ଭୁବନେଶ୍ବର: ଆଜ୍ଞା ମୋ ଘର ନିମାପଡ଼ାରେ। ମୋ ଅଙ୍କଲଙ୍କର ଉଚ୍ଚ ରକ୍ତ ଚାପ ଓ ଡାଇବେଟିସ୍। ମୁଁ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସେ କିଛି ଔଷଧ ଲେଖି ଦେଲେ। କିନ୍ତୁ ଏହି ଔଷଧ କେବଳ ଭୁବନେଶ୍ବର ରାମମନ୍ଦିର ନିକଟରେ ଥିବା ଏକ ମେଡିସିନ୍ ଷ୍ଟୋରରେ ମିଳୁଛି। ମୋତେ ଅନୁମତି ଦେଲେ ମୁଁ ଭୁବନେଶ୍ବର ଯାଇ ମେଡିସିନ୍ ଆଣିବି। ଏମିତି ଲେଖିବା ସହ ଏକ ସାଦା କାଗଜରେ ଔଷଧ ଚିଠାର ଫଟୋ ଦେଇ ଆଜି ପୂର୍ବାହ୍ନରେ ପୁଲିସ କମିସନରଙ୍କୁ ଟ୍ବି୍ଟ୍ କରିଥିଲେ ନିମାପଡ଼ାର ଜଣେ ବ୍ୟକ୍ତି। କିନ୍ତୁ ଏହି ମିଛ କାମ ଦେଇ ନ ଥିଲା। ପୁଲିସ କମିସନର ଟ୍ବିଟକୁ ପଢିବା ପରେ ସେଥିରେ ଥିବା ଔଷଧ ଚିଠାକୁ ଯାଞ୍ଚ କରିଥିଲେ। ସେହି ମେଡିସିନ୍ ନିମାପଡ଼ାରେ ମିଳୁଛି କି ନାହିଁ ନିଜେ ପଚାରି ବୁଝିଥିଲେ। କିନ୍ତୁ ନିମାପଡ଼ାର ମେଡିସିନ୍ ଷ୍ଟୋରରେ ସେହି ଔଷଧ ଉପଲବ୍ଧ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଟ୍ବିଟ୍ କରିଥିବା ବ୍ୟକ୍ତିଙ୍କର ବିସ୍ତୃତ ଉତ୍ତର ରଖିଥିଲେ ପୁଲିସ କମିସନର।
ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମିଛ କଥା ଲେଖି ଟ୍ବିଟ୍ କରିବା ବଡ଼ ଦୁର୍ଭାଗ୍ୟଜନକ ବୋଲି ପୁଲିସ କମିସନର ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଖାଲି ସେତିକି ନୁହେଁ ଆଗକୁ ଏଭଳି ମିଛ ଲେଖି ଟ୍ବିଟ୍ କଲେ ଉତ୍ତରଦାୟୀ ରହିବେ ବୋଲି ସମସ୍ତଙ୍କୁ ଚେତାଇ ଦେଇଛନ୍ତି। ସବୁଠୁ ବଡ଼ ଦୁର୍ଭାଗ୍ୟର ବିଷୟ ହେଲା ଅନେକ ଲୋକ ଘର ବାହାରକୁ ଆସିବା ଲାଗି ମେଡିକାଲ ପ୍ରସଙ୍ଗର ସାହାରା ନେଉଛନ୍ତି। ଯାହାକୁ ଆଗକୁ ରାଧୁଆ ମିଛୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଗାଡ଼ି ଧରି ବାହାରେ ନ ବୁଲି ପାଖ ମାର୍କେଟରୁ ନେବାକୁ ପୁଲିସ କମିସନର ବାରମ୍ବାର ଅନୁରୋଧ କରି ଆସୁଛନ୍ତି।
Follow Us