବାହାରକୁ ଯାଇ ତେଜରାତି ଆଣି ହେଉନି। ଏମିତି ଚାଲିଲେ ଆଦିବାସୀଙ୍କ ଜୀବନ ଭୋକ ଉପାସରେ ଏହି ଜଙ୍ଗଲ ଭିତରେ ଚାଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe