ଶୁଣିଲାନି ବିଏମ୍‌ସି, ନିଜ ଉଦ୍ୟମରେ ଆବର୍ଜନା ସଫା କଲେ

Advertisment
ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ବର: ୧୦ ବର୍ଷ ହେଲା ଭୁବନେଶ୍ବରର ଆବର୍ଜନା ସେଠାରେ ଗଦା ହେଉଥିଲା। ଜନବସତି ମଧ୍ୟରେ ଏପରି ଆବର୍ଜନା ଗଦା ହେବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା। ଏ ସଂପର୍କରେ ସ୍ଥାନୀୟ ଲୋକେ ବିଏଏମ୍‌ସି ଓ ବିଡିଏ ନିକଟରେ ଯେତେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ। ଶେଷରେ କିଛି ମହିଳା ଓ ପୁରୁଷ ମିଶି ଚାନ୍ଦା ଆଦାୟ କରି ଜେସିବି ସହାୟତାରେ ଆବର୍ଜନା ସଫା କରିଛନ୍ତି। ମାଟି ସମତୁଲ କରି ସେଠାରେ ବୃକ୍ଷରୋପଣ କରିବା ସହ, ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ପାଇଁ ଅବସର ବିନୋଦନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳିଙ୍ଗ ନଗର କେ-୪ ପାଣିଟାଙ୍କି ପଡ଼ିଆ ଅଞ୍ଚଳରେ।

ବିଷ୍ଣୁ ମହାନ୍ତି, ଅରବିନ୍ଦ ସାହୁ, ପ୍ରଶାନ୍ତ ପତି, ଆନନ୍ଦ କୁମାର ପୃଷ୍ଟି, ଲିନା ନାୟକ ଓ ସବିତା ରାଣୀ ପୃଷ୍ଟିଙ୍କ ନେତୃତ୍ବରେ ଏହି ପ୍ରଶଂସନୀୟ କାର୍ଯ୍ୟ କରାଯାଇଛି। ଶ୍ରୀମତୀ ପୃଷ୍ଟିଙ୍କ କହିବା ଅନୁଯାୟୀ ଏଠାରେ ୧୦ବର୍ଷ ହେଲା ଆବର୍ଜନା ଗଦା ହେଉଥିଲା। ଗତ ୫ ବର୍ଷଠାରୁ ବିଏମ୍‌ସି ସହରର ବିଭିନ୍ନ ସ୍ଥାନରୁ ଆବର୍ଜନା ଆଣି ଏଠାରେ ଫୋପାଡ଼ୁଥିଲା। ସ୍ଥାନୀୟ ଲୋକ ଏହାର ବିରୋଧ କରିବାରୁ କିଛିଦିନ ହେଲା ଆବର୍ଜନା ପଡ଼ିବା ବନ୍ଦ ରହିଥିଲା। କିନ୍ତୁ ଆବର୍ଜନା ଉଠାଯାଉ ନଥିଲା। ଶେଷରେ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି ଜେସିବି ସହାୟତାରେ ଆଜି ଆବର୍ଜନା ସଫା କରିଥିଲେ। ଏହି ସ୍ଥାନରେ ଏବେ ନିଜ ଖର୍ଚ୍ଚରେ ବୃକ୍ଷରୋପଣ ସହିତ ଛୋଟ ପିଲାଙ୍କ ପାଇଁ ଦୋଳି ଓ ବୟସ୍କ ଲୋକଙ୍କ ଚାଲିବା ପାଇଁ ରାସ୍ତା ତିଆରି କରାଯିବ ବୋଲି ସେ କହିଛନ୍ତି। ପ୍ରଶାସନ ଏଥିପାଇଁ ଆର୍ଥିକ ସହାୟତା ନ ଦେଲେ ମଧ୍ୟ ଲୋକଙ୍କଠାରୁ ଚାନ୍ଦା କରି ଏହି କାମ କରାଯିବ ବୋଲି ଶ୍ରୀମତୀ ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe