ଆସୁଛି ବଡ଼ ବର୍ଷା: ମୁକାବିଲା ପାଇଁ ଜୋରଦାର୍‌ ପ୍ରସ୍ତୁତି

୫୨ ପମ୍ପ୍‌, ୧୫ଜେସିବି, ୨୭୦୦ ସଫେଇ କର୍ମଚାରୀ ସଜାଗ

ଆସୁଛି ବଡ଼ ବର୍ଷା: ମୁକାବିଲା ପାଇଁ ଜୋରଦାର୍‌ ପ୍ରସ୍ତୁତି

ଭୁବନେଶ୍ୱର: ରାଜଧାନୀରେ ଆସନ୍ତା ୩୬ରୁ ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦିନକରେ ୨୦୪ ମିମିରୁ ଅଧିକ ବର୍ଷା ହୋଇପାରେ। ଏହି ସମୟରେ ବର୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୂରା ପ୍ରଶାସନ ଏକଜୁଟ୍‌ ହୋଇଯାଇଛି। ବିଏମ୍‌ସି କମିସନର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ବସି ବିଭିନ୍ନ ପଦକ୍ଷେପ ନିଆଯାଇଛି। କିପରି ବର୍ଷା ଜଳ ତୁରନ୍ତ ନିଷ୍କାସନ ହେବ, ଜଳବନ୍ଦୀ ଲୋକଙ୍କୁ କିପରି ତୁରନ୍ତ ସୁବିଧା ଯୋଗାଇ ଦିଆଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀ ଯେପରି ସଜାଗ ରହିବେ ସେଥିପାଇଁ ବିଏମ୍‌ସି, ବିଡିଏର କର୍ମଚାରୀ ଓ ପୂର୍ତ୍ତ ବିଭାଗର ୫ଟି ଯାକ ଡିଭିଜନ୍‌ର ଇଞ୍ଜିନିୟରଙ୍କ ଛୁଟି ବାତିଲ୍‌ କରାଯାଇଛି। ବର୍ଷାର ମୁକାବିଲା ପାଇଁ ପ୍ରଶାସନ ଆଜିଠୁ ପୂରା ସଜାଗ ହୋଇଯାଇଛି।

ବିଏମ୍‌ସି ଓ ବିଡିଏ, ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍‌
ବିଏମ୍‌ସିରେ ଖୋଲିଲା କଣ୍ଟ୍ରୋଲ ରୁମ୍‌

ବିଏମ୍‌ସିକୁ ୧୩ଟି ସବ୍‌ ଜୋନ୍‌ରେ ବିଭକ୍ତ କରାଯାଇଥିବାବେଳେ ତୁରନ୍ତ ପଦକ୍ଷେପ ନେବା ପାଇଁ ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ, ଜିଲ୍ଲା ପ୍ରଶାସନ, ଓଡ଼ିଶା ଜଳଯୋଗାଣ ଓ ସ୍ୱେରେଜ୍‌ ବୋର୍ଡ, ସେସୁ, ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ବିଏମ୍‌ସିରେ ଗୋଟିଏ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ଏଥିରେ ବିଏମ୍‌ସି ଓ ବିଡିଏ ସମେତ ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଜଳସମ୍ପଦ ବିଭାଗର ପ୍ରାଚୀ ଡିଭିଜନ୍‌, ସେସୁର ଅଧିକାରୀମାନେ ରହିବେ। ବର୍ଷା ସମୟରେ ରାଜଧାନୀର ୫୭ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବାବେଳେ ୫୨ଟି ପାଣି ପମ୍ପ୍‌ ଏଥିପାଇଁ ନିୟୋଜିତ ହେବ। ଏଥିରେ ବିଏମ୍‌ସିର ୧୯ଟି, ଅଗ୍ନିଶମ ବିଭାଗର ୩୩ଟି ପମ୍ପ୍‌ ରହିଛି। ମୋଟ୍‌ ୫୨ଟି ପମ୍ପ୍‌ରୁ ୩୦ଟି ଆଜି ରାତିରୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଏହାସହ ୧୫ଟି ଜେସିବି, ପ୍ରୋକ୍ଲେନ୍‌ ମେସିନ୍‌ ନିୟୋଜିତ ହୋଇଛି। ତିନିଟି ସଫେଇ ସଂସ୍ଥାର ମୋଟ୍‌ ୨୭୦୦ ସଫେଇ କର୍ମଚାରୀ ଏଥିରେ ସାମିଲ୍‌ ହେବେ। ସବ୍‌ଜୋନ୍‌ ଗୁଡ଼ିକରେ ନୋଡାଲ ଅଧିକାରୀମାନେ ତୁରନ୍ତ ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ ଥିବାବେଳେ ତାଙ୍କୁ ସହଯୋଗ କରିବା ପାଇଁ ୪ରୁ ୫ଜଣ କର୍ମଚାରୀ ରହିବେ। ଓ୍ଵାର୍ଡ ଅଫିସର୍‌ ଓ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ସେମାନଙ୍କ ଓ୍ଵାର୍ଡ ଛାଡ଼ି ନଯିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭିନ୍ନ ସଂସ୍ଥାକୁ ନେଇ ବିଏମ୍‌ସିରେ ଆଜିଠାରୁ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୫୪୮୨୯୫ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe