ଫଳ ମାର୍କେଟ୍‌ରେ ତାଲା, ମେୟରଙ୍କ ଘର ସାମ୍ନା ଅସ୍ଥାୟୀ ବଜା

Advertisment

ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ହେଲା ତାଲା ଝୁଲୁଛି

ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ହେଲା ତାଲା ଝୁଲୁଛି

ଫଳ ମାର୍କେଟ୍‌ରେ ତାଲା, ମେୟରଙ୍କ ଘର ସାମ୍ନା ଅସ୍ଥାୟୀ ବଜା

????????????????????????????????????

ଭୁବନେଶ୍ୱର: ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂକୁ ଲାଗି ନିର୍ମାଣ ହୋଇଛି ତିନି ମହଲା ବିଶିଷ୍ଟ ଫଳ ମାର୍କେଟ୍‌। ଅଢ଼େଇ ବର୍ଷ ତଳୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉଦ୍‌ଘାଟିତ ବି ହୋଇସାରିଛି। କିନ୍ତୁ ମାର୍କେଟ୍‌ର ତାଲା ଫିଟୁନି। ଠିକ୍‌ ତାହାର ବିପରୀତ ପାର୍ଶ୍ୱରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସରକାରୀ ବାସଭବନ। ଏହି ବାସଭବନର ଫାଟକକୁ ଲାଗି ଫଳର ଅସ୍ଥାୟୀ ମାର୍କେଟ୍‌। ପାଚେରି କଡ଼ ଫୁଟ୍‌ପାଥ୍‌ ଫଳ ଦୋକାନୀଙ୍କ ଦଖଲରେ। କେବଳ ଫୁଟ୍‌ପାଥ୍‌ ନୁହେଁ, ରାସ୍ତାର ବହୁ ଅଂଶ ବି ଏମାନଙ୍କ ଦଖଲରେ। ଲୋକ ଫଳ କିଣୁଥିଲା ବେଳେ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବି ସୃଷ୍ଟି ହେଉଛି। ରାସ୍ତାର ଗୋଟିଏ ପଟେ ନବନିର୍ମିତ ମାର୍କେଟ୍‌କୁ ଅବ୍ୟବହୃତ ଅବସ୍ଥାରେ ବିଏମ୍‌ସି ଛାଡ଼ିଦେଇଛି। ଅନ୍ୟ ପଟେ ବିଏମ୍‌ସିର ସର୍ବୋଚ୍ଚ କର୍ତ୍ତା ମେୟରଙ୍କ ବାସଭବନ ସାମ୍ନାରେ ଅସ୍ଥାୟୀ ଫଳ ବଜାର ଖୋଲିବାକୁ ଅଲିଖିତ ଅନୁମତି ଦିଆଯାଇଛି। ବିଏମ୍‌ସିର ଏପରି ଖାମଖିଆଲ କାରବାର ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜେ ମେୟର ଏସବୁ ଜାଣି କିପରି ପଦକ୍ଷେପ ନେଉନାହାନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବହୁ ଫଳ ଦୋକାନ ରହିଛି। ଯଦିଓ ରାଜଧାନୀର ଅନ୍ୟ ସ୍ଥାନରେ ବି ଫଳ ପସରା ଖୋଲୁଛି, ତେବେ ଏହି ଅଞ୍ଚଳରେ ଭିଡ଼ ଅଧିକ ହୁଏ। ୟୁନିଟ୍‌-୧ ହାଟ ପରି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପାର୍କିଂ ପାଇଁ ଜାଗା ମିଳୁ ନ ଥିଲା ବେଳେ ଫଳଦୋକାନୀମାନଙ୍କ ଭିଡ଼ ଟ୍ରାଫିକ୍‌କୁ ଆହୁରି ଅନିୟନ୍ତ୍ରିତ କରିଦେଉଛି। ଏହାକୁ ନଜରରେ ରଖି ଫଳ ମାର୍କେଟ୍‌ର ପରିକଳ୍ପନା କରାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ ୟୁନିଟ୍‌-୨ ପେଟ୍ରୋଲ୍‌ ଟାଙ୍କି କଡ଼ରେ ଏକ ଜାଗା ବିଏମ୍‌ସିକୁ ହସ୍ତାନ୍ତର କରିଥିଲା। ବିଏମ୍‌ସି ସେଠାରେ ଫଳ ମାର୍କେଟ୍‌ ନିର୍ମାଣ କଲା। ୩ ମହଲା ବିଶିଷ୍ଟ ଏହି ମାର୍କେଟ୍‌ରେ ମୋଟ୍‌ ୭୨ଟି ଫଳ ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏହାର ନିର୍ମାଣରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୫ ଅଗଷ୍ଟ ମାସରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ମଧ୍ୟରେ ଅଢ଼େଇ ବର୍ଷ ବିତିଗଲାଣି। ୨୦୧୫ ପରେ ଆହୁରି ଦୁଇଟି ସ୍ୱାୟତ୍ତ ଶାସନ ଦିବସ ଗଲାଣି। କିନ୍ତୁ ଫଳ ମାର୍କେଟ୍‌ର ଭାଗ୍ୟ ଫିଟିପାରୁନି। ମୁଖ୍ୟ କଥା ହେଲା, ଗତ ଅଢ଼େଇବର୍ଷ ହେଲା ବିଏମ୍‌ସି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇନଥିଲା। କେବଳ କୋଠା ନିର୍ମାଣ କରି ବିଏମସି ତାର ଦାୟିତ୍ୱ ସାରି ଦେଇଥିଲା। କୋଠାଟି ବ୍ୟବହାର ହେଉ ନ ଥିବାରୁ ଏହା ନଷ୍ଟ ହୋଇଯିବାର ଆଶଙ୍କା ମଧ୍ୟ ଦେଖାଦେଲାଣି। ଏହାର ସାମ୍ନା ଅଞ୍ଚଳ ଏବେ ପାର୍କିଂ ସ୍ପଟ୍‌ରେ ପରିଣତ ହୋଇଛି। ଦୀର୍ଘ ଦିନ ଧରି ବ୍ୟବହାର ହେଉ ନ ଥିବାରୁ ଏହି ମାର୍କେଟ୍‌ ସମ୍ପର୍କରେ ଫଳ ଦୋକାନୀମାନେ ବି ଭୁଲିଗଲେଣି। ନିକଟରେ ଫଳ ଦେକାନ କରିଥିବା ଦୀପକ ସାହୁ କୁହନ୍ତି, ଆମେ ଜାଣିନାହୁଁ ଏହି ଫଳ ମାର୍କେଟ କାହିଁକି ତିଆରି ହୋଇଛି। ଏଠାରେ ଆମେ ଦୋକାନ ପକାଇ ପାରିବୁ ନାହିଁ। ଏହାର ଅନୁମତି ଆମକୁ ମିଳି ନାହିଁ। ମାର୍କେଟ୍‌ ଖୋଲିବା ଭଳିଆ ଆଉ ଲାଗୁନାହିଁ। ଏଠାରେ କେଉଁମାନେ ଦୋକାନ ପକାଇପାରିବେ ଆମେ ଜାଣି ନାହୁଁ।

ଏହି ବିଷୟରେ ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଏଠାରେ ଥିବା ଦେକାନ ଆବଣ୍ଟନ ପକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ଏକ ମାସ ମଧ୍ୟରେ ଆବଣ୍ଟନ କାର୍ଯ୍ୟ ଶେଷ ହେଲେ ମାର୍କେଟ ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe