oneindia.com
ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଏକ କଲେଜ ଛାତ୍ରୀଙ୍କ ଦୁଇଟି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ଘଟଣାକୁ ନେଇ ବେଗୁନିଆ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନାନୁସାରେ, ଯୁକ୍ତ ଦୁଇ ଶେଷ ବର୍ଷର ଜଣେ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିତାଇଥିବା ୨ଟି ଅନ୍ତରଙ୍ଗ ଭିଡିଓ ଫେସ୍ବୁକ୍ରେ ଗତକାଲି ଭାଇରାଲ୍ ହୋଇଥିଲା। ଗୋଟିଏ ଭିଡିଓରେ କଲେଜର ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଭିଡିଓରେ ସେହି ପୁରୁଷ ବନ୍ଧୁଙ୍କ ସହ ସାଧା ପୋଷାକରେ ଅଛନ୍ତି। ଏହି ଘଟଣା ଜାଣିବା ପରେ ଛାତ୍ରୀଜଣକ ଗତକାଲି ଅପରାହ୍ଣରେ ଥାନାରେ ଏତଲା ଦେଇଥିଲେ। ଏତଲା ଭିତ୍ତିରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଛି ବୋଲି ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ମାମଲା ରୁଜୁ ହେବା ପରେ ଫେସ୍ବୁକ୍କୁ ରିପୋର୍ଟ କରାଯାଇ ଉକ୍ତ ଭିଡିଓ ଏବଂ ଆକାଉଣ୍ଟ୍ ବନ୍ଦ କରାଯିବା କଥା। କିନ୍ତୁ ପୁଲିସ୍ ତରଫରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଆଜି ବେଗୁନିଆ ଓ ଖୋର୍ଦ୍ଧା ଅଞ୍ଚଳରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା। ତେବେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସ୍ କୌଣସି ପଦକ୍ଷେପ ନନେଇ ସୋସିଆଲ୍ ମିଡିଆକୁ ଦୋଷ ଦେଇ ଚୁପ୍ ବସିବା ଘଟଣାକୁ ନେଇ ବେଗୁନିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଞ୍ଚଳରେ ଏଭଳି ଭାଇରାଲ୍ ଭିଡିଓ କ୍ରମାଗତ ଭାବେ ପ୍ରସାରିତ ହେଉଥିବା ବେଳେ ପୁଲିସର ନିରବତା ଓ ପ୍ରତିକ୍ରିୟାହୀନତାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
Follow Us