ଜୀବନ ରଙ୍ଗ: ଆସିଲାଣି ଶୀତ, ଜମିଲାଣି ବଜାର

Advertisment
ଜୀବନ ରଙ୍ଗ: ଆସିଲାଣି ଶୀତ, ଜମିଲାଣି ବଜାର

Sambad English

ରାଜଧାନୀକୁ ଛୁଇଁ ସାରିଲାଣି ଶୀତ। ଶୀତର ସୂକ୍ଷ୍ମ ଆଘାତ ସହ୍ୟ କରିବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତେ। ଆଲ୍‌ମିରାରୁ ବାହାରିଲାଣି ଭଙ୍ଗାଭଙ୍ଗି ହୋଇ ସାଇତା ହୋଇଥିବା କମ୍ବଳ, ସ୍ବେଟର୍‌, ମଫଲର, ଟୋପି। ଏହାକୁ ଦୃଷ୍ଟିରେ ରଖି ନେପାଳରୁ ରାଜସ୍ଥାନ ପର୍ଯ୍ୟନ୍ତ ଅଣଓଡ଼ିଆ ବେପାରୀଙ୍କ ଭିଡ଼ ଜମିଲାଣି ରାଜଧାନୀ ବଜାରରେ। ପସରା ଖୋଲି ସେମାନେ ଗ୍ରାହକଙ୍କୁ ଅପେକ୍ଷା କଲେଣି ଭେଟି ଦେବାକୁ ଭଳିକି ଭଳି ଶୀତ ପୋଷାକ। ଶୀତ ସକାଳରେ ପ୍ରକୃତି କୋଳରେ ଫୁଟି ଉଠିଲାଣି ଅନେକ ଅଳସୀ ଫୁଲ। ତାକୁ ନେଇ ଘରେ ଓ ବଗିଚାରେ ସଜାଇବାକୁ ଲାଗିପଡ଼ିଲେଣି ଲୋକେ। ପୁଣି ଶୀତର ଉଷ୍ମତାରେ ଗରମାଗରମ ଖାଇବାକୁ ବା କାହାର ଇଚ୍ଛା ନାହିଁ! ଯେଉଁଠି ଗରମ ବାମ୍ଫ ଆଉ ପାଟିକୁ ସୁଆଦିଆ ଖାଦ୍ୟ ମିଳୁଛି, ସେଆଡ଼େ ଆକୃଷ୍ଟ ହେଲେଣି ପିଲାଠୁ ବୁଢ଼ା। ସ୍ବାସ୍ଥ୍ୟ ପ୍ରତି ଅହେତୁକ ସଚେତନ ଥିବା ଲୋକମାନେ ଶୀତଦିନିଆ ଫଳ କିଣିବାକୁ ଆଗେଇ ଗଲେଣି। ଏସବୁ ଆଖିରେ ରଖି ଶୀତଦିନିଆ ଫଳର ସମ୍ଭାର ତ ରାଜଧାନୀ ରାସ୍ତାକଡ଼େ ଛାଇଗଲାଣି। ଶୀତ ଦିନିଆ ଜୀବନଶୈଳୀକୁ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା...

ପ୍ରଥମ ପସନ୍ଦରେ ହୁଡ୍ଡି

ସାରା ରାଜ୍ୟକୁ ସ୍ପର୍ଶ କଲାଣି ମାର୍ଗଶିରର ଶୀତ। ପାରଦସ୍ତର କ୍ରମଶଃ ଖସିବା ଆରମ୍ଭ ହୋଇଗଲାଣି। ତେଣୁ ଶୀତ ସହ ତାଳ ଦେଇ ରାଜଧାନୀ ଶୀତବସ୍ତ୍ର ବଜାର ମଧ୍ୟ ସରଗରମ ହେଲାଣି। ରାସ୍ତାକଡ଼ରୁ ଆରମ୍ଭ କରି ମଲ୍‌ ପର୍ଯ୍ୟନ୍ତ ଏବେ ସବୁଠି ପାରମ୍ପରିକ ଶୀତ ବସ୍ତ୍ର ସାଙ୍ଗକୁ ବିଭିନ୍ନ ଷ୍ଟାଇଲିସ୍‌ ଶୀତ ବସ୍ତ୍ରର ସମ୍ଭାର ଦେଖିବାକୁ ମିଳିଲାଣି। ୟୁନିଟ୍‌-୧ ମାର୍କେଟ୍‌, ମାର୍କେଟ୍‌ ବିଲ୍ଡିଂ, ସହିଦନଗର, ବରମୁଣ୍ଡା, ନୂଆପଲ୍ଲୀ, ପଳାସୁଣି, ରସୁଲଗଡ଼ ଆଦି ସ୍ଥାନରେ ରଙ୍ଗବେରଙ୍ଗର କମ୍ବଳ ସାଙ୍ଗକୁ ଭଳିକି ଭଳି ସ୍ବେଟର ବିକ୍ରି ହେଉଛି। ଯାହା ପଥଚାରୀଙ୍କୁ ଆକୃଷ୍ଟ କରୁଛି। ଯିଏ ସେହି ରାସ୍ତା ଦେଇ ଯାଉଛି, ଦଣ୍ଡେ ରହିବାକୁ ବାଧ୍ୟ ହେଉଛି। ଏଥିରେ ରଙ୍ଗବେରଙ୍ଗର ହୁଡ୍ଡି, ଉଲ୍‌ ଗଞ୍ଜି, ଲଙ୍ଗ୍‌ ସ୍ବେଟର୍‌, ସର୍ଟ ସ୍ବେଟର୍‌ ଜ୍ୟାକେଟ୍‌, ସ୍ରଗ୍‌ ଆଦି ବିକ୍ରି ହେଉଛି। ଏହାର ଦାମ ଯଥାକ୍ରମେ ୬୦୦- ୭୦୦ଟଙ୍କାରୁ ଆରମ୍ଭ ହୋଇ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ସହିଦନଗରସ୍ଥିତ ଶୀତ ବସ୍ତ୍ର ବଜାରର ବ୍ୟବସାୟୀ ସୁମନ୍ତ ରାଉଳ କହିଛନ୍ତି। ଏବେ ଯୁବକମାନେ ହୁଡ୍ଡି ପସନ୍ଦ କରୁଥିବା ବେଳେ ଝିଅମାନେ ଲଙ୍ଗ୍‌ ସ୍ବେଟର୍‌କୁ ବେଶି ପସନ୍ଦ କରୁଛନ୍ତି। ସେହିଭଳି ଲେଦର୍‌ ଜ୍ୟାକେଟ୍‌କୁ ମଧ୍ୟ ଉଭୟ ପୁରୁଷ ଓ ମହିଳା ବେଶ୍‌ ପସନ୍ଦ କରୁଛନ୍ତି। ମୁଣ୍ଡ ପାଇଁ କାର୍ଟୁନ୍‌ କ୍ୟାପ୍‌ ଏବେ ସମସ୍ତଙ୍କର ବେଶ୍‌ ପସନ୍ଦ ବୋଲି ଜଣାପଡ଼ିଛି।

ଦେଶୀ-ବିଦେଶୀ ଫୁଲରେ ସାଜସଜ୍ଜା

publive-image OrissaPOST

ଶୀତ ନେଇ ଆସିଛି ଫୁଲର ସମ୍ଭାର। ନୂଆ ରୂପରେ ଘରର ବଗିଚା, ବାଲ୍‌କୋନି, ଛାତ ଆଦି ସଜେଇ ହେଲାଣି। ସେବତୀ, ଡାଲିଆ, କୁସୁମ ଭଳି ଫୁଲରେ ସବୁଆଡ଼ ଭର୍ତ୍ତି। ସେହିଭଳି ଜାତିଆ ଫୁଲ ଗେଣ୍ଡୁ ମଣ୍ଡା ଭଳି ବିଦେଶୀ ଫୁଲ ପିଟୁନିଆ ଓ ଡାଏଥେନସ୍‌ର ଚାହିଦା ରହିଥିବା ନେଇ ମାର୍କେଟ୍‌ ବିଲ୍ଡିଂର ପ୍ରଭାତ ନର୍ସରୀର ମାଧବ ଚନ୍ଦ୍ର ସାହୁ କହିଛନ୍ତି। ଲୋକମାନେ ଏହି ଚାରାଗୁଡ଼ିକୁ ବେଶ୍‌ ଆଦରର ସହ କିଣି ନେଉଛନ୍ତି। ସେହିଭଳି ଫୁଲସଜ୍ଜା ଦୋକାନଗୁଡ଼ିକରେ ମଧ୍ୟ ଗେଣ୍ଡୁ, ବାସନ୍ତୀ, ଅର୍କିଡ, ଜା‌ରବେରା, ଗୋଲାପ ରଙ୍ଗିନ୍‌, ପଦ୍ମ, ଷ୍ଟାର୍‌ ଧଳା, ଜାରବେରା, ସେବତୀ, ରଜନୀଗନ୍ଧା, କ୍ଲାଷ୍ଟର୍‌, ଲିଲିୟମ୍‌ ଆଦିର ଚାହିଦା ବେଶ୍‌ ବଢ଼ିଯାଇଛି। ମା’ ମଙ୍ଗଳା ପୁଷ୍ପ ଭଣ୍ଡାରର ନରୋତ୍ତମ ବଶ୍ବାଳଙ୍କ କହିବାନୁସାରେ, ଏସବୁ ଫୁଲ ଏବେ ଘରସଜ୍ଜା, ଜନ୍ମଦିନ ପାର୍ଟି, ବାହାଘର ଗାଡ଼ି ସଜ୍ଜା ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଇଁ ବେଶ୍‌ ବ୍ୟବହାର ହେଉଛି। ଚଳିତବର୍ଷ ଦାମ୍‌ ଟିକିଏ ଅଧିକ ରହିଥିଲେ ବି ଲୋକମାନେ ଏସବୁ ଫୁଲକୁ କିଣିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି।

ଜମୁଛି ଫଳ ବେପାର

publive-image How to Start an LLC

ଶୀତ ଦିନରେ ଶରୀରର ଜଳୀୟ ଅଂଶ କମିବା ସହ ଶରୀରରେ ଶୁଷ୍କତା ଅନୁଭବ ହୁଏ। ଫଳରେ ଦେହ ଶୁଖିଲା ଲାଗିବା ସହ ଚମଡ଼ା ଶୁଖିଲା ଦେଖାଯାଏ। ଏହି ସମୟରେ ଡାକ୍ତରମାନେ ଭିଟାମିନ୍‌ ସି’ ଭରପୂର ମାତ୍ରାରେ ଥିବା ଫଳ ଖାଇବା ପାଇଁ କହିଥା’ନ୍ତି। ତେଣୁ ଏହି ଋତୁରେ ଭଳିକିଭଳି ତଟ୍‌କା ଫଳ ରାସ୍ତାକଡ଼ରେ ଦେଖିବାକୁ ମ‌ିଳେ। ଆତ, ରାମଫଳ, କମଳା, ଡାଳିମ୍ବ, ପିଜୁଳି, ସପେଟା ଆଦି ଅନେକ ଫଳ ଏବେ ରାଜଧାନୀ ଫଳ ବଜାରକୁ ଅକ୍ତିଆର କରିବା ଆରମ୍ଭ କଲାଣି। ଶୀତ ଦିନେ ଏହି ଫଳର ଚାହିଦା ଅଧିକ ଥିବାରୁ ଦୋକାନୀମାନେ ବି ଗଦା କଲେଣି। ଏକ ନମ୍ବର ମାର୍କେଟ୍‌ର ଫଳ ବ୍ୟବସାୟୀ ବିଜୟ ସାହୁ କହିଛନ୍ତି, ଗ୍ରାହକଙ୍କ ପକେଟ୍‌କୁ ସୁହାଇଲା ଭଳି ଦର ରହିଛି। ତେଣୁ ଲୋକମାନେ କେଜିଏ ଜାଗାରେ ଦୁଇ କେଜି କିଣି ନେବାକୁ ପଛାଉ ନାହାନ୍ତି। ପୂର୍ବରୁ ଦର ସାମାନ୍ୟ ଉଚ୍ଚା ରହୁଥିଲା ବୋଲି ବେପାର ମାନ୍ଦା ରହୁଥିଲା, ଏବେ ଦର କମ ରହୁଥିବାରୁ ବେପାର ବି ଜମୁଛି।

ଗରମାଗରମ ଚଟ୍‌ପଟିରେ ସହରିଆଙ୍କ ମନ

publive-image Aliza's Kitchen

‘ସରଷୋଁ କା ଶାଗ, ମକେ କା ରୋଟି’ କଥା ହିନ୍ଦୀ ଚଳଚ୍ଚିତ୍ରରେ ଅନେକଥର ଶୁଣିଥି‌ବେ। କେବେ ଖାଇଛନ୍ତି? ଦେଶୀ ଘିଅରେ ପଞ୍ଜାବର ଏହି ପ୍ରସିଦ୍ଧ ଖାଦ୍ୟ ଖାଇବାକୁ ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ପ୍ରକାଶ ପାଉଛି। ଶୀତଦିନିଆ ଥଣ୍ଡାକୁ ଗରମାଗରମ ଏହି ସୁଆଦିଆ ଖାଦ୍ୟ ଲୋକଙ୍କୁ ସହିଦନଗର ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ୍‌ ନିକଟକୁ ଟାଣି ଆଣୁଛି। ସେହିଭଳି ଗରମ ଭଟୁରେ ମସଲାଦାର୍‌ ଛୋଲେ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ସେମିତି ଘରେ ହେଉ ବା ହୋଟେଲ କିମ୍ବା ମିଠା ଦୋକାନ; ସବୁଠି ଗରମାଗରମ ଗାଜର ହାଲୁ୍ଆ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ସେହିଭଳି ଜୁସ୍‌ ଦୋକାନରେ ଏବେ ମଲାଇ ମଖନ୍‌ର ଚାହିଦା ବଢ଼ି ଯାଇଛି। ଖରାଦିନର ମୃଦୁ ପାନୀୟ ଭଳି ଶୀତ ଦ‌ିନେ ମଲାଇ ମଖନ୍‌ ପିଇବା ପାଇଁ ଲୋକଙ୍କ ଭିତରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ଏହାବ୍ୟତୀତ ସନ୍ଧ୍ୟାରେ ରାସ୍ତାକଡ଼ ବିହାରୀ ବେପାରୀଙ୍କ ଗରମ ଜିଲାପି ସାଙ୍ଗକୁ ପକୁଡ଼ି ବେପାର ବି ଜମୁଛି। ଏହାକୁ ଖାଇବା ପାଇଁ ରାଜଧାନୀବାସୀଙ୍କ ଭିଡ଼ କାହିଁରେ କେତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe