ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ କମିସନର

ଚର୍ଚ୍ଚାରେ ଲକ୍ଷ୍ମୀବିହାର ରାସ୍ତା, ଡେପୁଟି କମିସନର(ଲ’)ଙ୍କୁ କାରଣ ଦର୍ଶାଅ ‌ନୋଟିସ୍‌

ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ କମିସନର

ଭୁବନେଶ୍ବର: ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ ଛିଡ଼ାହୋଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ହାଇକୋର୍ଟଙ୍କ ନୋଟିସ୍‌ ପରେ ବି ଏକ ରାସ୍ତା କାମ ନ ହେବାରୁ କମିସନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌ ହୋଇଥିଲା। କମିସନର ବ୍ୟକ୍ତିଗତ ଭାବରେ ହାଜର ହୋଇ ମାସେ ମଧ୍ୟରେ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ହଠାତ୍‌ କାହିଁକି ବ୍ୟକ୍ତିଗତ ହାଜିରା ଆଦେଶ ହେଲା ତାହା ଜାଣିବାକୁ ଖୋଳତାଡ଼ କରିଥିଲେ। ଖୋଳତାଡ଼ ପରେ ଜଣା ପଡ଼ିଥିଲା କି ଲ’ ଉପବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ଅବହେଳା ଯୋଗୁ ହାଇକୋର୍ଟରୁ ଆସୁଥିବା ଅର୍ଡର କମିସନରଙ୍କ ପାଖରେ ପହଞ୍ଚୁନଥିଲା।

ଏଣୁ ବାରମ୍ବାର ଆଦେଶ କାର୍ଯ୍ୟକାରୀ ନ ହେବାରୁ କମିସନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌ ହୋଇଥିଲା। କେଉଁ ପରିସ୍ଥିତି‌ରେ ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥିଲା ସେ ନେଇ ଉତ୍ତର ରଖିବାକୁ ଶ୍ରୀ ପୃଷ୍ଟିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି କମିସନର। ତେବେ କେବଳ ଏହି ମାମଲା ନୁହେଁ, ବରଂ ଅଧିକାରୀଙ୍କ ଅବହେଳା ଯୋଗୁ ଶହ ଶହ ମାମଲାରେ ବିଏମ୍‌ସି ହାରି ଯାଉଛି। ଉଚିତ ସମୟରେ ସତ୍ୟପାଠ ଫାଇଲ୍‌ ନ ହେବା, ହାଇକୋର୍ଟଙ୍କ ନୋଟିସ୍‌ର ଉତ୍ତର ନ ରଖିବା ଭଳି କାମ ପାଇଁ ଅନେକ ମାମଲାରେ ବିଏମ୍‌ସି ପଛରେ ରହୁଛି। ଅନେକ ସମୟରେ ଜାଣିଜାଣି ପ୍ରତିପକ୍ଷକୁ ଜିତାଇବା ପାଇଁ ଅଧିକାରୀ ଏଭଳି କରୁଥିବା ଅଭିଯୋଗ ରହିଛି। ବଡ଼କଥା ହେଉଛି ବିଏମ୍‌ସିର ୧୭ଟି ମେଗା ପ୍ରକଳ୍ପ କୋର୍ଟରେ ଫସି ରହିଛି। ବର୍ଷ ବର୍ଷ ଧରି ମାମଲାର ଫଏସଲା ହୋଇ ପାରୁ ନଥିବାରୁ ନା ହିତାଧିକାରୀ ଲାଭ ପାଉଛନ୍ତି ନା ବିଏମ୍‌ସିର ରାଜସ୍ବ ବଢ଼ୁଛି। ବରଂ ଏହି ସବୁ ପ୍ରକଳ୍ପରେ ବିଏମ୍‌ସି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏବେ ଏହି କାରଣ ଦର୍ଶାଅ ନୋଟିସ୍‌ ପରେ ଲ’ ଉପବିଭାଗ ତତ୍ପର ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟ ପଛରେ ରହିଛି ଲକ୍ଷ୍ମୀବିହାର। ଏଥିରେ ରହିଥିବା ପ୍ରାୟ ୪ଟି ଲେନ୍‌ରେ ୧୦୬ ପରିବାର ଅଛନ୍ତି। କିନ୍ତୁ ପ୍ରତ୍ୟେକ ଗଳିକୁ ଅଣଓସାରିଆ ରାସ୍ତା ଯୋଗୁ ବର୍ଷ ବର୍ଷ ଧରି ଏଠାରେ ନାନା ସମସ୍ୟା ଲାଗି ରହିଛି। ଜନବସତି ଭିତରକୁ ଆମ୍ବୁଲାନ୍ସ ପଶି ପାରୁନାହିଁ। ଚାରିଚକିଆ ଯାନ ଯିବା ଆସିବା ପାଇଁ ମଧ୍ୟ ସମସ୍ୟା ହେଉଛି। ଏଣୁ ଏମାନେ ବାରମ୍ବାର ବିଏମ୍‌ସିକୁ ଚିଠି ଲେଖିଥିଲେ। କିନ୍ତୁ ବିଏମ୍‌ସି ଶୁଣିନଥିଲା। ୧୯୯୨ ମସିହାରୁ ଏଭଳି ସମସ୍ୟା ଜାରି ରହିଥିଲା। ଏଣୁ ଲକ୍ଷ୍ମୀବିହାର ବାସିନ୍ଦା କୋର୍ଟ ଯାଇଥିଲେ। ଏଠାରେ ରାସ୍ତା ଚଉଡ଼ା କରିବାକୁ କୋର୍ଟରୁ ଆଦେଶ ହୋଇଥିଲା। କିନ୍ତୁ ବିଏମ୍‌ସି ଶୁଣିନଥିଲା। ସମୟ ଗଡ଼ିଯିବାରୁ କମିସନରଙ୍କୁ ବ୍ୟକ୍ତିଗତ ହାଜିରା ଦେବାକୁ ନୋଟିସ୍‌ ହୋଇଥିଲା। କମିସନର ବ୍ୟକ୍ତିଗତ ହାଜର ହୋଇ ମାସେ ମଧ୍ୟରେ ରାସ୍ତା କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଣେ ସପ୍ତାହେ ମଧ୍ୟରେ କାରଣ ଦର୍ଶାଇବାକୁ ଅଧିକାରୀଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe