ବାଲିଅନ୍ତା: ବାଙ୍କୁଆଳ କୁଆଖାଇ ନଦୀପଠାରେ ଚାଲିଥିବା ଏକାମ୍ରକ୍ଷେତ୍ର ବାଲିଯାତ୍ରା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଦର୍ଶକଙ୍କୁ ଶିହରିତ କରିଥିଲା। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପରିବେଷିତ ଶାସ୍ତ୍ରୀୟ ନୃତ୍ୟ ସହିତ ଓଡ଼ିଶୀ, ସମ୍ବଲପୁରୀ ଓ ଗୋଟିପୁଅ ନୃତ୍ୟ ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲା। ବାଲିପାଟଣା ରାଜସର ନୃତ୍ୟମ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୁରୁ ସରୋଜ କୁମାର ସାହୁଙ୍କ ନିର୍ଦ୍ଦେଶିତ ମହାଦେବଙ୍କର ବିଭିନ୍ନ ଋପଚର୍ଯ୍ୟା, ସମୁଦ୍ର ମନ୍ଥନ ଓ ଅନ୍ୟାନ୍ୟ ପୌରାଣିକ କଥାବସ୍ତୁ ସମ୍ବଳିତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇଥିଲେ। ‘ଆହେ ଗିରିନନ୍ଦିନୀ’ ଗୀତରେ କଳାକାରମାନଙ୍କ ନୃତ୍ୟ ଦର୍ଶକଙ୍କ ଭିତରେ ଶିହରଣ ଖେଳାଇ ଦେଇଥିଲା। ପରେପରେ ସମ୍ବଲପୁରୀ ନୃତ୍ୟ ଓ ରାଧାକୃଷ୍ଣଙ୍କ ପ୍ରେମପ୍ରଣୟ ଆଧାରିତ ନୃତ୍ୟ ନଦୀପଠାର ଶୀତୁଆ ପରିବେଶରେ ଉଷ୍ମତା ଭରିଦେଇଥିଲା। ସେହିଭଳି ପୁରୀ ଜିଲ୍ଲା ରଘୁରାଜପୁର ଅଞ୍ଚଳର ଅଭିନ ସୁନ୍ଦର ଗୋଟିପୁଅ ନୃତ୍ୟ ଅନୁଷ୍ଠାନର ନୃତ୍ୟଗୁରୁ ଡ. ବସନ୍ତ ମହାରଣାଙ୍କ ସଙ୍ଗୀତ ସଂଯୋଜନାରେ ଅନୁଷ୍ଠାନର କଳାକାରମାନେ ମଙ୍ଗଳାଚରଣରେ ଦେବୀବନ୍ଧ ନୃତ୍ୟ ବେଶ୍ ଚମତ୍କାର ଥିଲା। ଏହାପରେ ଆରମ୍ଭ ହୋଇଥିଲା ସଂଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରୁକ୍ସୁନା ଗ୍ରୁପ୍ର ଡ. ପ୍ରତ୍ୟୁଷ ରଞ୍ଜନ ଦାଶଙ୍କ ‘ଗୋପ ନଗରୀରୁ ଚିଠି ଆସିଛି ଚିଠି, ବାସୁଛି ତୁଳସୀ ତୁଳସୀ...’ ଦର୍ଶକଙ୍କୁ ଭାବରସରେ ଭିଜାଇଥିଲା। ପରେପରେ ଅଞ୍ଜଳି ଦାଶଙ୍କ ‘ପରଦେଶିଆ’ ସଙ୍ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ସୁର ତରଙ୍ଗ ଅନୁଷ୍ଠାନ ପକ୍ଷରୁ ପରିବେଷିତ ରଙ୍ଗାରଙ୍ଗ ମେଲୋଡି ଓ ସଙ୍ଗୀତର ତାଳେତାଳେ ଦର୍ଶକମାନେ ଝୁମିଥିଲେ।
ମେଲୋଡି ଦେଖିଲେ ନଈପଠାରେ ବୁଲିଲେ
କୁଆଖାଇ ବରିମୁଣ୍ଡ ପଠାରେ ଚାଲିଥିବା ଭୁବନେଶ୍ୱର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମେଲୋଡି ଥିଲା ପ୍ରମୁଖ ଆକର୍ଷଣ। ଅପରାହ୍ଣରୁ ବାଲିଯାତ୍ରା ପଡ଼ିଆରେ ଗହଳି ବଢ଼ିବାକୁ ଲାଗିଥିଲା। ବାରଙ୍ଗ ପଟୁ ଯେତିକି ନହରକଣ୍ଟା ପଟୁ ସେତିକି ଲୋକ ବାଲିଯାତ୍ରା ପଡ଼ିଆକୁ ଚାଲିଥିଲେ। ସଂଜ ବୁଡ଼ିବା ବେଳକୁ ନଈପଠା ଲୋକାରଣ୍ୟ ହୋଇଯାଇଥିଲା। ମେଳା ବଜାରରେ ପ୍ରବଳ ଭିଡ଼ ହୋଇଥିଲା। ଅଧାରୁ ଅଧିକ ଲୋକେ ଚଟ୍ପଟି ଖାଦ୍ୟ ଷ୍ଟଲ୍ ଆଗରେ ଥିଲେ। ମାର୍ଗଶୀର ପ୍ରଥମ ଗୁରୁବାର ହୋଇଥିଲେ ମଧ୍ୟ ଆମିଷ ଖାଦ୍ୟର ଷ୍ଟଲ୍ଗୁଡ଼ିକରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ମନୋହରୀ ଦୋକାନଗୁଡ଼ିକରେ ମଧ୍ୟ ମହିଳାମାନଙ୍କ ଭିଡ଼ ବି କିଛି କମ୍ ନଥିଲା। ଯୁବକମାନେ ନଈପଠାରେ ବୁଲିବୁଲି ମଜା ଉଠାଉଥିଲେ। ଏହାପରେ ହଠାତ୍ ମେଳାର ଚିତ୍ର ବଦଳିଯାଇଥିଲା। ମେଳା ବୁଲିବାକୁ ଯାଇଥିବା ଲୋକେ ସଭାମଞ୍ଚ ଆଡ଼କୁ ମୁହାଁଇଲେ। ମେଲୋଡି ଆରମ୍ଭ ହେଉହେଉ ମେଳା ବଜାରର ଭିଡ଼ କମିଯାଇଥିଲା। କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀଙ୍କ ଗୀତ ପରିବେଶକୁ ମତୁଆଲା କରିଥିଲା। ‘ତୁ ନୂଆ ସାୟରି, ନା ନୂଆ କବିତା’, ‘ତୋ ପ୍ରେମ ମୋ ପାଇଁ,’ ‘ତୋ ଆଖି ଇସାରାରୁ ପ୍ରେମ ହେଲା ସୁରୁ’ ଆଦି ସୁପରହିଟ୍ ଗୀତରେ ଯୁବଦର୍ଶକମାନେ ମଞ୍ଚ ତଳେ ନାଚି ଉଠିଥିଲେ।
/filters:format(webp)/sambad/media/media_files/2025/11/07/untitled-16-2025-11-07-07-23-12.jpg)
Follow Us