ରଥଯାତ୍ରା ପାଇଁ କମିସନରେଟ୍‌ ପୁଲିସର ସମନ୍ବୟ ବୈଠକ, ଏଥର ଗଡ଼ିବ ୫୭ ରଥ, ଯୋଡ଼ିହେଲା ବାଲିପାଟଣା

Advertisment

୧୫ରେ ସମୀକ୍ଷା କରିବେ ଡିସିପି, ସ୍ବେଚ୍ଛାସେବୀଙ୍କୁ ଆଇ କାର୍ଡ

୧୫ରେ ସମୀକ୍ଷା କରିବେ ଡିସିପି, ସ୍ବେଚ୍ଛାସେବୀଙ୍କୁ ଆଇ କାର୍ଡ

ରଥଯାତ୍ରା ପାଇଁ କମିସନରେଟ୍‌ ପୁଲିସର ସମନ୍ବୟ ବୈଠକ, ଏଥର ଗଡ଼ିବ ୫୭ ରଥ, ଯୋଡ଼ିହେଲା ବାଲିପାଟଣା

Odisha Bytes

ଭୁବନେଶ୍ବର: କିଏ କହିଲାଣି ସାର ଆମ ଅଞ୍ଚଳରେ ରାସ୍ତା ଖରାପ ଅଛି। ପୁଣି କିଏ କହିଲା ଗଛ ଡାଳ ରାସ୍ତା ଉପରକୁ ଝୁଲିପଡ଼ିଛି। ପୁଣି କେଉଁଠି ମୁଣ୍ଡ ଉପରେ କେବୁଲ ଓ ବିଦ୍ୟୁତ ତାର ସମସ୍ୟା ସୃଷ୍ଟି କରିଛି। ଖାଲି ଏତିକି ନୁହେଁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ‌ହୋଇଛି, ସ୍ଲାବ ପଡ଼ିନି, ପାର୍କିଂ ଆଦି ସମସ୍ୟା ଥିବା ନେଇ ଅଭିଯୋଗ ଆସିଥିଲା। ଆସନ୍ତା ଜୁନ୍ ୨୦ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପୁଲିସ ସେବା ଭବନରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଗୋଟିଏ ପରେ ଗୋଟିଏ ରଥଯାତ୍ରା କମିଟି ଏଭଳି ଅଭିଯୋଗ ଆଣିଥିଲେ।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସିପି ପ୍ରତୀକ ସିଂ, ଏଡିଏମ୍‌ ପ୍ରଫୁଲ୍ଲ ସ୍ବାଇଁ, ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଟ୍ରାଫିକ୍‌ ଡିସିପି ସୁବାସ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ସମସ୍ତଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଚଳିତ ଥର ବାଲିପାଟଣା ନୂଆସାହିକୁ ମିଶାଇ ରାଜଧାନୀରେ ୫୭ଟି ରଥ ଗଡ଼ିବାକୁ ଥିବା ବ‌େଳେ ଟ୍ରାଫିକ୍‌ ସମସ୍ୟା, ଗହଳିର ସୁଯୋଗ ନେଇ ଚୋରି, ଛିନ୍‌ତାଇ ବଢ଼ିବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ବ୍ୟାପକ ପୁଲିସ ମୁତୟନ ସହ ମହିଳା ପୁଲିସ ଫୋର୍ସ ମୁତୟନ ହେବେ ବୋଲି ପୁଲିସ କମିସନର କହିଛନ୍ତି। ସେହିପରି ରଥ କମିଟିଗୁଡ଼ିକୁ ମଧ୍ୟ ସେମାନଙ୍କ ସ୍ବେଚ୍ଛାସେବୀ ମୁତୟନ କରିବା ପାଇଁ କୁହାଯାଇଛି। ଯେଉଁମାନେ ଭଲ୍ୟୁଣ୍ଟର ରହିବେ ସେମାନଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି।

ଡିସିପି ଶ୍ରୀ ସିଂ ସମସ୍ତ କମିଟିକୁ ଲାଇସେନ୍ସ ଆବେଦନ ପାଇଁ କହିଥିଲେ। ବିଳମ୍ବରେ ଆବେଦନ ନ କରି ତୁରନ୍ତ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ନିଜ ନିଜ ଅଞ୍ଚଳରେ ହେଉଥିବା ରଥଯାତ୍ରା ଉପରେ ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କମିଟିଗୁଡ଼ିକ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଉପରେ ପଦକ୍ଷେପ ନେବେ। କେଉଁ କମିଟିର କ’ଣ ସମସ୍ୟା ଥିଲା ଏବଂ କଣ ସମାଧାନ ହୋଇଛି ଏହାର ଏକ ସମୀକ୍ଷା ଆସନ୍ତା ଜୁନ୍‌ ୧୫ତାରିଖରେ କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

ଜେଡିସିମାନେ ମଧ୍ୟ ନିଜ ନିଜ ଜୋନ୍‌ସ୍ତରରେ ବୁଲି କମିଟି ଗୁଡ଼ିକ ସହ ସମସ୍ୟା ଉପରେ ଆଲୋଚନା କରି ପଦକ୍ଷେ ନେବେ ବୋଲି ବିଏମ୍‌ସି ଅତିରିକ୍ତ କମିସନରେ ଶ୍ରୀ ସେଠୀ କହିଛନ୍ତି। ଏହାଛଡ଼ା ୱାଟ୍‌କୋ, ଓଡ୍ରାଫ୍‌ ଏବଂ ଟାଟା ପାୱାର ଅଧିକାରୀଙ୍କୁ ସମସ୍ୟା ନେଇ ଅବଗତ କରାଯିବ। ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଆଲୋଚନାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe