କମିସନରେଟ୍‌ ପୁଲିସର ରେକର୍ଡ: ଦିନକରେ ୨ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ

୧୨୮୮ ଜଣ ଗଣିଲେ ତଣ୍ଡ

କମିସନରେଟ୍‌ ପୁଲିସର ରେକର୍ଡ: ଦିନକରେ ୨ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଛନ୍ତି କି ? କିମ୍ବା କାର୍‌ରେ ସିଟ୍‌ ବେଲ୍‌ଟ ପିନ୍ଧୁ ନାହାନ୍ତି, ହୁସିଆର୍‌! କମିସନରେଟ ପୁଲିସ ଏବେ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନୂଆ ପୁଲିସ କମିସନର ଭାବେ ସତ୍ୟଜିତ ମହାନ୍ତି ଯୋଗଦେବା ପରେ ଟ୍ରାଫିକ୍‌ ପୁଲିସ ଚଳଚଞ୍ଚଳ ହୋଇ ଉଠିଛି। ଗୋଟିଏ ଦିନରେ ଭୁବନେଶ୍ୱର ଟ୍ରାଫିକ୍‌ ପୁଲିସ ଜରିମାନା ଆଦାୟରେ ରେକର୍ଡ କରିଛି। ଗୋଟିଏ ଦିନରେ ପୁଲିସ ମୋଟ ୧୨୮୮ଜଣ ନିୟମ ଖିଲାପକାରୀଙ୍କଠାରୁ ୨ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏହା କମିସନ୍‌ରେଟ୍‌ ପୁଲିସର ସର୍ବକାଳୀନ ରେକର୍ଡ। ଖାଲି ସେତିକି ନୁହେଁ, ସହରର ବିଭିନ୍ନ ଛକରେ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିଥିବା ୩୦୦ଜଣଙ୍କୁ ସିସି କ୍ୟାମେରା ଧରିଛି। ସେମାନଙ୍କ ଗାଡ଼ି ନମ୍ବରକୁ ଆଧାର କରି ଗାଡ଼ି ମାଲିକମାନଙ୍କୁ ନୋଟିସ୍‌ ମଧ୍ୟ କରାଯାଇଛି। ସେମାନେ ଖୁବ୍‌ ଶୀଘ୍ର ଟ୍ରାଫିକ୍‌ ଥାନାରେ ପହଞ୍ଚି ଜରିମାନା ଦେବେ। ଜାତୀୟ ରାଜପଥରେ ଦ୍ରୁତ ବେଗରେ ବାଇକ୍‌ ଚଳାଉଥିବା ୬୨ଜଣ ଧରା ପଡ଼ିଛନ୍ତି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର କରାଯିବ ବୋଲି ଟ୍ରାଫିକ୍‌ ଏସିପି ଅନୁପ କାନୁନଗୋ କହିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବରୁ ୧୧୪୪ ଜଣଙ୍କଠାରୁ ୨ ଲକ୍ଷ ୧୩ ହଜାର ଫାଇନ୍‌ ଆଦାୟ ସର୍ବକାଳୀନ ରେକର୍ଡ ଥିଲା। କିନ୍ତୁ ଆଜିର ଫାଇନ୍‌ ଆଦାୟ ଏହି ରେକର୍ଡକୁ କାଟି ଦେଇଛି। ଚଳିତ ବର୍ଷ ଏବେ ସୁଦ୍ଧା ପାଖାପାଖି ୨ କୋଟି ଟଙ୍କା ଜରିମାନା ଆଦାୟ ସରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe