କପେ କଫିରେ ଖଟି

କପେ କଫିରେ ଖଟି

ରାଜଧାନୀର ଚେହେରା ବଦଳୁଛି। ଆଧୁନିକତାର ଗୋଟିଏ ପରେ ଗୋଟିଏ ଛାପ ସହରରେ ସ୍ପଷ୍ଟ ଅନୁଭବ କରିହେଉଛି। ଆଧୁନିକ ଭୁବନେଶ୍ୱରର ଏବେ ଏକ ପରିଚିତ ସ୍ଥାନ ପାଲଟିଛି କଫି କାଫେ। ସହରର ସବୁ କୋଣ ଅନୁକୋଣରେ ଖୋଲିଗଲାଣି କଫି ସପ୍‌। ନିରୋଳାରେ ନିଜ ସାଙ୍ଗସାଥୀଙ୍କ ସହ ବସିବା ପାଇଁ ଯୁବପିଢ଼ିଙ୍କ ବାଛି ନେଇଛନ୍ତି ଏହି ସପ୍‌ଗୁଡ଼ିକୁ। ଝାପ୍‌ସା ଲାଇଟ୍‌ ସହ ଧିମା ମ୍ୟୁଜିକ କଫି ସପ୍‌ଗୁଡ଼ିକୁ ବେଶ୍‌ ଆକର୍ଷଣୀୟ କରୁଛି। ଗତ କିଛି ବର୍ଷ ହେବ ଭୁବନେଶ୍ୱରରେ ଯୁବପିଢିଙ୍କୁ ଏମିତି ଘାରିଛି କଫି ମାନିଆ। ନାମୀଦାମୀ ଜାତୀୟସ୍ତରର କମ୍ପାନି ସହ ସ୍ଥାନୀୟ ସଂସ୍ଥା ମଧ୍ୟ ସହରରେ କଫି ସପ୍‌ ଖୋଲୁଛନ୍ତି। ଏବେ ଖାଲି ଯୁବପିଢ଼ି ନୁହନ୍ତି, ସବୁ ବୟସର ଲୋକ କଫି ମାୟାରେ ଯେପରି ପଡ଼ିଯାଇଛନ୍ତି।  ରିପୋର୍ଟ: ସସ୍ମିତା ମଲ୍ଲ, ଫଟୋ: ଅସିତ୍‌

ମନ ଜିଣୁଛନ୍ତି ନାମୀଦାମୀ ବ୍ରାଣ୍ଡ

publive-image

ସକାଳୁ ଉଠି ଚା’କପ୍‌  ସହ ପେପର ପଢ଼ିବାର ଚଳଣି ଏବେ ବି ସେମିତି ଚାଲିଛି। ପୁରି କଫି ସପ୍‌ରେ କଫି ପିିଇ ପିଇ ପେପର୍‌ କି ମାଗାଜିନ୍‌ ପଢ଼ିବା ଓ ସାଙ୍ଗମାନଙ୍କ ସହ ଖଟି କରିବା ଟ୍ରେଣ୍ଡ ଏବେ ରାଜଧାନୀରେ ଆରମ୍ଭ ହେଲାଣି। ଏହାକୁ ନଜରରେ ରଖି ଜାତୀୟ ସ୍ତରର ନାମୀଦାମୀ ସଂସ୍ଥା ଭୁବନେଶ୍ୱରରେ କଫି ସପ୍‌ ଖୋଲୁଛନ୍ତି। ଦେଶରେ ବେଶ୍‌ ଜଣାଶୁଣା ସଂସ୍ଥା କାଫେ କଫି ଡେ’(ସିସିଡି) ଭୁବନେଶ୍ୱରରେ ତା’ର କଫି ସପ୍‌ ଖୋଲିଲା ପରେ ଏହା ବେଶ୍‌ ବ୍ୟବସାୟିକ ସଫଳତା ପାଇଥିଲା। ବର୍ତ୍ତମାନ ସୁଦ୍ଧା ସହରରେ ସିସିଡିର ୧୩ଟି କଫି ସପ୍‌ ଅଛି ବୋଲି ମାରିଅନ୍‌ ହୋଟେଲ୍‌ସ୍ଥିତ ସିସିଡିର ମ୍ୟାନେଜର ପଙ୍କଜ ମିଶ୍ର କହିଛନ୍ତି। କେବଳ ଜାତୀୟ ସ୍ତରର କମ୍ପାନି ନୁହେଁ, ଓଡ଼ିଶାର ବି କିଛି ବ୍ୟବସାୟୀ ସହରରେ କଫି ସପ୍‌ ଖୋଲି ବେଶ୍‌ ସଫଳତା ପାଉଛନ୍ତି। ବ୍ଲୁ ବେକ୍‌ସ୍‌, ବ୍ଲୁ ବେର୍‌, ବୋକା କାଫେ ଓ ଚକେଲେଟ ହାଉସ ପରି ଏମିତି ଅନେକ କଫି ସପ୍‌ ଦେଖିବାକୁ ମିଳୁଛି।

ସମସ୍ତଙ୍କ ପସନ୍ଦରେ

publive-image

କଫି ସପ୍‌ କହିଲେ ଯୁବପିଢ଼ିଙ୍କ ଗହଳି ଜମୁଥିବ ବୋଲି ସମସ୍ତଙ୍କ ଧାରଣା। କିନ୍ତୁ କଫିର ନିଶା ଆଉ ଯୁବପିଢିଙ୍କ ମଧ୍ୟରେ ସୀମିତ ନାହିଁ। ଏହା ଏବେ ସବୁ ବର୍ଗର ଲୋକଙ୍କ ପ୍ରିୟ ପାନୀୟରେ ପରିଣତ ହେଲାଣି। ଯୁବପିଢିଙ୍କ ସହିତ ବୟସ୍କ ଲୋକ ମଧ୍ୟ କଫି ସପ୍‌ଗୁଡ଼ିକରେ ଖଟି ଜମାଉଥିବା ଦେଖିବାକୁ ମିଳୁଛି। କଫି ସପ୍‌ରେ ଏବେ ୩୦ ପ୍ରତିଶତ ବୟସ୍କ ଲୋକଙ୍କ ଭିଡ଼ ଜମୁଛି। ସ୍କୁଲ ବେଳର ବନ୍ଧୁ ମିଳନ ହେଉକି ପୁରୁଣା ବନ୍ଧୁଙ୍କ ସହିତ ଭେଟ, ଘର ବଦଳରେ କଫି ସପ୍‌ରେ ସମୟ କାଟିବା ପାଇଁ ଅନେକ ପସନ୍ଦ କରୁଛନ୍ତି। ତା’ସହିତ ଅନେକ ଲୋକ ନିଜ ବ୍ୟବସାୟିକ ଆଲୋଚନା ପାଇଁ ମଧ୍ୟ କଫି ସପ୍‌ରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି।

ଚିତ୍ରରେ ପ୍ରେମ ନିବେଦନ

publive-image

ଗରମ ଗରମ କଫି ଦ୍ୱାରା ଭାବ ଦିଆନିଆ ଏବେ ଟ୍ରେଣ୍ଡ୍‌ ହେଲାଣି। ପ୍ରେମିକଟିଏ ପ୍ରେମିକାକୁ ପ୍ରେମ ନିବେଦନ କରିବାକୁ ଥିଲେ କଫି ସାଜୁଛି ବାର୍ତ୍ତାବହ। କଫି ଉପରେ ଅଙ୍କିତ ଗୋଲାପ ଫୁଲର ଚିତ୍ର ହେଉ କି ହୃଦୟର ଚିତ୍ର ପ୍ରେମିକା ବି ଦେଖି ଭାରି ଖୁସ୍‌। ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ କଫି ଉପରେ ବିଭିନ୍ନ ଚିତ୍ର କରାଯାଉଛି। କଫି ଉପରେ ଲେଖା ଥିବା ‘ଓ୍ଵିଲ୍‌ ୟୁ ମ୍ୟାରି ମି’ ବାର୍ତ୍ତା ହେଉ କି ଜାତୀୟ ପତକା ସହ ସୂର୍ଯ୍ୟ, ବିଲେଇ, କୁକୁର ପାଦ ଚିହ୍ନ ପରି ଅନେକ ଚିତ୍ର ଖାଲି ଯୁବପିଢ଼ି ନୁହେଁ ସବୁ ବର୍ଗର ଲୋକଙ୍କୁ ଆକର୍ଷିତ କରୁଛି। ଏହାର ଦାମ୍‌ ୧୧୬ ଟଙ୍କାରୁ ଆରମ୍ଭ। ଏହି ଚିତ୍ର ଖଟିର ମୁଖ୍ୟ ପ୍ରସଙ୍ଗ ବି ପାଲଟୁଛି।

ଚାହିଦାରେ ହାଜେଲ ନେଟ୍‌ କାପେ ଚିନୋ

publive-image

ଉଭୟ ହଟ୍‌ ଓ କୋଲ୍ଡ କଫି ଯୁବପିଢିଙ୍କ ବହୁତ ପସନ୍ଦ। ସକାଳୁ କଫି ସପ୍‌ରେ ବସି ସାଙ୍ଗମାନଙ୍କ ସହ ଗପିବା ବେଳେ କିମ୍ବା ମାଗାଜିନ୍‌ଟି ପଢ଼ିବା ସମୟରେ ହଟ୍‌ କଫି ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି। ଆଉ କେହି କେହି ସାଙ୍ଗମାନଙ୍କ ସହ ସଂଧ୍ୟା ସମୟ କାଟିବା ପାଇଁ  ଆସି କୋଲ୍ଡ କଫିର ମଜା ବି ନେଇଥାଆନ୍ତି। ଯୁବପିଢିଙ୍କ ପସନ୍ଦକୁ ନଜରରେ ରଖି ବୋକା କାଫେ ମ୍ୟାନେଜର ଆଲ୍ଲାଉଦିନ୍‌ କୁହନ୍ତି, ଆମ ସପ୍‌ରେ ବିଭିନ୍ନ ଭେରାଇଟିର କଫି ମିଳୁଛି। ସେଥିରୁ ହାଜେଲ ନେଟ୍‌ କାପେ ଚିନୋ, କୋଲ୍ଡ ମୋଚା, ଆଇସ୍‌ଡ୍‌ ଆମେରିକାନ୍‌ ଓ  କୋଲଡ୍‌ ଲାଟେ କଫିର ଚାହିଦା ବହୁତ ଅଧିକ। କଫି ସପ୍‌ଗୁଡ଼ିକରେ କେବଳ କଫି ନୁହେଁ ବିଭିନ୍ନ ପ୍ରକାରର ସ୍ନାକ୍ସ ବି ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe