ସ୍ୱଚ୍ଛ ଜଳ, ଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇଗଲାଣି

Advertisment

ପରିବେଶ ପ୍ରଦୂଷଣକୁ ନେଇ ଥିଙ୍କର୍ସ କ୍ଲବ୍‌ ଆଲୋଚନା‌ରେ ଉଦ୍‌ବେଗ

ପରିବେଶ ପ୍ରଦୂଷଣକୁ ନେଇ ଥିଙ୍କର୍ସ କ୍ଲବ୍‌ ଆଲୋଚନା‌ରେ ଉଦ୍‌ବେଗ

ସ୍ୱଚ୍ଛ ଜଳ, ଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇଗଲାଣି

ଭୁବନେଶ୍ବର: ଥିଙ୍କର୍ସ କ୍ଲବ୍‌ର ୬୨ତମ ଆଭାସୀ ଆଲୋଚନା ‘ପରିବେଶ ପ୍ରଦୂଷଣ: ସମସ୍ୟା ଓ ସମାଧାନ’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ବିଶିଷ୍ଟ ପରିବେଶବିତ୍‌ମାନେ କହିଥିଲେ ଯେ ମାଟି, ବାୟୁ, ଜଳରେ ପ୍ରଦୂଷଣ ଅତିମାତ୍ରାରେ ବୃଦ୍ଧି ପାଉଛି। ଏଥିଯୋଗୁଁ ଆଜିକା ସମୟରେ ସ୍ୱଚ୍ଛ ଜଳ, ଶୁଦ୍ଧ ବାୟୁ ମିଳିବା ଅସମ୍ଭବ ହୋଇପଡ଼ିଲାଣି।

ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଲେ ଯେ ଯାନବାହନ, କୋଇଲା, ପେଟ୍ରୋଲ ଏବଂ ପ୍ରାକୃତିକ ବାଷ୍ପ ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ସୃଷ୍ଟି ହେଉଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ଅଙ୍ଗାରକାମ୍ଳ ବାଷ୍ପ ବିଭାଜନ ହୋଇପାରୁନି। ବାୟୁମଣ୍ଡଳରେ ଏହି ବାଷ୍ପ ଉତ୍ତାପ ବୃଦ୍ଧି କରୁଛି। ଅନ୍ୟତମ ବକ୍ତା ବୈଜ୍ଞାନିକ ଡ. ପି.କେ.ଏମ୍‌.କେ ଦାସ କହିଲେ, ଯମୁନାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେଲା ପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ଅଛି। ଇକୋ-ସିଷ୍ଟମ୍‌ରେ ଭାରସାମ୍ୟ ରକ୍ଷା ପାଇଁ ବତକ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ।

ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ଡ. ନୀହାର ରଞ୍ଜନ ସାହୁ ସମ୍ମାନିତ ବକ୍ତା ଭାବେ ଯୋଗଦେଇ କହିଲେ ଯେ ପରିବେଶ ପ୍ରଦୂଷଣ ଯୋଗୁଁ ନାଇଟ୍ରୋଜେନ୍‌ ଅକ୍ସାଇଡ୍ ଏବଂ ସଲଫର୍ ଅକ୍ସାଇଡ୍ ବାଷ୍ପ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ଅମ୍ଳବର୍ଷା କରୁଛି।

କ୍ଲବ୍‌ର ସଭାପତି ବରଦା ଦାସ ଆଲୋଚନାକୁ ପରିଚାଳନା କରି ସହରଗୁଡ଼ିକୁ ପ୍ରଦୂଷଣମୁକ୍ତ ପାଇଁ ପ୍ରଶାସନ ଗୁରୁତ୍ୱ ଦେବାକୁ କହିଥିଲେ। ପ୍ରବାସୀ ଓଡ଼ିଆ ବିକାଶ ପରିଷଦ, ନୂଆଦିଲ୍ଲୀର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିଲେ। ଆର୍ୟାଲ୍ୟାଣ୍ଡ୍‌ରୁ ଶ୍ରୀମାରାଣୀ ଦାସ କାର୍ଯକ୍ରମକୁ ସଂଯୋଜନା କରିଥିଲେ। ବିଭୁଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ। ଏହି ଆଲୋଚନାରେ ଡ. ନନ୍ଦନନ୍ଦନ ଦାସ, ପ୍ରଫେସର୍‌ ଉମାଶଙ୍କର ମିଶ୍ର, ଭଗବାନ ପଣ୍ଡା, ଡ. ଜୟଶ୍ରୀ ନନ୍ଦ, ବିନୋଦ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe