କମିସନରେଟ୍‌ ପୁଲିସର ହସ୍ତାନ୍ତର ମେଳା: ଲୁଟ୍ ଜିନିଷ ଫେରିପାଇଲେ ୧୫୦ ଜଣ

Advertisment
କମିସନରେଟ୍‌ ପୁଲିସର ହସ୍ତାନ୍ତର ମେଳା: ଲୁଟ୍ ଜିନିଷ ଫେରିପାଇଲେ ୧୫୦ ଜଣ

ଭୁବନେଶ୍ବର: ଆଜି ପୁଲିସ ସେବାଭବନ ପରିସରରେ ଆୟୋଜିତ ହୋଇଯାଇଛି ଚୋରି ଜିନିଷ ହସ୍ତାନ୍ତର ମେଳା। ଏହି ଅବସର‌ରେ ଲୁଟ୍‌ର ଶିକାର ହୋଇଥିବା ପାଖାପାଖି ୧୫୦ ଜଣ ବ୍ୟକ୍ତି ସେମାନଙ୍କ ଚୋରି ଜିନିଷ ଫେରିପାଇଛନ୍ତି। ୧୪୧ ଜଣଙ୍କୁ ମୋବାଇଲ୍‌ ଫୋନ୍‌, ୨ ଜଣଙ୍କୁ ବାଇକ୍‌ ଓ ଅନ୍ୟମାନଙ୍କୁ ଲାପ୍‌ଟପ୍‌, ପ୍ରିଣ୍ଟର, ସୁନା ଗହଣା ଓ ଟଙ୍କା( ୧ ଲକ୍ଷ ୧୫ ହଜାର, ୨୫୦ ଗ୍ରାମ୍‌ ଓଜନର ସୁନା ଗହଣା) ହସ୍ତାନ୍ତର କରାଯାଇଛି। ଚୋରି ଜିନିଷ ଫେରିବାର ଆଶା ଛାଡ଼ିଦେଇଥିବା ଏହି ଲୋକମାନେ ସେମାନଙ୍କ ଜିନିଷ ପାଇବା ପରେ ସ୍ବାଭାବିକ ଭାବେ ଖୁସି ବ୍ୟକ୍ତ କରିବା ସହ କମିସନରେଟ୍‌ ପୁଲିସକୁ ସାଧୁବାଦ ଜଣାଇଛନ୍ତି। ଭୁବନେଶ୍ବରର ବିଭିନ୍ନ ଥାନା, ପିଓପିଡି, ଟିମ୍‌ ୬୦, ଓପିପିଓ ସେଲ୍‌ର ମିଳିତ ପ୍ରୟାସରେ ଏହି ସବୁ ଚୋରି ଜିନିଷ ଠାବ କରାଯାଇଥିଲା। ଲୁଟେରାମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ଚୋରି ଜିନିଷଗୁଡ଼ିକର ମାଲିକମାନଙ୍କୁ ଚିହ୍ନଟ କରି ଆଜି ସେମାନଙ୍କୁ ଏହି ମେଳା ଅବସରରେ ଫେରସ୍ତ କରାଯାଇଛି।

ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ କହିବା କଥା ଚୋର, ଲୁଟେରାଙ୍କୁ ଗିରଫ କରିବା ‌ଯେମିତି ପୁଲିସ ପାଇଁ ଚ୍ୟା‌ଲେଞ୍ଜ ସେମିତି ଲୁଟ୍‌ର ଶିକାର ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜିନିଷ ଫେରାଇବା ବି ପୁଲିସର ଦାୟିତ୍ବ। ଓପିପିଓ ସେଲ୍‌ ୬୦ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରିଥିବା ବେଳେ ସହିଦନଗର ଥାନା ୨୦, ଧଉଳି ଥାନା ୧୧ ଓ ଅନ୍ୟ ସବୁ ଥାନା ପୁଲିସ ପକ୍ଷରୁ ବହୁ ମୋବାଇଲ୍‌ ଜବତ କରାଯାଇଛି। ସେହିଭଳି ଏୟାର୍‌ଫିଲ୍‌ଡ ଥାନା ଓ ବାଲିପାଟଣା ଥାନା ପୁଲିସ ୨ ବାଇକ୍‌ ଜବତ କରିଥିଲା। ପାହାଳ ଥାନା ପୁଲିସ ୩ଟି ୟୁପିଏସ୍‌, ୨ ପ୍ରିଣ୍ଟର ଓ ଗୋଟିଏ ଲାପ୍‌ଟପ ଜବତ କରିଥିଲା। ୨୦୨୩ ଡିସେମ୍ବର ୯ ତାରିଖ ରାତିରେ ସିଆଇଏସ୍‌ଏଫ୍ କର୍ମଚାରୀ କେକେ ମହନ୍ତଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଦେଇଥିଲେ। ଆଜି ଏହି ମେଳାରେ ତାଙ୍କୁ ୬୦ ହଜାର ଟଙ୍କା ଫେରସ୍ତ କରାଯାଇଛି ଏବଂ ଗହଣା ଚିହ୍ନଟ ପରେ ୨୫୦ ଗ୍ରାମ୍‌ ଓଜନର ସୁନା ଗହଣା ଫେରସ୍ତ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଚୋରି ପରେ ଜିନିଷ ଫେରିପାଇବା ଆଶା ନଥିଲା, କିନ୍ତୁ ଆଜି ପୁଲିସ ଉପରେ ତାଙ୍କ ଭରସା ବଢ଼ିଲା ବୋଲି ଶ୍ରୀ ମହନ୍ତ ଖୁସିରେ କହିଛନ୍ତି। ସେହିଭଳି ଆର୍‌ଡି କଲେଜ ଛାତ୍ରୀ ବାସୁମତି ବେଶ୍ରା ବର୍ଷକ ପରେ ତାଙ୍କ ମୋବାଇଲ୍‌ ଫେରିପାଇ ଖୁସି ଜାହିର୍‌ କରିଛନ୍ତି। ପୁଲିସଠାରୁ ମୋବାଇଲ୍‌ ଫେରିପାଇବା ବାବଦରେ କଲ୍‌ ପାଇବା ପରଠୁ ସେ ବହୁ ଖୁସି ହୋଇଯାଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe