ହରପ୍ରିୟା ପୃଷ୍ଟି

ଖଣ୍ଡଗିରି: କମି କମି ଯାଉଛି ସହରର ଚାଷଜମି। ଭୁବନେଶ୍ବର ମହାନଗର ଆଖପାଖରେ ବିଭିନ୍ନ କିସମର ଜମି ଘରବାରିରେ ପରିଣତ ହେବାରେ ଲାଗିଛି। ସେଠାରେ ରାତାରାତି ଛିଡ଼ା ହେଉଛି କୋଠା। ଉପକଣ୍ଠ ଏବେ କଂକ୍ରିଟ୍ ଜଙ୍ଗଲ ହେଉଛି। ଲିଜ୍ ଜମିରେ ବି ଛିଡ଼ା ହେଉଛି ଉଚ୍ଚ ଅଟାଳିକା। ସହରର କଳେବର ବଢ଼ୁଛି ସିନା, ହେଲେ ଶୃଙ୍ଖଳିତ ଭାବେ ବଢ଼ୁନାହିଁ। ମାତ୍ରାଧିକ ବେଆଇନ ନିର୍ମାଣ ଏହି ବର୍ଦ୍ଧିତ କଳେବରକୁ ବିଗାଡ଼ି ଦେଉଛି। ରାଜଧାନୀରେ ଘରଖଣ୍ଡିଏ ପାଇଁ ସମସ୍ତଙ୍କର ଇଚ୍ଛା। ତେଣୁ ଅଧିକାଂଶ ଲୋକ ଏବେ ଭୁବନେଶ୍ବରମୁହାଁ। ଭୁବନେଶ୍ବରରେ ୧ଲକ୍ଷ ୫ହଜାର ୩୬୨ ଏକର ଜମିରୁ ୫୯,୧୫୭.୪୭୦ ଏକର ସରକାରୀ ଓ ୪୬ ହଜାରରୁ ଅଧିକ ଏକର ବେସରକାରୀ ଜମି ରହିଛି। ପ୍ରତିବର୍ଷ ବେସରକାରୀ ଜମିର କିସମ ବଦଳୁଛି। ୨୦୨୪ରେ ୮୮ଏକରରୁ ଅଧିକ ଜମିର କିସମ ପରିବର୍ତ୍ତନ ହୋଇଥିବା ବେଳେ ୨୦୨୫ ଡିସେମ୍ବର ସୁଦ୍ଧା ୧୧୩ଏକର ଜମିର କିସମ ବଦଳିଛି। ଅର୍ଥାତ୍ ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରାୟ ୩୦ ଏକର ଅଧିକ ଜମିର କିସମ ବଦଳି ଘରବାରି ହୋଇଛି। ତେବେ, ସହର ଯେଉଁ ଢଙ୍ଗରେ ବଢ଼ିବା କଥା ସେଭଳି ବଢ଼ୁନାହିଁ।

Advertisment

Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର

ଚାଷ ଜମିର କିସମ ବଦଳି ଘରବାରି ହୋଇଯାଉଛି, କିନ୍ତୁ ଯେଉଁ ରାସ୍ତା ବ୍ୟବହାର ପାଇଁ ହେଉଛି, ତାହାର କିସମ କେଉଁଠି ଗୋଚର, ଜଳାଶୟ କିମ୍ବା ଜଙ୍ଗଲ ରହୁଛି। ଏଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। କିସମ ପରିବର୍ତ୍ତନ ହୋଇନଥିବାରୁ ଏହାର ଉନ୍ନତୀକରଣ ସମ୍ଭବ ହେଉନାହିଁ। ୟେ ତ ଗଲା ବ୍ୟକ୍ତିଗତ ବା ଘରୋଇ ନିର୍ମାଣ କଥା। ସରକାରୀ ସଂସ୍ଥା(ବିଡିଏ, ହାଉସିଂ ବୋର୍ଡ) ଗତ ୫୦ ବର୍ଷରେ ଯେଉଁ ସବୁ ଆବାସିକ ଯୋଜନାରେ ଲୋକଙ୍କୁ ଘର ଯୋଗାଇ ଦେଇଛି ତାହା ବି ଶୃଙ୍ଖଳିତ ହୋଇନାହିଁ। ଏଗୁଡ଼ିକ ସମ୍ପୂର୍ଣ୍ଣ ଆବାସିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ଏଥିରେ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଲାଣି। ଶୃଙ୍ଖଳିତ ଢଙ୍ଗରେ ସହର ବଢ଼ୁ ନଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା କଥା, ଯିଏ ଯେଉଁଠି ପାରୁଛି ଘର ନିର୍ମାଣ କରି ଦେଉଛି। ପରେ ରାସ୍ତା, ଡ୍ରେନ୍ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ନେଇ ବିଚାର ହେଉଛି। ଫଳରେ କେଉଁଠି ଜଙ୍ଗଲ ଜମିରେ ରାସ୍ତା ତିଆରି ହେଉଛି ଓ କେଉଁଠି ଜଳାଶୟରେ ଘର ବାରଣ୍ଡା। ଯାହାର ଫଳ ସ୍ବରୁପ ସହର ଖରାଦିନେ ଅସହ୍ୟ ଗରମ ଅନୁଭୂତ ହେଉଛି।

New Year: ସ୍ମାର୍ଟଫୋନ୍‌-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍‌ କାର୍ଡ’ର ଚାହିଦା