କମିସନରେଟ୍‌ ପୁଲିସରେ ୮୦ ପେଟୁଆ କର୍ମଚାରୀ : କେବେ ହେବ କାର୍ଯ୍ୟାନୁଷ୍ଠାନ?

Advertisment
କମିସନରେଟ୍‌ ପୁଲିସରେ ୮୦ ପେଟୁଆ କର୍ମଚାରୀ : କେବେ ହେବ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର : ଶାରୀରିକ ଫୂର୍ତ୍ତି ନଥିବା ପୁଲିସ୍ କର୍ମଚାରୀଙ୍କୁ ଆଉ କମିସନରେଟ୍‌ ପୁଲିସ୍‌ରେ ଜାଗା ମିଳିବନି। ନଭେମ୍ବର ମାସ ସୁଦ୍ଧା ସମ‌ସ୍ତେ ବ୍ୟାୟାମ କରି ନିଜର ପେଟ କମାଇବେ। ବୟସ ଓ ଉଚ୍ଚତା ଅନୁସାରେ ଓଜନ (ବିଏମ୍‌ଆଇ) ସ୍ତର ସଠିକ୍‌ ରଖିବାକୁ ନିଜକୁ ପ୍ରସ୍ତୁତ କରିବେ। ନ ହେଲେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପଦୋନ୍ନତି ମିଳିବନି କିମ୍ବା ବାଧ୍ୟତାମୂଳକ ଅବସର ଦିଆଯିବ। ଗତ ଜୁଲାଇ ମାସରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। କିନ୍ତୁ ଏହି ଅବଧି ଶେଷ ହୋଇଥିଲେ ମଧ୍ୟ ଜଣେ ହେଲେ ପେଟୁଆ ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସୂଚନା ମୁତାବକ, ଗତ ଜୁଲାଇ ମାସରେ ପୁଲିସ କମିସନର୍‌ ଏଭଳି ଏକ ନିଷ୍ପତ୍ତି ନେବା ପରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। କମିସନର୍‌ଙ୍କ ନିର୍ଦ୍ଦେଶ ମୁତାବକ, ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ପୁଲିସ୍‌ କର୍ମଚାରୀମାନେ ଖେଳକୁଦ କରି ଫୂର୍ତ୍ତି ଥାଆନ୍ତି। କିନ୍ତୁ କାର୍ଯ୍ୟରେ ଯୋଗ ଦେବା ପରେ ସ୍ବାସ୍ଥ୍ୟର ଯତ୍ନ ନେଉନାହାନ୍ତି। ଫଳରେ ମେଦ ବହୁଳତା ସହ ମଧୁମେହ ଓ ରକ୍ତଚାପ ଭଳି ସମସ୍ୟା ବଢ଼ିଥାଏ। କମିସନରେଟ୍‌ ପୁଲିସରେ ଏଭଳି ଅନେକ କର୍ମଚାରୀ ରହିଥିବାରୁ ସେମାନଙ୍କୁ କୋଭିଡ୍‌ ସଂକ୍ରମଣ ଆଶଙ୍କା ଅଧିକ ରହିଥିଲା। ଏଣୁ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ପୁଲିସ୍‌ କମିସନର୍‌ ଏଭଳି କଠୋର ପଦକ୍ଷେପ ନେଇଥିଲେ। ଶାରୀରିକ ଫୂର୍ତ୍ତି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥି‌ଲେ। ନିଜ ହିତ ଦୃଷ୍ଟିରୁ ପେଟୁଆ କର୍ମଚାରୀମାନେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିସନର୍‌ ପରାମର୍ଶ ଦେଇଥିଲେ।

ନିର୍ଦ୍ଦେଶନାମା ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରେ ସମସ୍ତଙ୍କର ବିଏମ୍‌ଆଇ ମାପ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କର ବିଏମ୍‌ଆଇ ସ୍ତର ସାଧାରଣରୁ ଅଧିକ ଅର୍ଥାତ୍‌ ୨୫ରୁ ବେଶି ଥିଲା। ଏଣୁ ସେମାନଙ୍କୁ ବ୍ୟାୟାମ କରି ବିଏମ୍‌ଆଇ ସ୍ତର ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରିଜର୍ଭ ପୁଲିସ ପରିସରରେ ୬ ସପ୍ତାହର ରିଫ୍ରେସର୍‌ କୋର୍ସ କରାଯାଇଥିଲା। ୬ ସପ୍ତାହ ପରେ ଅର୍ଥାତ୍‌ ସେପ୍ଟେମ୍ବରରେ ପୁନଶ୍ଚ ଏହି ବିଏମ୍‌ଆଇ ମାପ ହେବାର ଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲେ ବା ବିଏମ୍‌ଆଇ ପୂର୍ବବତ୍‌ ଥିଲେ ସେମାନଙ୍କର ଇନ୍‌କ୍ରିମେଣ୍ଟ ବନ୍ଦ କିମ୍ବା ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି କଡ଼ା ଚେତାବନୀ ଦିଆଯାଇଥିଲା। ହେଲେ ୪ ମାସ ବିତି ଯାଇଥିଲେ ହେଁ ଏହି କର୍ମଚାରୀଙ୍କର ବିଏମ୍‌ଆଇ ଦ୍ବିତୀୟଥର ମାପ କରାଯାଇନାହିଁ।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ନିର୍ଦ୍ଦେଶନାମା ପରେ ସମସ୍ତ କର୍ମଚାରୀଙ୍କର ବିଏମ୍‌ଆଇ ପରୀକ୍ଷା କରାଯାଇ ରେକର୍ଡ କରାଯାଇଛି। ପରୀକ୍ଷା ବେଳେ ୮୦ଜଣ କର୍ମଚାରୀ ବିଏମ୍‌ଆଇ ସ୍ତରର ଉପରେ ଥିବା ଜଣାପଡ଼ିଥିଲା। ଏଣୁ ସେମାନେ ରିଜର୍ଭରେ ନିୟମିତ ବ୍ୟାୟାମ କରୁଛନ୍ତି। କିନ୍ତୁ କରୋନା ପାଇଁ ଦ୍ବିତୀୟଥର ସେମାନଙ୍କର ପରୀକ୍ଷା ହୋଇପାରିନାହିଁ ବୋଲି କହିଛନ୍ତି।

‌ତେବେ ଭୁବନେଶ୍ବରରେ ସମସ୍ତ ଥାନାରେ ପୁଲିସ କର୍ମଚାରୀଙ୍କ ଉପରେ ଚାପ ରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଆଇନଶୃଙ୍ଖଳା ଓ କ୍ରମବର୍ଦ୍ଧିଷ୍ଣୁ ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ଆହ୍ବାନ ପାଲଟିଛି। ଏଭଳି ସ୍ଥିତିରେ ବ୍ୟାୟାମ କରି ପେଟ ନ କମାଇଲେ କାର୍ଯ୍ୟାନୁଷ୍ଠାନ ହେବା ଘୋଷଣା ନେଇ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ୨୦୧୮ ମସିହାରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ପେଟୁଆ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ପେଟ ନ କମାଇଲେ, ପଦୋନ୍ନତି ବନ୍ଦ ରଖିବାକୁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଥିଲା। ହେଲେ କର୍ମଚାରୀଙ୍କ ପ୍ରବଳ ଅସନ୍ତୋଷ ଯୋଗୁଁ ଏହା ସଫଳ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe