କରୋନା ବେଳେ ଦେବଦୂତ ପାଲଟିଛି ସିଟି କଲ୍ ସେଣ୍ଟର

Advertisment
କରୋନା ବେଳେ ଦେବଦୂତ ପାଲଟିଛି ସିଟି କଲ୍ ସେଣ୍ଟର

ଆସିଲାଣି ଲକ୍ଷାଧିକ ଲୋକଙ୍କ କଲ୍‌
ମୋଟ୍ କଲ୍ ସଂଖ୍ୟା ୩ ଲକ୍ଷ ଟପିଲା
ରାତିଅଧରେ ବି ଯୋଗାଉଛି ସହାୟତା

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ଦେବଦୂତ ପାଲଟିଛି ସିଟି କଲ୍ ସେଣ୍ଟର। କଲ୍‌ଟିଏ ପାଇବା ମାତ୍ରେ ରାତି ଅଧରେ ବି କରୋନା ଆକ୍ରାନ୍ତଙ୍କୁ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି କଲ୍ ସେଣ୍ଟର କର୍ମଚାରୀ। ଗତ ବର୍ଷ ମାର୍ଚ୍ଚ ୨୫ରୁ କାର୍ଯ୍ୟକ୍ଷମ ହୋଇଥିବା ସିଟି କଲ୍‌ ସେଣ୍ଟରର କଲ୍‌ ସଂଖ୍ୟା ଇତିମଧ୍ୟରେ ୩ ଲକ୍ଷ ଟପିଲାଣି। ଗତକାଲି ସୁଦ୍ଧା କଲ୍‌ ସେଣ୍ଟରକୁ ୧ ଲକ୍ଷ ୨୧ ହଜାର ୪୨୮ ଟି କଲ୍‌ ଆସିଥିବା ବେଳ‌େ ସେଣ୍ଟର ନିଜଆଡ଼ୁ ଲୋକଙ୍କୁ ୧ ଲକ୍ଷ ୮୧ ହଜାର ୨୭୮ ଟି କଲ୍‌ କରିଛି। ଅର୍ଥାତ୍‌ ମୋଟ ୩ ଲକ୍ଷ ୨ ହଜାର ୭୦୬ଟି କଲ୍‌କୁ କଲ୍‌ ସେଣ୍ଟର ପରିଚାଳନା କରିଛି। ବଡ଼ କଥା ହେଉଛି; ୮ ହଜାର ୨୭ ରୋଗୀଙ୍କୁ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ ପହଞ୍ଚାଇବାରେ କଲ୍‌ ସେଣ୍ଟର ସହାୟତା କରିଛି। କଲ୍‌ ସେଣ୍ଟରର ଏଭଳି ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବା ସହ ଏହାର ପରିସରକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ।

ସୂଚନା ଅନୁଯାୟୀ, କଲ୍‌ ସେଣ୍ଟର ପକ୍ଷରୁ ୧ ଲକ୍ଷ ୪୪ ହଜାର ୫୩ କରୋନା ଆକ୍ରାନ୍ତଙ୍କୁ କଲ୍ କରାଯାଇଥିଲା। ସେମାନଙ୍କର ସ୍ଥିତି ସମ୍ବନ୍ଧରେ ସୂଚନା ସଂଗ୍ରହ କରିବା ସହ ଆବଶ୍ୟକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ସେହିଭଳି ଟିକାକରଣ ସ୍ଥିତି ଜାଣିବା ପାଇଁ ୨୮ ହଜାର ୫୬୧ ଜଣ କୋଭିଡ୍‌ ଯୋଦ୍ଧାମାନଙ୍କୁ କଲ୍ କରାଯାଇଥିଲା। ଏତଦ୍‌ବ୍ୟତୀତ ଟିକାକରଣ, ଅମ୍ଳଜାନ ଯୋଗାଣ, ଡିସ୍‌ଚାର୍ଜ ପ୍ରମାଣପତ୍ର ପ୍ରଦାନ, ଶବଦାହ ଓ ମୃତ୍ୟୁ ପ୍ରମାଣପତ୍ର ଯୋଗାଣ ପ୍ରଭୃତି ସହାୟତା କଲ୍‌ ସେଣ୍ଟର ଜରିଆରେ ହୋଇଛି।
କେବଳ ଏହି ସବୁ ସହାୟତା ନୁହେଁ; ଏହି କଲ୍‌ସେଣ୍ଟର ଜରିଆରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ସିଧାସଳଖ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି। ଏଭଳି ଡାକ୍ତରୀ ପରାମର୍ଶ ନେଇ ୩୮ ହଜାର ୩୬୫ କଲ୍ ଆସିଥିବା ସୂଚନା ମିଳିଛି। ୩ଟି ସିଫ୍ଟରେ ଚାଲୁଥିବା ଏହି କଲ୍‌ ସେଣ୍ଟରର ୩୫ଟି ୱାର୍କ ଷ୍ଟେସନରେ ୪୮ ଜଣ ଏକ୍‌ଜିକ୍ୟୁଟିଭ୍‌ କାମ କରୁଛନ୍ତି। ୧୫ ଜଣ କଲ୍‌ ରିସିଭ୍‌ କରିବା ପାଇଁ କାମ କରୁଥିବା ବେଳେ ଆଉଟ୍‌ ଗୋଇଙ୍ଗ୍‌ କଲ୍‌ ପାଇଁ ୫ଜଣ ଏବଂ ଡାକ୍ତରୀ ପରାମର୍ଶ ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ୮ ଜଣ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe