ଭୁବନେଶ୍ବର: ଆଜି କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ରାଜଧାନୀରୁ ୨ ବାଘ ଶିକାରୀଙ୍କୁ ଗିରଫ କରିବା ସହ ଏକ କଲରାପତରିଆ ଚମଡ଼ା ଜବତ କରିଛି। ଅଭିଯୁକ୍ତଦ୍ବୟ ହେଲେ ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ବାଣୀବିରି ଗ୍ରାମର ରାଜେଶ ନାୟକ ଓ କନଡ଼ି ଗ୍ରାମର ଗଙ୍ଗାଧର ନାୟକ। ଜବତ ଚମଡ଼ାଟି ପ୍ରାୟ ମାସକ ତଳେ ନୟାଗଡ଼ ଜଙ୍ଗଲରେ ଶିକାର ହୋଇଥିବା କଲରାପତରିଆ ବାଘର ବୋଲି ଅଭିଯୁକ୍ତଦ୍ବୟ ସ୍ବୀକାର କରିଛନ୍ତି। ରାଜେଶ ଓ ଗଙ୍ଗାଧର ଏକ ବାଘ ଶିକାରୀ ଗ୍ୟାଙ୍ଗ୍ର ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କୋଲକାତାର ଜଣେ ବ୍ୟବସାୟୀ ଦେଢ଼ ଲକ୍ଷ ଟଙ୍କାରେ ଏହି ଚମଡ଼ାକୁ କିଣିବା ଲାଗି ଡିଲ୍ କରିଥିଲେ ଏବଂ ଅଭିଯୁକ୍ତଦ୍ବୟ ଚମଡ଼ା ଧରି ଭୁବନେଶ୍ବର ଆସୁଥିବା ବେଳେ ଏସ୍ଟିଏଫ୍ ଜାଲରେ ପଡ଼ିଥିଲେ। ଏମାନେ ପୂର୍ବରୁ ୪ରୁ ଅଧିକ ବାଘ ଛାଲ ବିକ୍ରି କରିଥିବା ନେଇ ଏସ୍ଟିଏଫ୍ ହାତରେ ତଥ୍ୟ ପ୍ରମାଣ ଲାଗିଛି।
ଏସ୍ଟିଏଫ୍ ସୂଚନାନୁଯାୟୀ ରାଜେଶ, ଗଙ୍ଗାଧର ଓ ବୌଦ୍ଧରେ ରହୁଥିବା ଗଙ୍ଗାଧରର ମାମୁ ସତ୍ୟ ନାୟକ, ଏହି ରୢାକେଟ୍ ଚଳାଇ ଆସୁଛନ୍ତି। ବୌଦ୍ଧ ଓ ନୟାଗଡ଼ ଜଙ୍ଗଲରୁ ଏମାନେ ବାଘ ଶିକାର କରନ୍ତି ଏବଂ ଚମଡ଼ା ବିକ୍ରି କରନ୍ତି। ମାସକ ତଳେ ସେମାନେ ନୟାଗଡ଼ ଜଙ୍ଗଲରୁ ଏକ କଲରାପତରିଆ ବାଘକୁ ମାରିଥିଲେ। ଚମଡ଼ାକୁ ମାମୁ ସତ୍ୟ ନିଜ ପାଖରେ ରଖିଥିଲା। କିଣିବାକୁ ବଙ୍ଗୀୟ ଗ୍ରାହକ ଜୁଟିବା ପରେ ଗତକାଲି ଗଙ୍ଗାଧର ଓ ରାଜେଶ ଭୁବନେଶ୍ବର ଆସୁଥିଲେ। ଖବର ପାଇ ଏସ୍ଟିଏଫ୍ ଟିମ୍ ଇନ୍ଫୋଭ୍ୟାଲି ଛକରେ ଛକି ରହିଥିଲା ଏବଂ ସେମାନଙ୍କୁ କାବୁ କରିଥିଲା। ଏସ୍ଟିଏଫ୍ ବଙ୍ଗୀୟ କ୍ରେତାକୁ ଠାବ କରିବାକୁ ଉଦ୍ୟମ ଚଳାଇଛି। କ୍ରେତା ଠାବ ହେବା ପରେ ଏହି ନେଟ୍ୱର୍କର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ଜଣାପଡ଼ିବ। ସେହିଭଳି ମାମୁ ସତ୍ୟକୁ ଗିରଫ କରିବାକୁ ବୌଦ୍ଧରେ ଚଢ଼ଉ ଆରମ୍ଭ ହୋଇଛି।
କଲରାପତରିଆ ଚମଡ଼ା ଜବତ: ୨ ଶିକାରୀ ଗିରଫ
Advertisment
Follow Us