ଚନ୍ଦ୍ରଶେଖରପୁର: ଲକ୍ଡାଉନ୍ ଯୋଗୁଁ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ କଳାକାରମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି। ସୁଟିଂ ବନ୍ଦ ଥିବାରୁ ଏବେ ଅଧିକାଂଶ କଳାକାର ଦୁର୍ଦ୍ଦିନରେ ଗତି କରୁଛନ୍ତି। କିନ୍ତୁ ଏଭଳି ବିପତ୍ତି ସମୟରେ ପରିସ୍ଥିତି ଆଗରେ ହାର୍ ମାନିନାହାନ୍ତି ଓଲିଉଡ୍ କଳାକାର ତଥା ହାସ୍ୟ ଅଭିନେତା ରବି କୁମାର। ପରିବାର ପ୍ରତିପୋଷଣ ପାଇଁ ସେ ଏବେ ପରିବା ବେପାର କରୁଛନ୍ତି। ନୂଆଗାଁ ରାସ୍ତାକଡ଼ରେ ବସି ପରିବା ବିକିବା ସହ ସକାଳ ବେଳା ଗାଡ଼ିରେ ଘରକୁ ଘର ବୁଲି ଲୋକଙ୍କୁ ପରିବା ଯୋଗାଇ ଦେଉଛନ୍ତି। ଖାଲି ସେତିକି ନୁହେଁ, ମଧ୍ୟାହ୍ନରେ ଛତୁ ଓ ସଂଧ୍ୟାରେ ଅଣ୍ଡା ମଧ୍ୟ ବିକୁଛନ୍ତି। ତେବେ ପରିବା ବିକିବା ବେଳେ ଗ୍ରାହକଙ୍କୁ ମଜାଳିଆ କଥା କହୁଥିବାରୁ ତାଙ୍କ ବେପାର ଭଲ ହେଉଛି। ଗ୍ରାହକମାନେ ବି ଖୁସିରେ ତାଙ୍କଠାରୁ ପରିବା କିଣୁଛନ୍ତି।
ରବି କହିଛନ୍ତି, ଏହି ବ୍ୟବସାୟ ଆଳରେ ସେ ଲୋକମାନଙ୍କୁ କରୋନା ନେଇ ସଚେତନ ମଧ୍ୟ କରୁଛନ୍ତି। ପରିବା କିଣିବା ପୂର୍ବରୁ ଗ୍ରାହକଙ୍କ ହାତରେ ସାବୁନ୍ ଦେଇ ହାତ ଧୋଇବା ପାଇଁ ପାଣି ଦେଉଛନ୍ତି। ସାମାଜିକ ଦୂରତା ରକ୍ଷା କରି ଓ ମୁହଁରେ ମାସ୍କ ପିନ୍ଧି ଜିନିଷ କିଣିବା ପାଇଁ ସଚେତନ କରାଉଛନ୍ତି। ଉଲ୍ଲେଖଯୋଗ୍ୟ, ସାମନ୍ତରାପୁରରେ ରହୁଥିବା ଓଲିଉଡ୍ ଅଭିନେତା ରବି କୁମାର ପାଖାପାଖି ୫୦ଅଧିକ ଚଳଚ୍ଚିତ୍ର, ୧୦ରୁ ଅଧିକ ଧାରାବାହିକ ଏବଂ ଶତାଧିକ ଆଲବମ୍ରେ ଅଭିନୟ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us