ଯୁକ୍ତ୨ ପରୀକ୍ଷା ବାତିଲ୍ ଦାବି: ଟାୟାର ଜାଳି ରାସ୍ତା ଅବରୋଧ, ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବା ବେଳେ ଗିରଫ କଲା ପୁଲିସ

Advertisment
ଯୁକ୍ତ୨ ପରୀକ୍ଷା ବାତିଲ୍ ଦାବି: ଟାୟାର ଜାଳି ରାସ୍ତା ଅବରୋଧ, ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବା ବେଳେ ଗିରଫ କଲା ପୁଲିସ

ଭୁବନେଶ୍ବର: ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରାୟ ୧ଘଣ୍ଟା ଧରି ମାନବଶୃଙ୍ଖଳ କରି ରାସ୍ତା ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ନେତୃତ୍ବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶହେରୁ ଅଧିକ ଯୁକ୍ତ ୨ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କର ଅଭିଯୋଗ ଅନୁଯାୟୀ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନ୍ ମାଧ୍ୟମରେ ପାଠ୍ୟକ୍ରମ ଶେଷ ହୋଇନାହିଁ। ଏପରିକି ଅନ୍‌ଲାଇନ୍‌ରେ ପଢ଼ିବା ସୁଯୋଗ ସବୁ ପିଲା ପାଇପାରିନାହାନ୍ତି। ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୂଆପଡ଼ା ଆଦି ୨୦ରୁ ଅଧିକ ଜିଲ୍ଲାରେ ଅନ୍‌ଲାଇନ୍‌ ପାଠପଢ଼ା ଠିକ୍ ଭାବେ ହୋଇପାରିନାହିଁ। ଏବେ ରାଜ୍ୟ ସରକାର ସ୍କୁଲ ଓ କଲେଜ୍ ଖୋଲିଦେଲେ। ଫେବୃଆରି ୭ରୁ ମାର୍ଚ୍ଚ ୧୮ ସୁଦ୍ଧା ବୋର୍ଡ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାରି ଭିତରେ ଅଧ୍ୟାପକମାନଙ୍କୁ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କରାଯାଇଛି। ତେବେ ପିଲାଙ୍କୁ କିପରି ଭାବେ ପାଠପଢ଼ା ଯିବ ସେନେଇ ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି। ସରକାର ପରୀକ୍ଷା ପାଇଁ ପାଠପଢ଼ାର ଏକ ବିକଳ୍ପ ଚିନ୍ତା କରନ୍ତୁ ନଚେତ୍ ୩ଟି କ୍ବାର୍ଟର ଏଣ୍ଡ୍ ପରୀକ୍ଷାର ମୂଲ୍ୟାୟନ କରି ପରୀକ୍ଷା ଫଳାଫଳ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମନୋରଞ୍ଜନ ନାୟକ, ବାସୁଦେବ ନାଥଶର୍ମା ଆନ୍ଦୋଳନର ନେତୃତ୍ବ ନେଇଥିଲେ। ପ୍ରଦେଶ ଛାତ୍ର କଂଗ୍ରେସ ମୁଖପାତ୍ର ବିଶ୍ବଭୂଷଣ ମହାପାତ୍ର, ଶାହାରୁଖ ଖାନ୍, ରଞ୍ଜିତ୍ ସେନାପତି, ବିଭୂତି ମହାପାତ୍ର, ଗଜେନ୍ଦ୍ର, ମୁନା ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe