କଣ୍ଟ ପୂରିଲା, କ୍ୟାମ୍ପସ୍‌ ବଦଳିଲାନି

ଏବେ ବି ଗୋଟିଏ କ୍ୟାମ୍ପସରେ ବିଜେବି ଯୁକ୍ତ୨ ଓ ଯୁକ୍ତ୩ କଲେଜ, କର୍ତୃପକ୍ଷଙ୍କ ଦ୍ବନ୍ଦ୍ବ ବଢ଼ାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନି‌ର୍ଦେଶାଳୟ ଚିଠି

Odisha Bytes

ଭୁବନେଶ୍ବର : ଜୁଲାଇ ୧୫ ସୁଦ୍ଧା‌ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୟାମ୍ପସ ଅଲଗା ହେବ ବୋଲି ସ୍ଥିର ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ମେ’ ମାସରେ ବସିଥିବା ବୈଠକରେ ଏନେଇ ବ୍ୟାପକ ଆଲୋଚନା କରାଯିବା ସହ କିଭଳି ଓ କେମିତି ହେବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ କଣ୍ଟ ପୂରିଯାଇଥିଲେ ମଧ୍ୟ ଉକ୍ତ ଦୁଇ କଲେଜ କ୍ୟାମ୍ପସ ଅଲଗା‌ ହୋଇପାରିନି। ପୂର୍ବଭଳି ଗୋଟିଏ କ୍ୟାମ୍ପସରେ ଚାଲୁଛି ରାଜ୍ୟର ପ୍ରମୁଖ ଦୁଇ ଶିକ୍ଷାନୁଷ୍ଠାନ। କେବେ ଅଲଗା କରାଯିବ ସେନେଇ କାହା ପାଖରେ ଉତ୍ତର ନାହିଁ।

ନିଷ୍ପତ୍ତି ଅନୁଯାୟୀ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଆର୍ଟସ ବ୍ଲକକୁ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର ହେବ। ଆର୍ଟସ ବ୍ଲକରେ ଚାଲିଥିବା ମହାବିଦ୍ୟାଳୟର ସମସ୍ତ ବିଭାଗ ସାଇନ୍ସ ବ୍ଲକକୁ ଆସିବ। ସାଇନ୍ସ ବ୍ଲକରେ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଆଟର୍ସ ବ୍ଲକରେ ଜୁନିଅର କଲେଜ ଚାଲିବ। ସାଇନ୍ସ ବ୍ଳକରେ ନିର୍ମାଣ ହୋଇଥିବା ୭ ମହଲା ବିଶିଷ୍ଟ କୋଠାରେ ସ୍ବୟଂଶାସିତ ମହାବିଦ୍ୟାଳୟର ଆର୍ଟସ ବ୍ଲକ ହେବ। ବର୍ତମାନର ଆର୍ଟସ ବ୍ଲକରେ ଥିବା ଭିତ୍ତିଭୂମି ସହ ଉଦ୍‌ଘାଟନ ପରେ ତାଲା ପଡ଼ିଥିବା ୭ ମହଲା ବିଶିଷ୍ଟ କୋଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାଲିବ। ଚଳିତ ଶିକ୍ଷାବର୍ଷରୁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ‌ତେବେ ତାହା କାର୍ଯ୍ୟକାରୀ ହୋଇପାରି ନଥିବାରୁ ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ଗୋଟିଏ କ୍ୟାମ୍ପସ‌ରେ ଦୁଇଟି ଶିକ୍ଷାନୁଷ୍ଠାନର ପାଠପଢ଼ା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ରାଜ୍ୟର ଯେଉଁ କଲେଜ ଯେଉଁଠି ରହିଛି ସେଠାରେ ରହିବ। ଅଲଗା ହେବନି। ଗୋଟିଏ କ୍ୟାମ୍ପସରେ ଉଭୟ ଯୁକ୍ତ୨ ଓ ଯୁକ୍ତ୩ କଲେଜ ଚାଲିଛି ତାହାକୁ ଅଲଗା ନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ଉଭୟ କଲେଜର ଅଧ୍ୟକ୍ଷ ଏକାଠି ବସି କେଉଁଠି କେତେବେଳେ କେଉଁ କଲେଜର କ୍ଲାସ ହେବ ତାହା ଚିହ୍ନଟ କରିବେ। କେବଳ ଯୁକ୍ତ୨ ପାଇଁ କେଉଁ କ୍ଲାସ ରହିବ, କେବଳ ଯୁକ୍ତ୩ ପାଇଁ କେଉଁ କ୍ଲାସରୁମ୍‌ ରହିବ ଓ କେଉଁ କ୍ଲାସରୁମ୍‌କୁ ଉଭୟ କଲେଜ ବ୍ୟବହାର କରିବେ ତାହା ଚିହ୍ନଟ କରିବେ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶାଳୟ ପକ୍ଷରୁ ଗତକାଲି କୁହାଯାଇଛି। ଏଭଳି ଚିଠି ମିଳିବା ପରେ ବିଜେବିର ଦୁଇ କଲେଜ କର୍ତୃପକ୍ଷଙ୍କ ମଧ୍ୟ‌ରେ ଦ୍ବନ୍ଦ୍ବ ପରିସ୍ଥିତି ଉପୁଜିଛି। କଲେଜ କ୍ୟାମ୍ପସ ଅଲଗା ହେବ ନା ଯେମିତି ଅଛି ସେମିତି ରହିବ ତାହାକୁ ନେଇ ଉଭୟ କଲେଜ ଅଧ୍ୟକ୍ଷ ଏବେ ଚିନ୍ତା ପ୍ରକଟ କରିଛନ୍ତି।

ସେପଟେ ଆର୍ଟସ୍‌ ବ୍ଲକରେ ନିର୍ମାଣ ହୋଇଥିବା ୭ ମହଲା କୋଠାରେ ଇଭିଏମ୍‌ ‌ମେସିନ୍‌ ରହିଛି। ଯେଉଁଥିପାଇଁ ବାକି କାର୍ଯ୍ୟ ଆଗେଇ ପାରୁନି। ଇଭିଏମ୍‌ ସ୍ଥାନାନ୍ତର ଲାଗି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ପ୍ରଥମେ ଖୋର୍ଧା ଜିଲ୍ଲାପାଳ ଓ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଚିଠି ଲେଖିଥିଲେ ମଧ୍ୟ କୋଠା ଖାଲି ହୋଇପାରିନି। ଆଗକୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ସମସ୍ୟା ଉପୁଜିବ ବୋଲି କଲେଜ କ‌ର୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe