The Straits Times
ଭୁବନେଶ୍ବର: ସିଆଇଏସ୍ଏଫ୍ ଯବାନ ପରିଚୟ ଦେଇ ସାଇବର ଠକ ଜଣେ ଯୁବକଙ୍କଠାରୁ ୨୦ ହଜାର ଟଙ୍କା ଠକି ନେଇଛି। କମ୍ ଦାମରେ ଆସବାବପତ୍ର ବିକିବା ଲୋଭ ଦେଖାଇ ଠକ ଯୁବକଙ୍କୁ ଚୁନ ଲଗାଇଛି। ଠକାମୀର ଶିକାର ହୋଇଥିବା କୋରାପୁଟର ଯୁବକ କୋରାପୁଟ୍ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ନକଲି ସିଆଇଏସ୍ଏଫ୍ କର୍ମଚାରୀକୁ ଖୋଜୁଛି।
ସୂଚନାନୁସାରେ ସାଇବର ଠକ ଫେସବୁକ୍ରେ ମନଜିତ୍ ସିଂହ ନାମରେ ଏକ ଆକାଉଣ୍ଟ ଖୋଲିଥିଲା। ସେ ଓଡ଼ିଶାରୁ ଅନ୍ୟତ୍ର ବଦଳି ହେଉଥିବାରୁ ତା’ ଘରର ଦାମୀ ଖଟ, ଟିଭି, ଲାପଟପ୍, ଫ୍ରିଜ୍, ଏସି ଭଳି ସାମଗ୍ରୀ ବିକ୍ରି କରିବା ପାଇଁ ଫେସ୍ବୁକ୍ରେ ବିଜ୍ଞାପନ ଦେଇଥିଲା। କମ୍ ଦାମ୍ରେ ବିକିବାକୁ ଥିବା ଜିନିଷ ସବୁର ପ୍ରଥମ ଗ୍ରାହକଙ୍କୁ ଅଧିକ ୧୦ ପ୍ରତିଶତ ରିହାତି ଦେବ ବୋଲି ବିଜ୍ଞାପନରେ ପ୍ରେଲୋଭନ ଦେଖାଇଥିଲା ଓ ଧାର୍ଯ୍ୟ ଦାମର ୧୦ ପ୍ରତିଶତ ଅଗ୍ରୀମ ଆକାରରେ ମାଗିଥିଲା। ବିଜ୍ଞାପନ ତଳେ ଏକ ଫୋନ୍ ନମ୍ବର ୮୪୮୦୬୯୮୮୧୫ ଦେଇଥିଲା। କୋରାପୁଟର ଉକ୍ତ ଅଭିଯୋଗକାରୀ ଯୁବକ କିଛି ଜିନିଷ କିଣିବାକୁ ଯାଇ ତା’ ଆକାଉଣ୍ଟରେ ୨୦ ହଜାର ଟଙ୍କା ଜମା ଦେଇଥିଲେ। ମାତ୍ର ଟଙ୍କା ପାଇଯିବା ପରେ ମନଜିତ୍ ଗାଏବ୍ ହୋଇଯାଇଥିଲା। ଏମିତିକି ତା’ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ତେଣୁ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ନକଲି ସିଆଇଏସ୍ଏଫ୍ ଯବାନ ଫେସ୍ବୁକ୍ରେ ସୁନୀଲ କୁମାର, ଅବଦେଶ କୁମାର ଭଳି ଏକାଧିକ ଫେକ୍ ଆକାଉଣ୍ଟ୍ ଖୋଲିଥିଲା। ତେଣୁ ଆହୁରି କିଛି ଲୋକ ତା’ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଛି।
Follow Us