କମିସନରେଟ ପୁଲିସ, ୪ ବର୍ଷରେ ଚମ୍ପଟ ମାରିଲେଣି ୩୮ ଅପରାଧୀ

Advertisment
କମିସନରେଟ ପୁଲିସ, ୪ ବର୍ଷରେ ଚମ୍ପଟ ମାରିଲେଣି ୩୮ ଅପରାଧୀ

ଭୁବ‌େନଶ୍ବର: ପୁଲିସ ହେପାଜତରୁ ଅଭିଯୁକ୍ତମାନେ ଖସି ଯିବା ଘଟଣା କମିସନରେଟ ପୁଲିସ ପାଇଁ ନୂଆ ନୁହେଁ। କେତେବେଳେ ଅଭିଯୁକ୍ତଙ୍କୁ ‌କୋର୍ଟକୁ ନେଲା ବେଳେ ତ ଆଉ କେତେବେଳେ ଥାନାରୁ ବା ହାଜତ ମଧ୍ୟରୁ ଚମ୍ପଟ୍‌ ମାରିବାକୁ ସକ୍ଷମ ହେଉଛନ୍ତି। ଏକ ହିସାବରୁ ଜଣାପଡ଼ିଛି ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ବରରେ ଏହିପରି ୩୮ ଜଣ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି।

ପ୍ରତ୍ୟେକ ଦିନ ୩୦ରୁ ୪୦ଜଣ ଅଭିଯୁକ୍ତଙ୍କୁ କମିସନରେଟ ପୁଲିସ ବିଭିନ୍ନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରୁଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥାର ମଧୢ ବନ୍ଦୋବସ୍ତ ହେଉଛି। କିନ୍ତୁ କେତେକ ଅଭିଯୁକ୍ତ ପୁଲିସର ଏହି କଡ଼ା ସୁରକ୍ଷା ବଳୟକୁ ଭେଦ କରି ଚମ୍ପଟ ମାରୁଛନ୍ତି। ପୁଲିସ ପଦକ୍ଷେପ ସ୍ବରୂପ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରୁଛି। କିନ୍ତୁ କିଛି ଦିନ ଅନ୍ତରରେ ପୁଣି ଅଭିଯୁକ୍ତ ପୁଲିସ ହାତରୁ ଖସି ଯାଉଥିବ‌ା ଖବର ମିଳୁଛି। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଭୁବନେଶ୍ବର କୋର୍ଟ ପରିସରରେ ଛୋଟ ବଡ଼ ମିଶାଇ ପ୍ରାୟ ୩୫ଟି କୋର୍ଟ ରହିଛି। ଦୈନିକ ଏହି କୋର୍ଟକୁ ଭୁବନେଶ୍ବର ସମେତ ରାଜଧାନୀ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାର ୩୦/୪୦ ଅଭିଯୁକ୍ତ ବିଭିନ୍ନ ଆଇନ କାନୁନ କାମରେ ଆସିଥାନ୍ତି। ସେମାନଙ୍କୁ ପୁଲିସ ଫୋର୍ସ ନିଜ ହେପାଜତରେ କୋର୍ଟ ନେଇ ଆସିଥାଏ। ଏହା ପୂର୍ବରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥାଏ। ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ କୋର୍ଟ ସମ୍ମୁଖରେ ଦୁଇ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯିବା କଥା। କିନ୍ତୁ ଅଧିକା˚ଶ କୋର୍ଟରେ କୌଣସି ପୁଲିସ ଅଧିକାରୀ ଦେଖିବାକୁ ମିଳନ୍ତି ନାହିଁ। କିଛି ପୁଲିସ କର୍ମଚାରୀ ବିଚାରାଧୀନ କଏଦୀଙ୍କୁ ଅତି ହ‌ାଲ୍‌କା ଆଚରଣ ଦେଖାଇଥାନ୍ତି। କେତେକ ସ୍ଥାନରେ ଅଭିଯୁକ୍ତଙ୍କୁ ମୋବାଇଲ୍‌ ଫୋନ୍‌ରେ ଗପିବାର ସୁଯୋଗ ବି ଦେଇ ଦିଅନ୍ତି ବା ନିଜେ ଅତି ହାଲକା ହୋଇଯାଇଥାନ୍ତି। କିଛି ଅପରାଧୀ ବା ଅଭିଯୁକ୍ତ ଖସିଯିବା ସୁଯୋଗର ଅପେକ୍ଷାରେ ରହିଥାନ୍ତି। ସୁଯୋଗ ପାଇ ଅଭିଯୁକ୍ତମାନେ ଖସିଯିବାକୁ ସକ୍ଷମ ହୋଇଯାଉଛନ୍ତି ବୋଲି ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି।

ଥାନାରୁ ଚମ୍ପଟ୍‌ ଘଟଣାର ତଦନ୍ତ ଆରମ୍ଭ, ଡିସିପିଙ୍କ ରିପୋର୍ଟ ତଲବ
ଜେଲ୍‌ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ଥାନା ହାଜତରୁ ୨ ଜଣ ଅଭିଯୁକ୍ତ ଖସି ଯିବା ଘଟଣାର ତଦନ୍ତ ଆରମ୍ଭ କରିଛି କମିସନରେଟ ପୁଲିସ। ଡିସିପି ଅନୁପ ସାହୁଙ୍କ ନିର୍ଦେଶରେ ଏକ ସ୍ବତନ୍ତ୍ର ଟିମ ଥାନାକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ଅଭିଯୁକ୍ତମାନେ ଖସିଗଲେ ତାର ପୁଙ୍ଖାନୁପଙ୍ଖ ରିପୋର୍ଟ ଦେବ ଏହି ଟିମ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗୁରୁବାର ଗିରଫ ହୋଇଥିବା ୨ ଅଭିଯୁକ୍ତ କୁନା ରେଡ୍ଡୀ ଓ ପି ସିନୁ ରେଡ୍ଡୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସମସ୍ତଙ୍କ ବିରୋଧରେ ନନ୍ଦନକାନନ ଥାନା ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ନାଁରେ ଇନଫୋସିଟି, ଖାରବେଳନଗର, ଲକ୍ଷ୍ମୀସାଗର ଓ କ୍ୟାପିଟାଲ ଥାନାରେ ଏକାଧିକ ମାମଲା ରହିଛି ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe