୧୬ତମ ସର୍ବଭାରତୀୟ ଜନବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ

Advertisment

ଶିକ୍ଷାନୀତି ହିଁ ବିଜ୍ଞାନ ପ୍ରସାରର ଅନ୍ତରାୟ

ଶିକ୍ଷାନୀତି ହିଁ ବିଜ୍ଞାନ ପ୍ରସାରର ଅନ୍ତରାୟ

୧୬ତମ ସର୍ବଭାରତୀୟ ଜନବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ

ଭୁବନେଶ୍ୱର/ଜଟଣୀ : ବିଜ୍ଞାନ ମଣିଷକୁ ନେଇ ଉନ୍ନତିର ଶିଖରରେ ପହଞ୍ଚାଇଛି ଓ ଦିନକୁ ଦିନ ନୂଆ ନୂଆ ଜ୍ଞାନ କୌଶଳ ମଣିଷର ଜୀବନଧାରଣ ମାନରେ ବ୍ୟାପକ ପରିବର୍ତନ ଆଣୁଛି। ତଥାପି ସବୁ ବର୍ଗର ଲୋକଙ୍କ ନିକଟରେ ସୁଦୂରପ୍ରସାରୀ ଚିନ୍ତାଧାରା ପହଞ୍ଚି ପାରିନାହିଁ। କୁସଂସ୍କାର, ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତା ଭଳି ଅମାନବୀୟ ଉପାଦାନ ମଣିଷକୁ କବଳିତ କରି ରଖିଛି। କାରଣ ଉପଯୁକ୍ତ ଶିକ୍ଷାନୀତିର ଅଭାବ। ଏହା ହିଁ ବିଜ୍ଞାନର ପ୍ରସାର ଦିଗରେ ଘୋର ଅନ୍ତରାୟ ହୋଇ ଠିଆ ହୋଇରହିଛି। ଶିକ୍ଷାବିତ୍‌ମାନଙ୍କ ଅନୁପସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ମତବାଦ ଉପରେ ବିଶ୍ୱାସ ରଖୁଥିବା ରାଜନେତାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଶିକ୍ଷାନୀତି ଯୋଗୁଁ ବିଜ୍ଞାନର ପ୍ରସାର ଆଜି ବି ସାଧାରଣ ଲୋକଙ୍କ ନିକଟତର ହୋଇପାରୁନାହିଁ। ଭୁବନେଶ୍ୱର ନାଇଜର୍‌ ପରିସରରେ ୧୬ତମ ସର୍ବ ଭାରତୀୟ ଜନ ବିଜ୍ଞାନ କଂଗ୍ରେସର ଉଦ୍‌ଯାପନୀ ଉତ୍ସବ ଅବସରରେ ଅତିଥିମାନେ ଏଭଳି ମତ ପୋଷଣ କରିଛନ୍ତି।

ଆୟୋଜକ କମିଟିର ସଭାପତି ଡ. ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମିଳନୀକୁ ବିଜ୍ଞାନ ପ୍ରସାରର ଏକ ଝରକା ଭାବେ ଅଭିହିତ କରି ସେ ବିଜ୍ଞାନ ପ୍ରଦତ୍ତ ନୂତନ ଜ୍ଞାନ କୌଶଳର ସଦୁପୋଯୋଗ ଉପରେ ବକ୍ତବ୍ୟ ରଖିଥିଲେ। ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ୟୁମି ବେ ନିଜ ବକ୍ତବ୍ୟରେ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଓ ଭବିଷ୍ୟତ ପିଢ଼ିଙ୍କ ପାଇଁ ବିଶ୍ୱକୁ ସତେଜ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ହାଇଦ୍ରାବାଦ୍‌ ସିସିଏମ୍‌ବିର ପୂର୍ବତନ ନିର୍ଦେଶକ ଡ. ଡି ବାଲ୍‌ ସୁବ୍ରମଣ୍ୟମ୍‌, ନାଇଜର୍‌ର ଆକ୍ଟିଂ ନିର୍ଦେଶକ ପ୍ରଫେସର ଭି. ମୁର୍‌ଗାନନ୍ଦମ୍‌, ମହାରାଷ୍ଟ୍ର ସାହିତ୍ୟ ପରିଷଦର ସଭାପତି ରାଓ ସାହେବ କାସ୍‌ବେ, ନାଇଜରର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ବିଜ୍ଞାନ ଶିକ୍ଷା ପାଇଁ ସବୁ ସରକାର ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ବିଜ୍ଞାନ ଭିତ୍ତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଅବଦାନ ରଖୁଥିବା ବିଶିଷ୍ଟବ୍ୟକ୍ତିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଶିଷ୍ଟ ଲେଖକ ପ୍ରଫେସର ସୂର୍ଯ୍ୟମଣି ବେହେରା, ଡ. ଜ୍ୟୋତିର୍ମୟୀ ମହାନ୍ତି, ଇଂ ମାୟାଧର ସ୍ୱାଇଁ, ଡ. ନିତ୍ୟାନନ୍ଦ ସ୍ୱାଇଁ, ଡ. ପ୍ରମୋଦ କୁମାର ମହାପାତ୍ର, ଡ. ରମେଶ ଚନ୍ଦ୍ର ପରିଡ଼ା, ଡ. ସୁନ୍ଦର ନାରାୟଣ ପାତ୍ର, ଡ. ବିଜୟ କେତନ ପଟ୍ଟନାୟକ, ଡ. ଚିତ୍ତରଂଜନ ମିଶ୍ର ଓ ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ସମ୍ପର୍ଧନା ଦିଆଯାଇଥିଲା। ନାଇଜର୍‌ର ରେଜିଷ୍ଟ୍ରାର୍‌ ଅଭୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ୪ ଦିନିଆ ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟରୁ ଅଂଶଗ୍ରହଣ କରିଥିବା ୯ଶହରୁ ଅଧିକ ଡେଲିଗେଟ୍‌ ଓଡ଼ିଶାର ଆତିଥେୟତାକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe